ବ୍ରହ୍ମବରଦା ଅଞ୍ଚଳରେ ଜୁଆ ଖେଳ ବୃଦ୍ଧି 

 ବ୍ରହ୍ମବରଦା: ବ୍ରହ୍ମବରଦା ଥାନାଞ୍ଚଳରେ ଦିନକୁଦିନ ଅସାମାଜିକ କାର୍ଯ୍ୟ କଳାପ ବୃଦ୍ଧି ପାଇବାରେ ଲାଗିଛି । ଅସାମାଜିକ କାର୍ଯ୍ୟ କଳାପ ମଧ୍ୟରେ ଜୁଆ ଖେଳ ଏକ ପ୍ରମୁଖ ମାଧ୍ୟମ ପାଲଟିଥିବା ବେଳେ, ଗ୍ରାମବାସୀଙ୍କ ମୁଣ୍ଡବିନ୍ଧାର କାରଣ ସାଜିଛି । ବିଶେଷ କରି ବ୍ରହ୍ମବରଦା ଅଞ୍ଚଳର ବହୁ ବେକାର ଯୁବକ ଏବେ ଅର୍ଥ ଲୋଭର ଶିକାର ହୋଇ ଏହି ଖେଳ ପ୍ରତି ଆକୃଷ୍ଟ ହେଉଥିବା ଦେଖିବାକୁ ମିଳୁଛି । ଯାହା ଦ୍ୱାରା ପ୍ରତିଦିନ ବ୍ରହ୍ମବରଦା ଅଂଚଳର କିଛି ନିର୍ଦ୍ଧିଷ୍ଟ ସ୍ଥାନରେ ବେଧଡ଼କ ଭାବେ ଜୁଆ ଖେଳ ଚାଲିଛି । ମୋଟାମୋଟି ଭାବେ କହିବାକୁ ଗଲେ ବ୍ରହ୍ମବରଦା ଗ୍ରାମ ଏବେ ଜୁଆଡି ମାନଙ୍କ ଆଡ୍ଡାସ୍ଥଳୀ ପାଲଟିଛି କହିଲେ ଚଳେ । ବ୍ରହ୍ମବରଦା ଅଞ୍ଚଳର ଜଣେ ବ୍ୟକ୍ତି ତାଙ୍କ ନାଁ ଲୁଚାଇ କହିଛନ୍ତି କି ବ୍ରହ୍ମବରଦା ୯ ନଂ ୱାର୍ଡ କିଶୋର କ୍ଲବ ନିକଟ, ୧୪ ନଂ ୱାର୍ଡ ବିଡିଶ୍ରମିକ ମେଡିକାଲ ପଛପଟେ ଥିବା ବଣ, ବ୍ରାହ୍ମଣୀ ନଦୀବନ୍ଧ ପହି ନିକଟ ଆକାସିଆ ଗଛ ବଣ ଭିତରେ ଏହି ଜୁଆ ଖେଳ ସବୁ ଅବାଧରେ ଚାଲିଛି । ଅପରପକ୍ଷେ ଦେଖିବାକୁ ଗଲେ ଗ୍ରାମର ଛାତି ଉପରେ ବ୍ରହ୍ମବରଦା ଥାନା ଥାଇ ମଧ୍ୟ ଜୁଆ ଖେଳ କିପରି ଓ କାହା ଇଙ୍ଗିତରେ ଚାଲିଛି ତାହା ଏବେ ବୁଦ୍ଧିଜୀବୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କିନ୍ତୁ ଏହି ଖେଳରେ ଲିପ୍ତରହି ଗ୍ରାମର ବହୁ ଯୁବକ ସର୍ବସ୍ୱାନ୍ତ ହେବାସହ ସେମାନଙ୍କ ଭବିଷ୍ୟତ ଅନ୍ଧାର ଭିତରକୁ ଠେଲି ଦେଉଥିବା ବେଳେ ଦୈନିକ ସେମାନଙ୍କ ପରିବାର ମଧ୍ୟରେ ଅଶାନ୍ତିର ବାତାବରଣ ଦେଖାଦେଉଛି । ଏନେଇ ବ୍ରହ୍ମବରଦା ଥାନା ଅଧିକାରିଣୀ ଅଂଶୁମାଳା ଦାସଙ୍କୁ ଫୋନ ଯୋଗେ ପଚାରିବାରୁ ସେ କହିଥିଲେ କି ଯଦି ବ୍ରହ୍ମବରଦା ଅଂଚଳରେ ଜୁଆଖେଳ ଚାଲୁଥିବ ତାହାଲେ ଆଗାମୀ ଦିନରେ ଜୁଆ ଆଡ୍ଡାସ୍ଥଳୀ ଉପରେ ଚଢାଉ କରାଯାଇ ଜୁଆଡି ମାନଙ୍କୁ ନିଶ୍ଚୟ କାବୁ କରାଯିବ ।