ସତ୍ତାର ଆଦିମ ଆକାଂକ୍ଷା

ଆଜ୍ଞା ନମସ୍କାର,
ଛୋଟ କଥାର ବଡ଼ ବିଚାର "ଅମୃତ ବିନ୍ଦୁ ।' "ଅମୃତ ବିନ୍ଦୁ'ର ଆଜିର ଅଧ୍ୟାୟରେ ଆମେ ଅନୁଶୀଳନ କରିବା ସତ୍ତାର ଆଦିମ ଆକାଂକ୍ଷାକୁ ନେଇ କିଛି ଅନୁଭବର କଥା । ଆଜିର କଥାକୁ ଆପଣ ଗ୍ରହଣ କରିବେ, ବିଚାରିବେ ବୋଲି ଆଶା । 
ମଣିଷ କେବଳ ବଞ୍ଚି ରହିବାକୁ ଚାହେଁନା, ସେ ଚାହେଁ ଜୀବନଟାକୁ ଉପଭୋଗ କରିବାକୁ ଏବଂ ଏହାକୁ ଚିରନ୍ତନ ଧରି ରଖିବାକୁ । ଏଥିରୁ ବୁଝାଯାଏ ଯେ ମଣିଷର କୌଣସି ଚିରନ୍ତନ ବସ୍ତୁ ଅଛି ବୋଲି । ନହେଲେ ତା'ର ଏହି ଆକାଂକ୍ଷା ରୁହନ୍ତା ନାହିଁ । ମଣିଷ କହିଲେ ଏଠି ତାର ସତ୍ତା ଏବଂ ଏହାର ବଞ୍ଚି ରହିବାଟାକୁ ହିଁ ଗୁରୁତ୍ୱ ଦିଆଯାଉଛି । କାରଣ ସତ୍ତାର ଆଦିମ ଆକଂକ୍ଷା ହେଲା-ଆତ୍ମ ସଂରକ୍ଷଣ, ଆତ୍ମପୋଷଣ ଓ ଆତ୍ମବିସ୍ତାର । ଏହାର ପରିପନ୍ଥୀ ଯାହା କିଛି ତାହା ସର୍ବଦା ବର୍ଜନୀୟ । ହେଲେ ସତ୍ତାର ଚାହିଦା ପୂରଣ କିପରି ହେବ ତାହା ହିଁ ମଣିଷକୁ ବଡ଼ ଦ୍ୱନ୍ଦ୍ୱରେ ପକାଇଦିଏ ।
ଜୀବନର ଅନେକ ସମସ୍ୟା ଭିତରେ ସେ ନିଜେ ଯେ ପରମାତ୍ମାଙ୍କର ଗୋଟିଏ ଅଂଶ ବୋଲି ଭୁଲିଯାଏ । କାରଣ ସେ ଭୋଗ ବିଳାସରେ ଲିପ୍ତ ରହିଯାଇ ଜୀବନର ଅସଲ ସ୍ୱରୂପକୁ ଜାଣିପାରେନି କି ଜାଣିବାକୁ ଚେଷ୍ଟା କରେନି ମଧ୍ୟ । ଶାସ୍ତ୍ରରେ ବର୍ଣ୍ଣିତ ଅଛି ଯେ ଧର୍ମ ମୂର୍ତ୍ତ ହୁଏ ଆଦର୍ଶରେ । ସେହି ଆଦର୍ଶରେ ହିଁ ସତ୍ତା ଜୀବିତ ରହିଥାଏ ଏବଂ ବୃଦ୍ଧି ପାଇଥାଏ । ସତ୍ତାର ସଂରକ୍ଷଣରେ ହିଁ ଜୀବନ ପରିପୁଷ୍ଟ ହୋଇଥାଏ । ଆଦର୍ଶର କଥା କହିବା ଏବଂ ଆଦର୍ଶକୁ ପାଳନ କରିବା ମଧ୍ୟରେ ଆକାଶାପାତାଳ ପ୍ରଭେଦ ରହିଛି । ଧର୍ମ ପାଳନ ଅର୍ଥ ନୁହେଁ ଖାଲି ଅରୁଆ ଖାଇ, ଗେରୁଆ ପିନ୍ଧି, ମଠ ମନ୍ଦିରରେ ରହିବା । ଏହା ଏକ ଉପଢ଼ୌକନ ହୋଇପାରେ; କିନ୍ତୁ ପ୍ରକୃତ ଧର୍ମ ହେଉଛି ବାସ୍ତବ ଜୀବନରେ ସକ୍ରିୟ ପରିପାଳନରେ ।   ତେଣୁ ନିଜେ  ଭଲରେ ବଞ୍ଚିବାକୁ ହେଲେ ନିଜକୁ ତଥା ପରିବାର ଏବଂ ପରିବେଶକୁ ସୁନ୍ଦର କରି ତୋଳିବାକୁ ହେବ । ଧର୍ମକୁ ଆଗରେ ରଖି ସବୁବେଳେ ଚାଲିବାକୁ ହେବ । ଅନ୍ୟଥା ସବୁକିଛି କଳ୍ପନାରେ ହିଁ ଫୁଟିବ, ବାସ୍ତବ ଜୀବନରେ କିଛିବି ପରିବର୍ତ୍ତନ ଆସିବ ନାହିଁ । ସତ୍ତାଟା କଳୁଷୂିତ ହୋଇଗଲେ ଜୀବନର ଅସଲ ମଜା ଆସିବ କାହୁଁ?
ପଢ଼ିଥିବା ହେତୁ ଆପଣଙ୍କ ନିକଟରେ କୃତଜ୍ଞ । ନମସ୍କାର ।