ବେଆଇନ ବାଲିଘାଟରୁ ଜବତ ନମ୍ବର ବିହୀନ ଦୁଇ ପ୍ରୋକଲିନ କାହାର?
ାା ପ୍ରଭାନୁ୍ୟଜ ।ା ବ୍ରହ୍ମବରଦା : ବୁଧବାର ବ୍ରାହ୍ମଣୀ ନଦୀର ବେଆଇନ ବାଲି ଘାଟରେ ବୁଡି ଜଣେ କଲେଜ ଛାତ୍ର ନିଖୋଜ ହୋଇଯାଇଥିବା ସ୍ଥାନରୁ ହିଁ ବ୍ରହ୍ମବରଦା ପୁଲିସ ଦୁଇଗୋଟି ପ୍ରୋକଲିନ ମେସିନ ଜବତ କରି ଥାନାକୁ ଆଣିଛି । ଚୋରା ବାଲି ଖନନରେ ବ୍ୟବହୃତ ନମ୍ବର ବିହୀନ ଦୁଇଟି ଯାକ ମେସିନ ବେଆଇନ ଭାବେ ସେଠାରେ କିପରି କାର୍ଯ୍ୟ କରୁଥିଲା ତାହା ସମସ୍ତଙ୍କୁ ଚକିତ କରିଛି ।
ଉକ୍ତ ମେସିନ ଦୁଇଟି କାହାର ଓ ଏହାର ପ୍ରକୃତ ମାଲିକ କିଏ ତାହା ଏବେ ବ୍ରହ୍ମବରଦା ଥାନାର ତଦନ୍ତ ପରିସରରେ ଥିବା ବେଳେ ବିନା କାଗଜପତ୍ରରେ କୋଟି କୋଟି ଟଙ୍କାର ମେସିନ ଦ୍ୱୟ ସେଠାରେ କେମିତି ଚାଲୁଥିଲା ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ଜବତ ଦୁଇ ମେସିନରେ ପୂର୍ବରୁ ନମ୍ବର ପ୍ଲେଟ ଥିଲା ନା ନଦୀରେ ବୁଡି ଛାତ୍ର ନିଖୋଜ ଘଟଣା ପରେ ଧରାପଡ଼ିଯିବା ଭଳରେ ମାଲିକ କାଢି ଦେଲେ ତାହା ସନେ୍ଦହ ସୃଷ୍ଟି କରିଛି । ଘଟଣାର ପ୍ରଚ୍ଛଦପଟରେ ରହି ସମ୍ପୃକ୍ତ ମାଲିକକୁ କିଏ ଘଣ୍ଟ ଘୋଡାଇ ରଖୁନାହିଁ ତ? ଏନେଇ ବ୍ରହ୍ମବରଦା ଥାନା ଆଇଆଇସି ଅଂଶୁମାଳା ଦାସଙ୍କୁ ପଚାରିବାରୁ ସେ କହିଥିଲେ କି ମେସିନ ଦୁଇଟିର କାଗଜପତ୍ର ଯାଞ୍ଚ ପାଇଁ ପରିବହନ ବିଭାଗକୁ କୁହାଯାଇଛି । ସେଠାରୁ ରିପୋର୍ଟ ଆସିଲା ପରେ ହିଁ ମେସିନର ମାଲିକ କିଏ ଜଣାପଡିବ । ପୁଲିସ ପରିବହନ ବିଭାଗ ଆଡ଼କୁ ପ୍ରସଙ୍ଗକୁ ଠେଲି ଦେଇ ମାଲିକକୁ ଖସାଇ ଦେବାକୁ ଚେଷ୍ଟା କରି ନାହିଁ ତ ? ଯାହା ସାଧାରଣରେ ବଡ଼ ସନେ୍ଦହ ସୃଷ୍ଟି କରିଛି । ପୁଲିସ ମେସିନ ଜବଦ କଲା ବେଳେ କାହିଁକି ଚାଳକଙ୍କୁ ନିଜ ହେପାଜତକୁ ନେଲାନି । ପୁଲିସ ଯଦିଏକତ କରିଥାନ୍ତା, ତେବେ ମାଲିକ କିଏ ଅପେକ୍ଷା କରିବାକୁ ପଡ଼ି ନଥାନ୍ତା । ଅପରପକ୍ଷେ ମେସିନ ଦୁଇଟି ଯେଉଁ ସ୍ଥାନରୁ ଜବତ ହୋଇଥିଲା ତାହା ଏକ ବେଆଇନ ବାଲିଘାଟ ବୋଲି ଖୋଦ ରସୁଲପୁର ଅତିରିକ୍ତ ତହସିଲଦାର ରାଜୀବ ବଲ୍ଲଭ କହିସାରିଛନ୍ତି । ଅତଏବ ସମସ୍ତଙ୍କ ଜାଣତରେ ବେଆଇନ ଭାବେ ଘାଟ ଚାଲୁଥିଲା,ଏହା ସୁସ୍ପଷ୍ଟ । ବେଆଇନ ବାଲିଘାଟରେ ମେସିନ ଦ୍ୱାରା ବାଲି ଖନନ ଯୋଗୁ ବ୍ରାହ୍ମଣୀ ନଦୀ ଶଯ୍ୟାର ବିଭିନ୍ନ ସ୍ଥାନ ମାନଙ୍କରେ ମାଳମାଳ ଖାଲ ସୃଷ୍ଟି ହୋଇଥିଲା । ଓ ସେଥିରେ ନଦୀର ବନ୍ୟା ପାଣି ପଶି ପୂର୍ଣ୍ଣ ହୋଇଯାଇଥିଲା । ସେହି ସ୍ଥାନରେ ହିଁ ଚାନ୍ଦପୁର ଗ୍ରାମର ଜଣେ +୨ କଲେଜ ଛାତ୍ରର ଜୀବନ କଲା । କିନ୍ତୁ କଥା ଉଠୁଛି ବିନା ଲିଜରେ ସ୍ଥାନୀୟ ପ୍ରଶାସନ ଆଖିରେ ଆଙ୍ଗୁଠି ଖେଞ୍ଚି ବେଆଇନ ବାଲି ଘାଟରୁ ଦୈନିକ ସହସହ ଟ୍ରିପ ବାଲି ବାହାରକୁ ଚୋରା ଚାଲାଣ ହେଉଥିଲା କିପରି? କାହା ଇଙ୍ଗିତରେ ଓ କାହା ଛତ୍ରଛାୟା ତଳେ ଚାଲୁଥିଲା ଉକ୍ତ ବେଆଇନ ବାଲିଘାଟ ଟି? ଏହାର ପ୍ରଚ୍ଛଦ ପଟର ନାୟକ କିଏ? ତାହା ଏବେ ସବୁଠୁ ବଡ଼ ପ୍ରଶ୍ନ । କିନ୍ତୁ ଛାତ୍ର ମୃତୁ୍ୟକୁ ଚାରିଦିନ ବିତିଯାଇଥିଲେ ମଧ୍ୟ ମେସିନ ଦ୍ୱୟର ମାଲିକ କିମ୍ୱା ବେଆଇନ ବାଲିଘାଟରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କୁ ପୁଲିସ ଗିରଫ କରିବାରେ ସଫଳ ହୋଇପାରିନାହିଁ । ଉକ୍ତ ବେଆଇନ ବାଲିଘାଟ ଚଳାଇବାରେ ସ୍ଥାନୀୟ ଅଞ୍ଚଳର ବହୁ ମୁଷ୍ଟିମେୟ ବ୍ୟକ୍ତି ସାମିଲ ଥିବା ଚର୍ଚ୍ଚା ଜୋର ଧରିଛି । ତା ସହିତ ଛାତ୍ରଙ୍କ ମୃତୁ୍ୟର ପ୍ରତିବାଦରେ ହୋଇଥିବା ରାସ୍ତାରୋକ ସମୟରେ ଯାଜପୁର ଏସଡିପିଓ ରସୁଲପୁର ତହସିଲଦାର ଓ ବ୍ରହ୍ମବରଦା ଥାନା ଆଇଆଇସି ଉକ୍ତ ବେଆଇନ ବାଲିଘାଟରେ ସମ୍ପୃକ୍ତ ମାଫିଆ ମାନଙ୍କ ପ୍ରତି କଡ଼ା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦୃଢ ପ୍ରତିଶ୍ରୁତି ଦେଇଛନ୍ତି । ମୃତ ଛାତ୍ରଙ୍କ ପରିବାର ଓ ଗ୍ରାମବାସୀ ଦୋଷୀଙ୍କୁ ଉଚିତ ଦଣ୍ଡ ମିଳିବ ବୋଲି ମଧ୍ୟ ପ୍ରାଶାସନିକ ଅଧିକାରୀ ମାନଙ୍କ ଠାରୁ ବହୁ ଆଶା ଓ ବିଶ୍ୱାସ ରଖିଛନ୍ତି । ଖାଲି ଦେଖିବାକୁ ବାକି ରହିଲା ମୃତ ଛାତ୍ର ପରିବାରକୁ କେବେ ନ୍ୟାୟ ମିଳୁଛି ଏବଂ ବେଆଇନ ଘାଟ ଏବଂ ମେସିନ ମାଲିକଙ୍କୁ ପୁଲିସ କେବେ ବାନ୍ଧୁଛି ।