ପୁଲିସ ସହ ଲୁଟେରାଙ୍କ ଲୁଚକାଳି ଖେଳ

-ରାଜଧାନୀ ଛାତି ଉପରେ ବଡ଼ଧରଣର ଲୁଟ୍-

- ଘର ଛାତପଟୁ ପଶି ନେଇଗଲେ ୨୦ ଭରି ସୁନା
- ଉପକଣ୍ଠରେ ପୁଲିସ ସ୍କାର୍ଡ ମାରୁଛି ପଇନ୍ତରା 
ଭୁବନେଶ୍ୱର,୨୩ା୧୨ : କମିଶନରେଟ୍ ପୁଲିସ ପକ୍ଷରୁ ଲୁଟେରାଙ୍କ ଦୌରାତ୍ମ୍ୟ କମାଇବା ପାଇଁ ଯେତେ ଚେଷ୍ଟା କଲେ ମଧ୍ୟ ଏଥିରୁ ରାଜଧାନୀବାସୀ ତ୍ରାହି ପାଇପାରୁନାହାନ୍ତି । କୌଣସି ନା କୌଣସି ଦିନ ରାଜଧାନୀର ଲୋକେ ଲୁଟ୍ର ଶିକାର ହେଉଛନ୍ତି । ଯାହାର ଜ୍ୱଳନ୍ତ ଚିତ୍ର ରବିବାର ବିଳମ୍ବିତ ରାତିରେ ଦେଖିବାକୁ ମିଳିଛି । ଏଥର କିନ୍ତୁ ଲୁଟେରାମାନେ ରାଜଧାନୀର ଉପାନ୍ତ ଅଞ୍ଚଳ ନୁହେଁ ବରଂ ରାଜଧାନୀର ଛାତି ଉପରେ ଥିବା ନୟାପଲ୍ଲୀ ଥାନା ଅନ୍ତର୍ଗତ ପାଇକନଗର ପ୍ଲଟ ନଂ ୧୮୫/୫୨୩ ଘରର ଛାତପଟୁ ଘରେ ପଶି ଘର ଭିତରୁ ୨୦ ଭରିର ସୁନା ଅଳଙ୍କାର ଲୁଟ କରି ନେଇଯାଇଛନ୍ତି । ଏହି ସମୟରେ ଘରର ମାଲିକାଣୀ ନିରୁପମା ସାହୁ ଶିରିଡ଼ି ଯାଇଥିବା ବେଳେ, ତାଙ୍କ ବୋହୂ ରାତି ସମୟରେ ସମ୍ପର୍କୀୟଙ୍କ ଘରେ ରହୁଥିଲେ । ଏହାର ସୁଯୋଗ ନେଇ ଲୁଟେରାମାନେ ଏହି କାଣ୍ଡ ଭିଆଇଛନ୍ତି । ନିରୁପମାଙ୍କ ପୁଅ ବାହାଘର ଅଳ୍ପଦିନ ତଳେ ହୋଇଥିବାରୁ ଘରେ ପ୍ରାୟ ୨୦ ଭରିର ସୁନା ଅଳଙ୍କାର ଥିବା ବେଳେ, ବାକି ୧୫ ଭରି ସୁନା ବ୍ୟାଙ୍କ ଲକରରେ ରହିଥିଲା । ଯାହାକୁ ଲୁଟେରାମାନେ ଲୁଟି ନେଇଥିବା ଦେଖିବାକୁ ମିଳିଛି । ଖବରପାଇ ସ୍ଥାନୀୟ ନୟାପଲ୍ଲୀ ଥାନା ପୁଲିସ, ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ଘଟଣାସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଛନ୍ତି ।
 ମିଳିଥିବା ସୂଚନା ଅନୁଯାୟୀ, ନୟାପଲ୍ଲୀ ଥାନା ଅନ୍ତର୍ଗତ ପାଇକନଗରରେ ଅଭିଯୋଗକାରୀ ନିରୁପମା ସାହୁ ତାଙ୍କ ପରିବାର ସହ ଘର ଭଡାନେଇ ରୁହନ୍ତି । ଅଳ୍ପଦିନ ତଳେ ତାଙ୍କ ପୁଅର ବାହାଘର ହୋଇଥିଲା । ପୁଅ ଦୁବାଇରେ ରହୁଥିବା ବେଳେ, ନିରୁପମା କୌଣସି କାମରେ ଶିରିଡ଼ି ବୁଲିବାକୁ ଯାଇଛନ୍ତି । ତାଙ୍କ ବୋହୂୂ ଦିନ ସମୟରେ ଘରେ ରହୁଥିବା ବେଳେ, ରାତିରେ ଏକୁଟିଆ କାରଣରୁ ପଡୋଶୀ ସମ୍ପର୍କୀୟ ତଥା ନିରୁପମାଙ୍କ ଭାଇ ନିଳାଦ୍ରୀବିହାରୀ ସାହୁଙ୍କ ଘରକୁ ପଳାଉଥିଲେ । ସୋମବାର ସକାଳେ ସେ ଘରକୁ ଆସି ଦେଖିଲା ବେଳକୁ ଘରର ଛାତର କବାଟ ଖୋଲା ରହିଥିବା ବେଳେ, ଘରର ୬ଟି ଆଲମିରାକୁ ଖୋଲା ଯାଇ ସୁନା ରଖାଯାଇଥିବା ସମସ୍ତ ଖୋଳ ଖଟରେ ପଡ଼ିରହିଛି । ପରେ ସେ ଅନ୍ୟ ସମ୍ପର୍କୀୟଙ୍କୁ ଡାକିଥିଲେ । ସେମାନେ ଆସି ପହଞ୍ଚିବାରୁ ଘରୁ ଲୁଟ ହୋଇଥିବା ଜାଣିବାକୁ ପାଇଥିଲେ । ଘରେ ଥିବା ୬ଟି ଆଲମିରା ଏବଂ ଏକ ଲକରରେ ଥିବା ସମସ୍ତ ସୁନା ଅଳଙ୍କାର ଲୁଟ ହୋଇଥିବା ବେଳେ ଲୁଟେରାମାନେ ନକଲି ସୁନାକୁ ବାହାରେ ଫୋଫାଡ଼ି ଦେଇଥିବା ଦେଖାଯାଇଥିଲା । ଏନେଇ ପରିବାର ଲୋକେ ନୟାପଲ୍ଲୀ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି ।