ବ୍ରହ୍ମବରଦା କଲେଜ ରୋଡ ଦୁର୍ଘଟଣାର ଜୋନ୍

 ବ୍ରହ୍ମବରଦା : ‘ସଡ଼କ ସୁରକ୍ଷା ଜୀବନ ରକ୍ଷା’ ଏଭଳି ସ୍ଲୋଗାନ ଦେଇ ସରକାର ସଡ଼କ ସୁରକ୍ଷା ସପ୍ତାହ ପାଳନ କରିଥାନ୍ତି । ଦିବସ ପାଳନରେ ବିଭିନ୍ନ ଅନୁଷ୍ଠାନ, ଶିକ୍ଷାନୁଷ୍ଠାନ ପ୍ରତିଷ୍ଠାନ, ସରକାରୀ କର୍ମଚାରୀ, ପରିବହନ ବିଭାଗ, ପୁଲିସ ସାମିଲ ହୋଇଥାନ୍ତି । ଛକବଜାରରେ ଗାଡ଼ି ଚାଳକଙ୍କୁ ଅଟକାଇ ସଡ଼କ ସୁରକ୍ଷା ସମ୍ଭନ୍ଧରେ ସଚେତନ କରିଥାନ୍ତି । ପ୍ରତ୍ୟେକ ବର୍ଷ ସଡ଼କ ସୁରକ୍ଷା ସପ୍ତାହରେ ଦୁର୍ଘଟଣା ଜନୀତ ମୃତୁ୍ୟ ସଂଖ୍ୟାଶୂନ ରଖିବାକୁ ଘୋଷଣା କରିଥାନ୍ତି । ହେଲେ ସପ୍ତାହ ଗଡ଼ିଯିବା ପରେ ସଚେତନକୁ ଗାଡ଼ିଚାଳକ, ପ୍ରଶାସନିକ ଅଧିକାରୀ ବା ସାଧାରଣ ଲୋକେ ଭୁଲିଯାଇଥାନ୍ତି । 
ବେପରୁଆ ଗାଡ଼ି ଚାଳନା ସାଙ୍ଗକୁ କିଛି ଅଞ୍ଚଳରେ ବିପର୍ଯ୍ୟସ୍ତ ରାସ୍ତା ଏବଂ ରାସ୍ତାରେ ବେଆଇନ ଭାବେ ଗାଡ଼ି ମୋଟର ରଖିବା କାରଣରୁ ରାସ୍ତା ଦୁର୍ଘଟଣା ଜୋନ ପାଲଟିଯାଇଥାଏ । ରସୁଲପୁର ବ୍ଲକ ବ୍ରହ୍ମବରଦା କଲେଜ ରୋଡ ହେଉଛି ବଡ଼ ଉଦାହରଣ । ଅଣଓସାରିଆ ଏକ ଥାକିଆ ରାସ୍ତା ସାଙ୍ଗକୁ ଭାରିଯାନ ଗୁଡିକର ବେପରୁଆ ଗାଡିଚାଳନା ଯୋଗୁ ଏହି ରାସ୍ତାରେ ଦୈନନ୍ଦିନ ଛୋଟବଡ ଦୁର୍ଘଟଣା ମାନ ଘଟୁଛି । ହିସାବ କହୁଛି ବର୍ଷକ ୬ବ୍ୟକ୍ତିଙ୍କ ମୁଣ୍ଡ ଗଡ଼ିବା ସହ ବହୁ ଧନଜୀବନ ହାନି ଘଟିଲାଣି । ଯାହା ଅଞ୍ଚଳ ବାସିନ୍ଦାଙ୍କ ପାଇଁ ଚିନ୍ତାର କାରଣ ହୋଇପଡ଼ିଛି । ବରୁଆଁ-ବାଲିଚନ୍ଦ୍ରପୁର ମୁଖ୍ୟ ରାସ୍ତାର ବ୍ରହ୍ମବରଦା କଲେଜ ରୋଡ ଜିଲାର ଅନ୍ୟତମ ବ୍ୟସ୍ତ ବହୁଳରାସ୍ତା । ଉକ୍ତ ରାସ୍ତା ଦେଇ ଦୈନିକ ସହ ସହ ସଂଖ୍ୟାରେ ଗାଡିମଟର ଯିବାଆସିବା କରିଥାନ୍ତି । ବିଶେଷ କରି ଆଇରନ ବୋଝେଇ ଟ୍ରକ, ବାଲି ବୋଝେଇ ହାଇବା, ଟ୍ରାକ୍ଟର, ଚିପ୍ସ ଓ ମେଣ୍ଟାଲ ବୋଝେଇ ଭାରିଯାନ ଗୁଡିକ ଆଦି ଦିନରାତି ଦୃତ ଓ ବେପରୁଆ ଢଙ୍ଗରେ ଯିବାଆସିବା କରିଥାନ୍ତି ।

କିନ୍ତୁ ବ୍ରହ୍ମବରଦା କଲେଜ ରୋଡର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ବ୍ରହ୍ମବରଦା +୨ ଓ +୩ କଲେଜ, ଥାନା, ବିଦୁ୍ୟତ ସବଷ୍ଟେସନ, ବହୁ ସରକାରୀ ଓ ବେସରକାରୀ ବିଦ୍ୟାଳୟ, ୨ଟି ପେଟ୍ରୋଲ ପମ୍ପ ସହିତ ଅନେକ ବ୍ୟବସାୟିକ ପ୍ରତିଷ୍ଠାନ ଥିବା ହେତୁ ଉକ୍ତ ରୋଡ ଦେଇ ଦୈନିକ ସହ ସହ ସ୍କୁଲ କଲେଜ ଛାତ୍ରୀଛାତ୍ର, ବ୍ୟବସାୟୀ, ପଥଚାରୀ, ବାଇକ ଆରୋହୀ ଆଦି ଯିବାଆସିବା କରିବା ସମୟରେ ଅକାରଣରେ ଦୁର୍ଘଟଣାର ଶିକାର ହୋଇ ନିଜଜୀବନ ହରାଇଥାନ୍ତି । ବିଗତ ଦିନର ଘଟଣାକ୍ରମକୁ ଦେଖିବାକୁ ଗଲେ ଗଲା ବର୍ଷକ ମଧ୍ୟରେ ଉକ୍ତ କଲେଜ ରୋଡରେ ବହୁ ସଡ଼କ ଦୁର୍ଘଟଣା ମାନ ଘଟି ଛଅ ଛଅ ଜଣଙ୍କର ନିରୀହ ଲୋକଙ୍କ ଜୀବନ ଯାଇଥିବା ବେଳେ ବହୁ ଧନଜୀବନ ହାନି ସହ ଅନେକ ଲୋକ ସେମାନଙ୍କ ଅମୂଲ୍ୟ ଅଙ୍ଗ ହରାଇ ଦୁର୍ବିସହ ଜୀବନ କାଟୁଛନ୍ତି । ଏହି କ୍ରମରେ ଗତ ୨୦୨୪ ମାର୍ଚ୍ଚ ୧୧ରେ ବରୁଆଁ ସଦରଥାନା ଅନ୍ତର୍ଗତ ସାମନ୍ତରାପୁର ପଞ୍ଚାୟତ କୂଳଗାଁ ଗ୍ରାମର ଲକ୍ଷ୍ମଣ ତରାଇଙ୍କ ପୁଅ ସଂଜୟ (୨୨)ବାଇକ ଯୋଗେ ସାଙ୍ଗମାନଙ୍କ ସହ ଏକ ବିବାହ କାର୍ଯ୍ୟରେ ଯୋଗ ଦେବାପାଇଁ ବାଲିଚନ୍ଦ୍ରପୁର ଅଭିମୁଖେ ଯାଉଥିବା ସମୟରେ କଲେଜ ରୋଡର ଇଣ୍ଡିଆନ୍ ପେଟ୍ରୋଲ ପମ୍ପ ନିକଟରେ ବିପରୀତ ଦିଗରୁ ଦୃତ ଗତିରେ ଆସୁଥିବା ଏକ ୪୦୭ ମିନି ଟ୍ରକ ତାଙ୍କୁ ସମ୍ମୁଖରୁ ଧକ୍କା ଦେଇଥିଲା । ଯାହାଫଳରେ ଘଟଣାସ୍ଥଳରେ ସଂଜୟଙ୍କ ମୃତୁ୍ୟ ଘଟିଥିଲା । ସେହିପରି ୨୦୨୪ ମାର୍ଚ୍ଚ ମାସ ୩୧ରେ ବ୍ରହ୍ମବରଦା ଥାନା ଅଧିନ ମଙ୍ଗଳପୁର ପଞ୍ଚାୟତ ନାଳକୂଳ ଗ୍ରାମର ଶିବ ଦାସଙ୍କ ବିବାହିତ ପୁଅ ହେମନ୍ତ (୩୬) ନିଜ ବାଇକ ଯୋଗେ ଗ୍ରାମରୁ ରାସ୍ତା ଉପରକୁ ଉଠୁଥିବା ସମୟରେ କଲେଜ ରୋଡର କୁକୁଡା ଫାର୍ମ ନିକଟରେ ଏକ ଦ୍ରୁତଗାମୀ ଜେସିବି ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ହେମନ୍ତଙ୍କ ଜୀବନ ଦୀପ ଲିଭି ଯାଇଥିଲା । ଉକ୍ତ ଦୁଇଟି ଘଟଣା ଲୋକଙ୍କ ମନରୁ ନ ଲିଭୁଣୁ ଗତ ବର୍ଷ ନଭେମ୍ବର୨୭ରେ ମଧ୍ୟ ବ୍ରହ୍ମବରଦା କଲେଜ ରୋଡର ସାନ ପୋଖରି ନିକଟରେ ଅନ୍ୟ ଏକ ହୃଦୟ ବିଦାରକ ଦୁର୍ଘଟଣା ସମସ୍ତକୁ ଥରେଇ ଦେଇଥିଲା । ଧର୍ମଶାଳା ଥାନା ଅଧିନ ଅରାବଳ ପଞ୍ଚାୟତ ସାନବାଲିକୁଦା ଗ୍ରାମର ବ୍ରଜକିଶୋର ନାୟକଙ୍କ ପୁଅ ତଥା ବ୍ରହ୍ମବରଦା +୩ କଲେଜର ଦିତୀୟ ବର୍ଷର ଛାତ୍ର ବିରେନ୍ଦ୍ର (୧୮)ଏକ ସ୍କୁଟି ଯୋଗେ ବ୍ରହ୍ମବରଦା କଲେଜ ଅଭିମୁଖେ ଯାଉଥିବା ସମୟରେ ଏକ ଅଜଣା ଗାଡି ଧକ୍କା ଦେଇ ଖସି ପକାଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ଛାତ୍ର ଜଣଙ୍କର ଅକାଳ ବିୟୋଗ ଘଟିଥିଲା । ଗତ ବର୍ଷ ମଧ୍ୟ ଅନ୍ୟଏକ ଦୁର୍ଘଟଣାରେ ମଙ୍ଗରାଜପୁର ପଞ୍ଚାୟତର ଜଣେ ଯୁବକଙ୍କ ଜୀବନ ଯାଇଥିଲା । ସେ ବାଇକ ଯୋଗେ ଆସୁଥିବା ସମୟରେ ବ୍ରହ୍ମବରଦା କଲେଜ ସମ୍ମୁଖରେ ଏକ ଟାଟା ଏସି ତାଙ୍କୁ ଧକ୍କା ଦେଇଥିଲା ଓ ତାଙ୍କ ପ୍ରାଣବାୟୁ ଉଡିଯାଇଥିଲା । ସେହିପରି ଚଳିତ ବର୍ଷ ଫେବ୍ରୁଆରି ୧୮ରେ କୁଆଖିଆ ଥାନା ଅଧିନ ଅତଲାପୁର୍ ଗ୍ରାମର ସେକ୍ ନେହାଲଉଦ୍ଦିନ(୪୨) ନାମକ ଯୁବକ ନିଜ ପନôୀ ଓ ଝିଅଙ୍କୁ ନେଇ ବାଇକ ଯୋଗେ ନିଜ ଶଶୁର ଘର ଅଲତି ଅଭିମୁଖେ ଯାଉଥିବା ସମୟରେ କଲେଜ ରୋଡର ଇଲେକ୍ଟ୍ରି ସବ ଷ୍ଟେସନ୍ ନିକଟରେ ବିପରୀତ ଦିଗରୁ ବେପରୁଆ ଢଙ୍ଗରେ ଆସୁଥିବା ଏକ ଦ୍ରୁତଗାମୀ କାର ତାଙ୍କୁ ଖୁବ ଜୋରସେ ଧକ୍କା ଦେଇଥିଲା । ଫଳରେ ତାଙ୍କ ପନôୀ ଓ ଝିଅ ଗୁରୁତର ଆହତ ହୋଇଥିବା ବେଳେ ନେହାଲଙ୍କ ପ୍ରାଣବାୟୁ ଉଡିଯାଇଥିଲା । ଆଉ ମାତ୍ର ୫ ଦିନ ପୂର୍ବରୁ ଚଳିତ ମେ ମାସ ୬ତାରିଖ ମଙ୍ଗଳବାର ସଦ୍ୟ ଘଟିଥିବା ଦୁର୍ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ବ୍ରହ୍ମବରଦା ଥାନା ଅଧିନ ଝାଲପଡା ପଞ୍ଚାୟତ କାକୁଡିକୁଦ ଗ୍ରାମର ଚିନ୍ମୟ ପତି(୪୫)ନାମକ ଜଣେ ଯୁବକ ଉକ୍ତ କଲେଜ ରୋଡର ସାନ ପୋଖରି ନିକଟରେ ବାଇକ ଯୋଗେ ଯାଉଥିବା ସମୟରେ ରାସ୍ତା ଉପରେ ପୂର୍ବରୁ ବେଆଇନ ଭାବେ ଗଦା ହୋଇଥିବା ବାଲି ଓ ଚିପ୍ସ ସଂସ୍ପର୍ଶରେ ଆସି ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲେ । ଯାହାଦ୍ୱାରା ଚିନ୍ମୟଙ୍କ ମୁଣ୍ଡ, ବେକ ଓ କାନରେ ଖୁବ ଜୋରସେ ଆଘାତ ଲାଗିଥିଲା । ସେ କଟକର ଏକ ଘରୋଇ ମେଡିକାଲରେ ରହି ଚିକିତ୍ସିତ ହେଉଥିଲେ । ମାତ୍ର ଦୁଃଖର କଥା ଗଲା ଶୁକ୍ରବାର ସେଠାରେ ତାଙ୍କର ମୃତୁ୍ୟ ଘଟିଥିବା ଜଣାପଡିଛି । ଅନ୍ୟ ପକ୍ଷରେ ବର୍ଷକ ମଧ୍ୟରେ ବ୍ରହ୍ମବରଦା କଲେଜ ରୋଡରେ ଘଟିଥିବା ଏହି ହୃଦୟ ବିଦାରକ ଦୁର୍ଘଟଣା ଗୁଡିକୁ ଅନୁଧ୍ୟାନ କଲେ ଜଣାପଡ଼ୁଛିକି ଉକ୍ତ ରାସ୍ତାଟି ଏବେ ମରଣ ଯନ୍ତା ପାଲଟିଥିବା ବେଳେ ଅଭିଶପ୍ତ ପରି ମନେ ହେଉଛି । ସଂକୀର୍ଣ୍ଣ ଏକ ଥାକିଆ ରାସ୍ତା, ଦୃତ ଓ ବେପରୁଆ ଢଙ୍ଗରେ ଗାଡି ଚାଳନା, ରାସ୍ତା ଉପରେ ଠିକାଦାରଙ୍କ ବେଆଇନ ଭାବେ ବାଲି ଓ ଚିପ୍ସ ଗଦା କରିବା ଏଥିପାଇଁ ପ୍ରମୁଖ ଦାୟୀ ବୋଲି ସାଧାରଣରେ ଆଲୋଚନା ହେଉଛି । କିନ୍ତୁ ଏଠାରେ ପ୍ରଶ୍ନ ଉଠୁଛି ଜିଲାର ଅନ୍ୟତମ ବ୍ୟସ୍ତ ବହୁଳ ଉକ୍ତ ରାସ୍ତା ଉପରେ ଏପରି ବେପରୁଆ ଢଙ୍ଗରେ ବାଲି ଚିପ୍ସ ଗଦା କରିବାକୁ କାହାକୁ କିଏ ଅନୁମତି ଦେଇଛି । ଯେଉଥିପାଇଁ ସାଧାରଣ ଲୋକେ ଏବେ ଶୁନ ଦଣ୍ଡ ଭୋଗୁଛନ୍ତି । ତା ସହିତ କଲେଜ ରୋଡର ମାତ୍ର ସହେ କି ଦେଢ ସହ ମିଟର ଦୂରରେ ବ୍ରହ୍ମବରଦା ଥାନା ଥାଇ ମଧ୍ୟ ଉକ୍ତ ଅଞ୍ଚଳରେ ଭାରିଯାନ ଗୁଡ଼ିକ କିପରି ଦ୍ରୁତ ଗତିରେ ଚଳାଚଳ କରୁଛି ତାହା ସବୁଠୁ ବଡ଼ ପ୍ରଶ୍ନ । ଚାଳକମାନଙ୍କ ଉପରେ ଯେପରି କୌଣସି ଲଗାମ ନାହିଁ ଏଥରୁ ଅନୁମେୟ ହେଉଛି । ଯେଉଥିପାଇଁ ଦିନକୁ ଦିନ ଅକାରଣରେ ନିରୀହ ଲୋକଙ୍କ ମୁଣ୍ଡ ଗଡୁଛି । କାରଣ ବ୍ରହ୍ମବରଦା ଥାନା ପକ୍ଷରୁ ସଡ଼କ ସୁରକ୍ଷା କିମ୍ବା ଦୃତ ଗତିରେ ଗାଡି ଚାଳନାକୁ ନେଇ ପୂର୍ବରୁ କୌଣସି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାର ନଜିର ନାହିଁ । ଯାହାଫଳରେ ଗାଡି ଚାଳକ ବେଧଡ଼କ ଭାବେ ଦୃତ ଗତିରେ ଗାଡି ଚଳାଚଳ କରିଥାନ୍ତି ଓ ଦୁର୍ଘଟଣା ଘଟାଇ ସୁରୁଖୁରୁରେ ଖସି ପଳାଇଥାନ୍ତି । ଆଗାମୀ ଦିନରେ ବ୍ରହ୍ମବରଦା ପୁଲିସ ପକ୍ଷରୁ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନତା କରାନଗଲେ ଅକାରଣରେ ଅନେକ ଜୀବନ ଦୀପ ଲିଭିଯିବ ଏଥିରେ ସନେ୍ଦହ ନାହିଁ ।