ମୋରମ ବୋଝେଇ ୬ ହାଇୱା ଜବତ
ଆନନ୍ଦପୁର : ସୋସ ପୁଲିସ ମୋରମ ଚୋରା ଚାଲାଣ ଅଭିଯୋଗରେ ୬ହାଇୱା ଜବତ କରିଛି । ସୂଚନା ଅନୁଯାୟୀ ବିଳମ୍ବିତ ରାତିରେ ବେଆଇନ ଭାବେ ମୋରମ ହାଇୱା ଗୁଡିକ ଯାଉଥିବା ନେଇ ସୋସ ପୁଲିସ ନିକଟରେ କୌଣସି ସୂତ୍ରରୁ ଖବର ପହଁଚିଥିଲା । ଯଦ୍ୱାରା ପୁଲିସ ଆଗରୁ ସତର୍କ ହୋଇଯାଇଥିଲା । କେନ୍ଦୁଝର ଜିଲା ସୀମାନ୍ତ ଝୁଣାବାଡି, ମହୁଲପଙ୍ଖା ଅଂଚଳରେ ମୋରମ୍ ମାଫିଆ ପ୍ରତିଦିନ ଟ୍ରିପ୍ ଟ୍ରିପ୍ ମୋରମ ଉଠାଇ କେନ୍ଦୁଝର, ବାଲେଶ୍ୱର ଓ ଭଦ୍ରକ ଜିଲାକୁ ଚାଲାଣ କରିଥାନ୍ତି । ଅଞ୍ଚଳଟି ତିନୋଟି ଜିଲାର ସୀମାନ୍ତ ହେଉ ଥିବାରୁ ଏଠାରେ ଖଣି ବିଭାଗର ଚଢ଼ାଉ ପ୍ରାୟତ ହୋଇ ନଥାଏ । କେତେ ବେଳେ କିପରି ପୁଲିସ ଚଢ଼ାଉ କରିଥାଏ । ବାଲେଶ୍ୱର ଜିଲା ଖଇରା ପୁଲିସ ଚଢ଼ାଉ ବେଳେ ଏମାନେ କେନ୍ଦୁଝର ଜିଲା ଅଞ୍ଚଳକୁ ତ କେତେ ବେଳେ କେନ୍ଦୁଝର ଜିଲାର ସୋସ ପୁଲିସ ଚଢ଼ାଉ କଲେ ଏମାନେ ବାଲେଶ୍ୱର ଜିଲା ସୀମାକୁ ପଳାଇ ଲୁଚକାଳି ଖେଳ ଖେଳିଥାନ୍ତି । ଅନେକବାର ପୁଲିସ ଚଢ଼ାଉ କରୁଥିଲେ ବି ଏମାନଙ୍କୁ ଧରିବାରେ ସଫଳ ହୁଏନି । ଗତକାଲି ରାତିରେ ଖଇରା ଅଞ୍ଚଳରେ ମୋରମ ଉତ୍ତୋଳନ କରିବା ସମୟରେ ଖଇରା ପୁଲିସ ଅତର୍କିତ ଚଢ଼ାଉ କରିବା ଜାଣି ଏମାନେ କେନ୍ଦୁଝର ଜିଲା ପଢିଆରିପଲ୍ଲୀ ପଞ୍ଚାୟତ ଝୁଣାବାଡି ଅଞ୍ଚଳକୁ ପଳାଇ ଆସିଥିଲେ । ଖବରପାଇ ସୋସ ଥାନା ଆଇଆଇସି ବିଜୟ କୁମାର ବିହାରୀ ସଦଳବଳେ ଚଢ଼ାଉ କରି ଝୁଣାବାଡି ନିକଟରୁ ୬ଟି ହାଇୱା ଓ ଡମ୍ପରକୁ ଅଟକ ରଖିଥିଲେ । ଡ୍ରାଇଭର ଗାଡ଼ି ଛାଡି ପଳାଇବାରେ ସକ୍ଷମ ହୋଇଥିଲେ । ମାଫିଆ ପୁଲିସ ନିକଟରୁ ଗାଡ଼ି ଗୁଡିକୁ ନେଇ ଯିବାକୁ ଅନେକ କସରତ କରିଥିଲେ ବି ସଫଳ ହୋଇନଥିଲେ । ସୋସ ପୁଲିସ ଜବଦ ଗାଡ଼ି ଗୁଡିକୁ ଥାନା ପରିସରକୁ ଆଣିଥିବା ବେଳେ କେସ ନଂ ୯୯/୨୦୨୫ରେ ଏକ ମାମଲା ରୁଜ୍ଜୁ କରିଥିବା ଆଇଆଇସି ବିଜୟ କୁମାର ବିହାରୀ କହିଛନ୍ତି ।