ବେଗୁନିଆରେ ବିଜେପି କାହାର? ପ୍ରକାଶ, ପ୍ରଶାନ୍ତ ନା ଯତୀନ, କିଏ ଧରିବ ବିଜେପି ମଙ୍ଗ

ସ୍ୱତନ୍ତ୍ର ପ୍ରତିନିଧି ଗୋବିନ୍ଦ ଚନ୍ଦ୍ର ପଣ୍ଡା: ବେଗୁନିଆ ବୋଲଗଡ଼ ବିଜେପି ରାଜନୀତିରେ ଘଡିକେ ଘୋଡା ଛୁଟୁଛି । କିଏ ବିଜେପି ମଙ୍ଗ ଧରିବ ତାକୁ ନେଇ ପ୍ରତିଯୋଗିତା ଆରମ୍ଭ ହୋଇଛି । ବେଗୁନିଆରେ ସଂଗଠନ କେତେ ବଢିଛି ତାର ହିସାବ କେଉଁ ନେତାଙ୍କ ପାଖରେ ନାହିଁ । କିନ୍ତୁ ୨୦୨୯ ପାଇଁ ଏବେଠୁ ଅଙ୍କକସା ଆରମ୍ଭ ହୋଇଯାଇଛି । ଯାହାକୁ ନେଇ ବେଗୁନିଆ ବୋଲଗଡ଼ କାର୍ଯ୍ୟକର୍ତା ମାନଙ୍କ ମଧ୍ୟରେ ଦ୍ୱନ୍ଦ ଦେଖାଦେଇଛି । ୨୦୨୪ରେ ପ୍ରକାଶ ବିଜୁଳୀ ଦଳୀୟ ଟିକେଟ ପାଇ ଲଢ଼ିଥିଲେ । ସ୍ୱାଭାବିକ ଭାବରେ ବେଗୁନିଆ ବୋଲଗଡ଼ ସାଙ୍ଗଠନିକ ଦାଇତ୍ୱ ରାଜ୍ୟର ଅନ୍ୟ ନିର୍ବାଚନ ମଣ୍ଡଳୀ ଭଳି ପ୍ରକାଶ ବୁଝିବା କଥା । ନିର୍ବାଚନର କିଛି ମାସ ପର୍ଯ୍ୟନ୍ତ ତାହା ହିଁ ଚାଲିଥିଲା କିନ୍ତୁ ହଠାତ ସାଂସଦ ଅପରାଜିତା ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ବେଗୁନିଆରେ ସାଙ୍ଗଠନିକ କାର୍ଯ୍ୟକ୍ରମ ବୁଝାସୁଝା ପାଇଁ ଦାଇତ୍ୱ ଦେଲେ । ଯେଉଁଥିପାଇଁ ପ୍ରଶାନ୍ତ ଜଗଦେବ ଖୋର୍ଦ୍ଧା ଅପେକ୍ଷା ବେଗୁନିଆ ନିର୍ବାଚନ ମଣ୍ଡଳୀରେ ଅଧିକ ଧ୍ୟାନ କେନ୍ଦ୍ରୀଭୂତ କରୁଛନ୍ତି । ସେହିପରି ପ୍ରଶାନ୍ତଙ୍କୁ ବେଗୁନିଆ ଦାଇତ୍ୱ ଦେବାପରେ ବିଭିନ୍ନ ଚର୍ଚ୍ଚା ଆଲୋଚନା ଜୋର ଧରିଛି । ବେଗୁନିଆ ବୋଲଗଡ଼ ନିର୍ବାଚନ ମଣ୍ଡଳୀରେ ପ୍ରକାଶ ନା ପ୍ରଶାନ୍ତ କିଏ ପାୱାରଫୁଲ ତାକୁ ନେଇ ଅଙ୍କକସା ଚାଲିଥିବା ବେଳେ ହଠାତ ପୁଣିଥରେ ଯତୀନ ମହାନ୍ତି ବେଗୁନିଆ ମୁଁହାଇଁଛନ୍ତି । ରାଜ୍ୟ ସାଧାରଣ ସମ୍ପାଦକ ତଥା ପ୍ରବକ୍ତା ଯତୀନ ମହାନ୍ତିଙ୍କର ରାଜ୍ୟ ବିଜେପିରେ ଭଲ କାଟତି ରହିଛି । ସେହିପରି ଦଳର ଉଚ୍ଚ ସ୍ତରୀୟ ବୈଠକରେ ଯତୀନ ମହାନ୍ତିଙ୍କୁ ଦେଖିବାକୁ ମିଳେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ସେ ଅତି ଘନିଷ୍ଠ । ବିଗତ ଦିନରେ ଦଳ ଯତୀନଙ୍କୁ ବେଗୁନିଆରୁ ପାର୍ଥି କରିଥିବା ବେଳେ ସେ ଖୁବ କମ ଭୋଟ ପାଇଥିଲେ । କିନ୍ତୁ ପରବର୍ତୀ ସମୟରେ ସେ ବେଗନିଆ ବୋଲଗଡ଼ ନିର୍ବାଚନ ମଣ୍ଡଳୀକୁ ଚଳଚଞ୍ଚଳ କରି ରଖିବା କାରଣରୁ ୨୦୧୭ ପଞ୍ଚାୟତ ନିର୍ବାଚନରେ ବିଜେପି ପାଖାପାଖି ୭୦ ହଜାର ଭୋଟ ଟାଣିବାରେ ସକ୍ଷମ ହୋଇଥିଲା । ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ଯତୀନ ସେତେବେଳେ ଜୋରଦାର ଝଟକା ଦେଇଥିଲେ । ଛଅଟି ଜିଲ୍ଲାପରିଷଦରୁ ତିନୋଟି ବିଜେପି ଖାତାକୁ ଯାଇଥିଲା । ଏହି ସଫଳତାକୁ ନେଇ ଯତୀନ ସ୍ୱାଭାବିକ ଭାବେ ଭାବିଥିଲେ ୨୦୧୯ ନିର୍ବାଚନରେ ତାଙ୍କୁ ଟିକେଟ ମିଳିବ କିନ୍ତୁ ଦଳ ରିଷଭ ନନ୍ଦଙ୍କୁ ଟିକେଟ ଦେଇଥିଲା । ରିଷଭ ନନ୍ଦ ଅପରାଜିତାଙ୍କ ସହ ମିଶି ସଂଗଠନ କାର୍ଯ୍ୟକୁ ଆଗେଇ ନେଉଥିବା ବେଳେ ଅଭିନେତ୍ରୀ ଅନୁ ଚୌଧୁରୀଙ୍କ ଆବିର୍ଭାବ ଘଟିଥିଲା । ସାରା ରାଜ୍ୟରେ ବିଜେପି ଭଲ ପଦର୍ଶନ କରିଥିବା ବେଳେ ବେଗୁନିଆରେ କିନ୍ତୁ ସେଭଳି ପ୍ରଭାବ ପରିଲିକ୍ଷିତ ହୋଇନଥିଲା । ଅପରାଜିତା ଷଡ଼ଙ୍ଗୀ ତାଙ୍କ ଭୋଟ ପାଇଥିଲେ ମଧ୍ୟ ୪୦ହଜାରରୁ ଉର୍ଦ୍ଧ ଭୋଟ ବ୍ୟବଧାନରେ ବିଜେଡି ପାର୍ଥି ପ୍ରଦୀପ ସାହୁ ବାଜିମାତ କରିଥିଲେ ।
ବୁଧବାର ବେଗୁନିଆରେ ଯତୀନ ମହାନ୍ତି ନିଜ ସମର୍ଥକଙ୍କୁ ଧରି ସକାଳେ ବେଗୁନିଆ ଓ ସନ୍ଧ୍ୟାରେ ବୋଲଗଡ଼ ବଜାରରେ ତ୍ରିରଙ୍ଗା ଶୋଭାଯାତ୍ରା କରିଥିଲେ । ଯେଉଁ ତ୍ରିରଙ୍ଗା ଯାତ୍ରାରେ ରାଜ୍ୟ କୃଷକ ମୋର୍ଚ୍ଚା କୋଷାଧକ୍ଷ ବିଶ୍ୱଜିତ ସ୍ୱାଇଁ, ପୂର୍ବତନ ଜିଲ୍ଲାପରିଷଦ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ସୁମିତ୍ରା ବାହିନୀପତିଙ୍କ ସହ ବେଗୁନିଆ ବୋଲଗଡ଼ର ବହୁ ପୁରୁଖା ବିଜେପି ନେତା ଓ କାର୍ଯ୍ୟକର୍ତା ସାମିଲ ଥିଲେ । ବେଗୁନିଆ ନିର୍ବାଚନ ମଣ୍ଡଳୀକୁ ନେଇ ଯତୀନ ମହାନ୍ତି ଅଙ୍କ କଷୁଥିବା ବେଳେ ବିଜେପିରେ ତିନି ଗୋଷ୍ଠୀ ଏବେ ଦଳ ପାଇଁ ଚିନ୍ତା ବଢାଇଛି । ତେବେ ବେଗୁନିଆ ବିଜେପିର ନେତୃତ୍ୱ କିଏ ନେବ ତାହା ସ୍ପଷ୍ଟ ହୋଇନଥିବା ବେଳେ ଏଭଳି ପରିସ୍ଥିତିରେ ଦଳ କିପରି ଆଗକୁ ଯିବ ତାହା ବିଜେପି ପ୍ରେମୀଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।