ବୃଦ୍ଧଙ୍କୁ କାର ଧକ୍କା ଦେବା ଘଟଣା: ୧୬ ଦିନ ପରେ ବୃଦ୍ଧଙ୍କ ମୃତୁ୍ୟ

ଜଟଣୀ: କାର ଧକ୍କାରେ ଗୁରୁତର ହୋଇ ମୃତୁ୍ୟ ସହ ସଂଗ୍ରାମ କରି ୧୬ ଦିନ ପରେ ସୁଧାକର ସେଠୀ (୮୬)ଙ୍କ ମୃତୁ୍ୟ ଘଟିଛି । ମିଳିଥିବା ସୂଚନା ଅନୁଯାୟୀ ଜଟଣୀ ଥାନା ଅନ୍ତର୍ଗତ କୁଦିଆରି ଗ୍ରାମଠାରେ ଗତ ୨ ତାରିଖ ଦିନ ମୃତ ବୃଦ୍ଧ ନିଜ ଘର ସମ୍ମୁଖରେ ଛିଡ଼ା ହୋଇଥିବା ବେଳେ ସିଏଚ୦୧ଏକୁ୍ୟ୧୬୬୫ ନମ୍ବର ଏକ ଇନୋଭା ଗାଡ଼ି ପଛରୁ ଆସି ତାଙ୍କୁ ଧକ୍କା ଦେଇଥିଲା । ଯାହା ଫଳରେ ବୃଦ୍ଧଙ୍କ ଅଣ୍ଟା, ଛାତି, ହାତ ଓ ଗୋଡ଼ରେ ଆଘାତ ଲାଗିବା ଦ୍ୱାରା ସେ ଗୁରୁତର ହଗୋଇଥିଲେ । ପରେ ପରିବାର ଲୋକେ ତାଙ୍କୁ ଚିକିତ୍ସା ନିମନ୍ତେ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ଅପରପକ୍ଷେ ଧକ୍କା ଦେଇଥିବା ଗାଡ଼ି ଡ୍ରାଇଭର ବାବଦରେ ପଚାରିବା ପାଇଁ ସମ୍ପୃକ୍ତ ଗାଡିର ମାଲିକଙ୍କ ଘର ନିକଟକୁ ବୃଦ୍ଧଙ୍କ ନାତୁଣୀ ଯାଇଥିବା ବେଳେ ଉକ୍ତ ଘରର ଜନୈକା ମହିଳା ତାଙ୍କୁ ଜାତିଆଣ ଆକ୍ଷେପ କରି ଗାଳିଗୁଲଜ କରିଥିଲେ । ସେଠାରୁ ନିରାଶ ହୋଇ ନ୍ୟାୟ ପାଇବା ଆଶାରେ ବୃଦ୍ଧଙ୍କ ନାତୁଣୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହାମଧ୍ୟରେ ଉକ୍ତ ଘଟଣାକୁ ୧୬ ଦିନ ହୋଇସାରିଥିବା ବେଳେ, ପୁଲିସ ପକ୍ଷରୁ ଏକ ମାମଲା ଦାୟର ହୋଇଥିବା ଜଣାପଡିଛି । ତେବେ ଶନିବାର ବୃଦ୍ଧଙ୍କ ମୃତୁ୍ୟ ଘଟିବା ପରେ ପରିବାର ଲୋକେ ଏ ସମ୍ପର୍କରେ ପୁଲିସକୁ ଅବଗତ କରାଇ ଶବ ବ୍ୟବଚ୍ଛେଦ କରାଇବା ପାଇଁ ଡାକ୍ତରଖାନା ପଠାଇଥିଲେ । ଅନ୍ୟପକ୍ଷରେ ମୃତ ସୁଧାକରଙ୍କ ପରିବାର ଗରିବ ଶ୍ରେଣୀୟ ହୋଇଥିବା ବେଳେ, ଲୁଗାପଟା ଇସ୍ତ୍ରୀ କରି ସ୍ୱଳ୍ପ ରୋଜଗାରରେ ଗୁଜୁରାଣ ମେଣ୍ଟାଉଥିଲେ । ଖବରପାଇ ଦଳିତ ମହାସଂଘ ଭୀମଆର୍ମିର କର୍ମକର୍ତ୍ତା ମାନେ ଉପସ୍ଥିତ ରହି ସମବେଦନା ଜଣାଇବା ସହିତ ପ୍ରଶାସନ ନିକଟରେ ଦୋଷୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଓ କ୍ଷତିପୂରଣ ପ୍ରଦାନ କରିବା ପାଇଁ ଦାବି କରିଛନ୍ତି । ଯଦି କାର୍ଯ୍ୟକାରୀ ନହୁଏ ତେବେ ଆନେ୍ଦାଳନ କରାଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।