ପ୍ରକୃତି ଉପାସନାର ଅନନ୍ୟ ପର୍ବ ‘କରମା’ 


ଦାନଗଦୀରୁ ଶ୍ରୀକାନ୍ତ ମହାପାତ୍ର : ଓଡିଶାରେ ବାର ମାସରେ ତେର ପର୍ବ ପାଳନ କରାଯାଏ । କିନ୍ତୁ ଗଛଡାଳକୁ ନେଇ ପାଳନ କରାଯାଉଥିବା ପ୍ରକୃତି ଉପାସନାର ଅନନ୍ୟ ପର୍ବ "କରମା "ବେଶ ସ୍ୱତନ୍ତ୍ର । ଏହିପର୍ବ ସାଧାରଣତଃ ପ୍ରକୃତିକୁ ବିଶ୍ୱାସ ରଖୁଥିବା କୁଡୁମୀ ସମ୍ପ୍ରଦାୟର ପ୍ରମୁଖ ପର୍ବ ହୋଇଥିବାବେଳେ କୁଡୁମୀ ସମେତ ଓରାମ, କମାର, କୁମ୍ଭାର, ହୋ, ମୁଣ୍ଡା ଭୂମିଜ, ସାନ୍ତାଳୀ ମୁଣ୍ଡାରୀ ଏବଂ ରାଉତିଆ ପରି ଅନେକ ଆଦିବାସୀ ସମ୍ପ୍ରଦାୟର ଲୋକମାନେ ପାଳନ କରିଥାନ୍ତି । ସମ୍ଭାବନା ଓ ଅଙ୍କୁରୋଦମର ପ୍ରତୀକ ଭାବେ ପରିଚିତ କରମା ପର୍ବ । ବିଭିନ୍ନ ସମୟରେ ସୃଷ୍ଟିର ବାସ୍ତବ ତତ୍ୱକୁ ପ୍ରତିକାତ୍ମକ ଭାବେ ଉପସ୍ଥାପନ କରୁଥିବା ଏହି ପର୍ବକୁ କୁଡୁମି ସଂପ୍ରଦାୟର ଲୋକମାନେ କେଉଁ ପ୍ରାଚୀନ କାଳରୁ ପାଳନ କରି ଆସୁଛନ୍ତି । ଭାଦ୍ରବ ମାସ ଶୁକ୍ଳ ପକ୍ଷ ଏକାଦଶୀ ତିଥିରେ ପାଳନ ହେଉଥିବା କରମ ପର୍ବ ଓଡିଶାର ମୟୁରଭଞ୍ଜ, କେଉଁଝର, ସୁନ୍ଦରଗଡ଼, ଦେବଗଡ଼ ଏବଂ ଯାଜପୁର ପ୍ରଭୃତି ଜିଲାରେ ବସବାସ କରୁଥିବା ଉପରୋକ୍ତ ସମ୍ପ୍ରଦାୟର ଲୋକମାନେ ହର୍ଷ ଉଲ୍ଲାସରେ ପାଳନ କରିଥାନ୍ତି । ଏହି ପର୍ବରେ କରମ ରାଜା ବା କରମ ବୃକ୍ଷକୁ ପୂଜା କରାଯାଏ । ଏହା ପ୍ରକୃତି ଉପାସନାକୁ ପ୍ରମାଣ କରେ । ପୂଜାରେ କୌଣସି ବୈଦିକ ମନ୍ତ୍ର କିମ୍ବା ବ୍ରାହ୍ମଣ ପୁରୋହିତଙ୍କ ଆବଶ୍ୟକତା ନଥାଏ । କରମ ବୃକ୍ଷର ଦୁଇଟି ଡାଳ ହିଁ ଯଥେଷ୍ଟ । ପ୍ରାଚୀନ କାଳରେ ବୃକ୍ଷକୁ ଗ୍ରାମ କୁହାଯାଉଥିଲା । ସେହି ସମୟରେ, ଖାଦ୍ୟ ଏବଂ ଜଳ ସନ୍ଧାନରେ ସ୍ଥାନରୁ ଅନ୍ୟ ସ୍ଥାନକୁ ବୁଲିବା ପରେ ଲୋକମାନେ ଏକ ନିର୍ଦ୍ଦିଷ୍ଟ ଗଛ ତଳେ ରହି ରାତି କଟାଉଥିଲେ । ଏକ ଗଛ ମୂଳରେ ରହୁଥିବା ସମସ୍ତ ଲୋକଙ୍କୁ ଗ୍ରାମବାସୀ କୁହାଯାଉଥିଲା ସେତେ ବେଳେ ବୃକ୍ଷ ପୂଜାକୁ ଗ୍ରାମ ପୂଜା କୁହାଯାଉଥିଲା । ପରେ, ଗାଁ ନିର୍ମାଣ ପରେ ଗ୍ରାମବାସୀଙ୍କ ଦ୍ୱାରା ପୂଜାପାଠକୁ ଗ୍ରାମ-ପୂଜା କୁହାଯାଏ । ଯାହାକି କୁଡମି ପ୍ରାଧାନ୍ୟ ପ୍ରାପ୍ତ ଗ୍ରାମଗୁଡିକରେ ବି ପ୍ରଚଳିତ । କରମ ପୂଜା କରମ ନାମକ ଏକ ଗଛର ପ୍ରକୃତି ପରି ଡାଳର ଉପାସନା । କରମ ପୂଜା ହେଉଛି ଏକ ମହାନ ପୂଜା ଏବଂ କୃଷି ସମ୍ବନ୍ଧୀୟ ପର୍ବ । ସବୁଜ କ୍ଷେତ ଦେଖିବା ପରେ କୃଷକ ମାନେ ଖୁସି ଅନୁଭବ କରନ୍ତି, କିନ୍ତୁ ଫସଲ ନଷ୍ଟ ହେବାର ଭୟ ମଧ୍ୟ ଅଛି । ଏହାକୁ ଏଡାଇବା ପାଇଁ ପ୍ରକୃତି ଉପାସକ, ପରିଶ୍ରମୀ କୁଡୁମୀ ମାନେ କରମ ବୃକ୍ଷକୁ ସେମାନଙ୍କର ଦେବତା ଭାବରେ ବାଛିଥିଲେ ଏବଂ ଭାଦ୍ରବ ଶୁକ୍ଲ ଏକାଦଶୀ ତିଥିରେ ଏହାକୁ ପୂଜା କରିବା ଆରମ୍ଭ କରିଥିଲେ । ଯେତେ ବେଳେ ପର୍ବ ପାଳନ କରିବାକୁ ଘର ବାହାରେ ଜଙ୍ଗଲକୁ ଯିବା ଅସୁବିଧାଜନକ ହେଲା ଏଣୁ ଲୋକମାନେ ଜଙ୍ଗଲରୁ କରମ ଗଛର ଡାଳ ଆଣି ଘରର ପ୍ରାଙ୍ଗଣରେ ସ୍ଥାପିତ କରି ପୂଜା ଆରମ୍ଭ କଲେ । ଏହି ପର୍ବରେ କୁଆଁରୀ କନ୍ୟା, ନବବିବାହିତା ଓ ସନ୍ତାନପ୍ରାପ୍ତି ହେଉନଥିବା ନାରୀମାନେ ବ୍ରତ ରଖି ପାଳନ କରିଥାନ୍ତି । ଏହା ସାଧାରଣତଃ ଏକ ସପ୍ତାହ ଧରି ପାଳନ କରାଯାଇଥାଏ । କର୍ମବ୍ୟସ୍ତତା ମଧ୍ୟରେ ନିଜ ନିଜ ସୁବିଧା ଅନୁଯାୟୀ ତିନି, ପାଞ୍ଚ ଓ ସାତ ଦିନିଆ ଜାୱା ଉଠାଯାଇଥାଏ । କୁଆଁରୀ କନ୍ୟା ତଥା ବ୍ରତଧାରି ଉପାସି ମାନେ ନିକଟସ୍ଥ ନଦୀ, ଝରଣା ପୁଷ୍କରିଣୀରୁ ବାଲି ଉଠାଇ ଏକ ଡାଲାରେ ରଖିଥାନ୍ତି । ଏଥିରେ ବିଭିନ୍ନ ପ୍ରକାରର ଶସ୍ୟ ଜାତୀୟ ବିହନ ଯଥା ମୁଗ, ବିରି, ମକା, କୋଳଥ ଗଙ୍ଗେଇ ଦେଇ ଜାଓା୍ୱ ପ୍ରସ୍ତୁତ କରିଥାନ୍ତି । ଏହି ଜାୱା କରମତି ବ୍ୟତୀତ ଅନ୍ୟମାନଙ୍କୁ ଛୁଇଁବାକୁ ମନା ହୋଇଥିବା ବେଳେ ଏହି ଜାୱାକୁ କରମତି ମାନେ ଗୀତ ଗାଇ ନାଚି ନାଚି ଜାୱା ଘରକୁ ଅଣାଯାଇଥାଏ । ଏହାପରେ କରମା ବୃକ୍ଷର ଡାଳକୁ ଆଣି ଆଖଡାରେ ସ୍ଥାପନା କରାଯାଇଥାଏ । ଏହାପରେ କରମୁ(କର୍ମ)ଏବଂ ଧରମୁ(ଧର୍ମ)ଙ୍କ ଏକ ଶୈକ୍ଷିକ କାହାଣୀ କୁହାଯାଏ । କରମତି ମାନେ କରମା ପର୍ବଦିନ ନିର୍ଜଳ ଉପବାସ କରି ଏହି ବ୍ରତ ପାଳନ କରିଥାନ୍ତି । ସନ୍ଧ୍ୟାରେ କରମା କାହାଣୀ ଆଲୋଚନା ପରେ ଦେହୁରୀ କର୍ମ ତୁଲାଥିବା ଗାଁ ମୁଖିଆ ବା ବୁଦ୍ଧିଜୀବୀଙ୍କୁ ଉପାସିନୀମାନେ ଦାନକର୍ମ କରିଥାନ୍ତି । ଏହାପରେ ସମସ୍ତେ ମିଶି ଲୋକଗୀତର ତାଳେ ତାଳେ ମସଗୁଲ ହୋଇ ରାତିସାରା ଉଜାଗର ହୋଇ ନାଚଗୀତ କରିଥାନ୍ତି । ଏହି ପ୍ୱର୍ର ବିଶେଷତ୍ୱ ହେଉଛିଯେ ଲୋକଙ୍କୁ କର୍ମମୁଖି କରିବା ଏବଂ ଉପଯୁକ୍ତ କର୍ମ ମାଧ୍ୟମରେ ଉପଯୁକ୍ତ ଫଳ ପାଇବା ପାଇଁ ପ୍ରେରିତ କରିବା । ତେଣୁ କରମ ଦର୍ଶନ ଏହା ସୂଚିତ କରେ ଯେ ଜଣେ ଯଦି ଉପଯୁକ୍ତ କର୍ମ ସମ୍ପାଦନ କରିବ ତେବେ ତାକୁ ଉପଯୁକ୍ତ ଫଳ ପ୍ରାପ୍ତ ହେବ । ତେବେ ଆଧୁନିକତା ଭିତରେ କ୍ରମଶଃ ହଜିଯାଉଛି ଲୋକସଂସ୍କୃତି ଏବଂ ପରମ୍ପରା । ଯୁବପୀଢ଼ି ଚାହିଁଲେ ପୁଣିଥରେ ଫେରିପାଇବ ଲୋକକଳା ଏବଂ ଉଜ୍ଜୀବିତ ରହିପାରିବ ସଂସ୍କୃତି ଏବଂ ପରମ୍ପରା ବୋଲି ମତ ରଖନ୍ତି ସାମାଜିକ କର୍ମୀ ତଥା ସଂସ୍କୃତି ଗବେଷକ ଲଲାଟେନ୍ଦୁ ମହାନ୍ତ ଓ ମହାନ୍ତ ସଂପ୍ରଦାୟର ବୁଦ୍ଧିଜୀବୀ ।