ଧର୍ମେନ୍ଦ୍ର ପ୍ରଧାନଙ୍କ ପୁତୁରା କହି ଲୋକଙ୍କୁ ଚୁନ ; ଠକକୁ ହୋଟେଲରୁ ଧରିଲେ ଲୋକେ

ଭୁବନେଶ୍ୱର, ୫ା୯: ମୁଁ ହେଉଛି ଧର୍ମେନ୍ଦ୍ର ପ୍ରଧାନଙ୍କ ପୁତୁରା । ମୋର ବହୁତ ନେତାମନ୍ତ୍ରୀ ଚିହ୍ନା ଅଛନ୍ତି । ତୁମର ଚାକିରି କରାଇଦେବି, ଟ୍ରାନ୍ସଫର କରିଦେବି, ପେଟ୍ରୋଲ ପମ୍ପ ବି ଖୋଲିଦେବି । ଏପରି କହି ବହୁ ଲୋକଙ୍କୁ ଲକ୍ଷାଧୀକ ଟଙ୍କାର ଚୁନ ମାରିଥିବା ଜଣେ ଠକଙ୍କୁ ବାନ୍ଧିଛି କ୍ୟାପିଟାଲ ଥାନା ପୁଲିସ । ଏହି ଠକ ଜଣକ ରାହୁଲ ସାହୁ ବୋଲି ଜଣା ପଡିଥିବା ବେଳେ, ସେ କିନ୍ତୁ ଲୋକଙ୍କୁ ଭିନ୍ନ ଭିନ୍ନ ପରିଚୟ ଦେଉଥିଲେ । ନିଜ ସୋଶାଲ ମିଡିଆରେ ବଡ ବଡ ନେତାମନ୍ତ୍ରୀଙ୍କ ପାଖରେ ଛିଡା ହୋଇଥିବା ଫଟୋ ପୋଷ୍ଟ କରୁଥିଲେ । ତାହାକୁ ଦେଖାଇ ସେ ସେମାନଙ୍କର ଖାସ୍ ଲୋକ ବୋଲି ଲୋକଙ୍କୁ ପରିÿୟ ଦେଉଥିଲେ । ଏହାଦେଖି ସାଧାରଣ ଲୋକେ ତାଙ୍କୁ ବିଶ୍ୱାସ କରି ଯାଉଥିଲେ । ଫଳରେ ଦୀର୍ଘ ଦିନ ଧରି ଚାକିରି ପାଇଁ ତଥା ବଦଳି ପାଇଁ ଦୌଡୁଥିବା ଲୋକ ତାଙ୍କୁ ସହଜେ ବିଶ୍ୱାସ କରିନେଉଥିଲେ । କାମ କରିବା ପୂର୍ବରୁ ବାବୁ ଜଣକ ଅଗ୍ରୀମ ଟଙ୍କା ମୋଟା ଆକାରରେ ନେଇ ଯାଉଥିଲେ । ମାତ୍ର ପରେ ଆଉ ଧରାଛୁଆଁ ଦେଉ ନଥିଲେ ।ଏହି ଧୂର୍ତ୍ତ ଜଣକ ନିଜକୁ ଧର୍ମେନ୍ଦ୍ର ପ୍ରଧାନଙ୍କ ପୁତୁରା କହି ଲୋକଙ୍କୁ ଠକୁଥିବା ବେଳେ ଏହା ଦଳୀୟ କର୍ମୀଙ୍କ ନଜରରେ ପଡିଥିଲା । ଏହାପରେ ଗତ ରାତିରେ ମାଷ୍ଟର କ୍ୟାଣ୍ଟିନ୍ର ଏକ ଲଜ୍ରେ ପଶି ସେମାନେ ଠକ ରାହୁଲଙ୍କୁ କାବୁ କରିଥିଲେ । ପରେ ତାଙ୍କୁ କ୍ୟାପିଟାଲ ଥାନା ପୁଲିସକୁ ଜିମା ଦେଇଥିଲେ । ପରେ ପୁଲିସ ତାଙ୍କୁ ଥାନାରେ ଅଟକ ରଖି ପଚରା ଉଚରା କରୁଥିବା ବେଳେ, ତାଙ୍କ ଫୋନ୍ ଜବତ କରିଛି । ଏଥିସହ ତାଙ୍କ ନିକଟରୁ ବହୁ ଜାଲ୍ ନିଯୁକ୍ତିପତ୍ର, ବଦଳି ଆଦେଶ ବି ଜବତ କରାଯାଇଛି । ଏହାସହ ସେ ବିଭିନ୍ନ ଲୋକଙ୍କ ଠାରୁ ୪୫ ହଜାର ଟଙ୍କା ଠକେଇ କରିଥିବା ପୁଲିସ ଜାଣିବାକୁ ପାଇଛି । ଏନେଇ ଗୁରୁବାର ସନ୍ଧ୍ୟାରେ କିଛି ଅଭିଯୋଗକାରୀ ଥାନାରେ ଅଭିଯୋଗ କରିଥିବା ବେଳେ, ପୁଲିସ ମାମଲା ରୁଜୁକରି ଅଭିଯୁକ୍ତକୁ ଗିରଫ କରିଛି । ଶୁକ୍ରବାର ତାକୁ କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡ଼ିଛି ।