ବେସରକାରୀ ଜମି ସାଜିଛି ବାଧକ; ହେଇପାରୁନି ମହେଶ୍ୱରପୁର ବିଦ୍ୟାଳୟକୁ ରାସ୍ତା
ବ୍ରହ୍ମବରଦା: ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ବିଦ୍ୟାଳୟ ମାନଙ୍କୁ ୫-ଟିରେ ସାମିଲ କରି କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ଛାତ୍ରଛାତ୍ରୀ ମାନେ ସୁରୁଖୁରୁରେ ଯିବାଆସିବା ପାଇଁ ଫାଇବର ପ୍ୟାକିଂ ରାସ୍ତା ଠାରୁ ଆରମ୍ଭ କରି କଙ୍କ୍ରିଟ୍ ରାସ୍ତା ମଧ୍ୟ ନିର୍ମାଣ କରାଯାଉଛି । କିନ୍ତୁ ଏମିତି କିଛି ୫-ଟିରେ ସାମିଲ ସରକାରୀ ବିଦ୍ୟାଳୟ ରହିଛି ଯେଉଁଠିକୁ ଯିବାଆସିବା ପାଇଁ ରାସ୍ତାଟିଏ ନାହିଁ । ଯାହା ଦେଖିବାକୁ ମିଳିଛି ରସୁଲପୁର ବ୍ଲକ ଅଧିନ ମହେଶ୍ୱରପୁର ପଞ୍ଚାୟତରେ । ସୂଚନା ଥାଉ କି ୧୯୮୮ ମସିହାରେ ସ୍ଥାପିତ ଚାନ୍ଦପୁର ମହେଶ୍ୱରପୁର ସରକାରୀ ଉଚ୍ଚବିଦ୍ୟାଳୟରେ ଏବେ ମୋଟ ୧୭୪ ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । କିନ୍ତୁ ଦୁଃଖର କଥା ବିଦ୍ୟାଳୟକୁ ଯିବାଆସିବା କରିବା ପାଇଁ ଭଲ ରାସ୍ତା ଖଣ୍ଡିଏ ନାହିଁ । ବେସରକାରୀ ଜାଗାରେ ମାଟି କାଦୁଅ ରାସ୍ତା ଦେଇ ବର୍ଷବର୍ଷ ଧରି ଛାତ୍ରଛାତ୍ରୀ ବିଦ୍ୟାଳୟକୁ ଯିବାଆସିବା କରୁଛନ୍ତି । ଫଳରେ ଛାତ୍ରଛାତ୍ରୀ ମାନଙ୍କ ଠାରୁ ଆରମ୍ଭ କରି ବିଦ୍ୟାଳୟ କତ୍ତୃପକ୍ଷ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଶେଷ କରି ବର୍ଷା ଦିନ ଆସିଲେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଭାଳେଣି ପଡେ । କାରଣ ଆଣ୍ଠୁଏ ଲେଖାଏଁ ପାଣି କାଦୁଅରେ ପଶି ଉଭୟ ବିଦ୍ୟାର୍ଥୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ବିଦ୍ୟାଳୟକୁ ଯିବାଆସିବା କରିବା ବେଳେ ସାମାନ୍ୟ ଟିକେ ଅସାବଧାନତା ହେଲେ ଖାଳଖମାରେ ପଡିଯିବାର ସମ୍ଭାବନା ରହିଥାଏ । ସବୁଠୁ ଆଶ୍ଚର୍ଯ୍ୟ ଲାଗେ ଗୋଟିଏ ପଟେ ଉକ୍ତ ବିଦ୍ୟାଳୟ ଠାରୁ ମାତ୍ର କେଇ ହାତ ଦୂରରେ ଥିବା ବରୀ ଓ ଧର୍ମଶାଳା ନିର୍ବାଚନ ମଣ୍ଡଳୀର ସୀମାରେଖା ରାସ୍ତାଟି ଢଳେଇ ଉପରେ ଢଳେଇ ହେଉଥିବା ବେଳେ ଉକ୍ତ ବିଦ୍ୟାଳୟକୁ ରାସ୍ତା ନିର୍ମାଣ କଥା କାହାରି ନଜରକୁ ଆସୁନି । ଏନେଇ ମହେଶ୍ୱରପୁର ପଞ୍ଚାୟତ ସରପଞ୍ଚ ପ୍ରତିନିଧି ଅମୂଲ୍ୟ ପାତ୍ରଙ୍କୁ ପଚାରିବାରୁ ସେ କହିଥିଲେ କି ବିଦ୍ୟାଳୟର ସମ୍ମୁଖ ଫାଟକ ନିକଟ ଜମି ବେସରକାରୀ ଅଟେ । ଏହା ଜଣଙ୍କ ବ୍ୟକ୍ତିଗତ ମାଲିକାନାରେ ରହିଛି । ଯେହେତୁ ତାହା ଏକ ବେସରକାରୀ ତେଣୁ ସେଠାରେ ରାସ୍ତା ନିର୍ମାଣ ହେବା ସମ୍ଭବ ହୋଇପାରୁନାହିଁ । ଏଠାରେ ପ୍ରଶ୍ନ ଉଠୁଛି ଉକ୍ତ ବିଦ୍ୟାଳୟକୁ ଯିବାଆସିବା କରିବା ପାଇଁ ଯଦି ରାସ୍ତା ନଥିଲା ତାହେଲେ ଏକ ସରକାରୀ ବିଦ୍ୟାଳୟ ପ୍ରତିଷ୍ଠା ହେଲା କିପରି? ଯଦିବି ପ୍ରତିଷ୍ଠା ହେଲା ତାହେଲେ ଆଜି ପର୍ଯ୍ୟନ୍ତ ତାହା ସ୍ଥାୟୀ ସମାଧାନ କରାଯାଉ ନାହିଁ କାହିଁକି । କାରଣ ଏମିତିବି ବହୁ ଜାଗାରେ ଦେଖାଯାଇଛି କି ସର୍ବସାଧାରଣ ସ୍ୱାର୍ଥ ପାଇଁ ସରକାରଙ୍କ ତରଫରୁ ହେଉଥିବା ବିଭିନ୍ନ ସରକାରୀ ପ୍ରକଳ୍ପ ମଧ୍ୟରେ ରାସ୍ତାଘାଟ, ଗୃହ କିମ୍ୱା ସେତୁ ନିର୍ମାଣ କ୍ଷେତ୍ରରେ ଜଦି ବେସରକାରୀ ଜମି ପଡେ ତାହେଲେ ସରକାର ଉକ୍ତ ବ୍ୟକ୍ତିଙ୍କୁ ତାହାର ଉଚିତ ମୂଲ୍ୟ ଦେଇ ନିଜ ଅକ୍ତିଆରକୁ ନିଅନ୍ତି । କିନ୍ତୁ ତାହା ଆଜି ପର୍ଯ୍ୟନ୍ତ କରାଗଲା ନାହିଁ । ଯେଉଁଥି ପାଇଁ ବିଦ୍ୟାର୍ଥୀ ମାନେ ବର୍ଷବର୍ଷ ଧରି ତାହାର ପରିଣାମ ଭୋଗୁଛନ୍ତି । ତୁରନ୍ତ ଚାନ୍ଦପୁର ମହେଶ୍ୱରପୁର ସରକାରୀ ଉଚ୍ଚବିଦ୍ୟାଳୟକୁ ସ୍ଥାୟୀ ରାସ୍ତା ନିର୍ମାଣ କରିବା ପାଇଁ ଗ୍ରାମବାସୀ ଜିଲା ପ୍ରଶାସନ ନିକଟରେ ଦାବି କରିଛନ୍ତି ।