ଭଡା ଘରେ ଚାଲୁଛି ନୂଆଗଡିଆସାହି ଫାଣ୍ଡି

 ଖଣ୍ଡପଡ଼ା : ଖଣ୍ଡପଡ଼ା ଥାନା ଅଧିନ ନୂଆଗଡ଼ିଆସାହି ଫାଣ୍ଡିର ନିଜସ୍ୱ କାର୍ଯ୍ୟାଳୟ ଗୃହ ନାହିଁ । ଏହି ଫାଣ୍ଡିର ନିଜସ୍ୱ ଗୃହ ପ୍ରତିଷ୍ଠା ନିମନ୍ତେ ପ୍ରଶାସନ ପକ୍ଷରୁ ଦିର୍ଘ ବର୍ଷ ତଳେ ସ୍ଥାନୀୟ ଅଞ୍ଚଳରେ ଏକ ସରକାରୀ ଜାଗା ଚିହ୍ନଟ କରାଯିବା ସହ ଏଥିନିମନ୍ତେ ଆବଶ୍ୟକ ଅନୁଦାନ ଅର୍ଥ ରାଜ୍ୟ ସରକାରଙ୍କ ପକ୍ଷରୁ ମଞ୍ଜୁର ହୋଇଥିବା ପ୍ରଶାସନ ସୁତ୍ରରୁ ଜଣାପଡିଛି । ମାତ୍ର ରାଜସ୍ୱବିଭାଗ ଓ ପୁଲିସ ପ୍ରଶାସନ ମଧ୍ୟରେ ସମନ୍ୱୟର ଅଭାବ ଯୋଗୁଁ ଫାଣ୍ଡିର ନୂତନ କାର୍ଯ୍ୟାଳୟ ଗୃହ ନିର୍ମାଣ ହୋଇପାରୁ ନଥିବା ଜଣାପଡିଛି । ଫଳରେ ନୂଆଗଡ଼ିଆସାହି ଫାଣ୍ଡିଟି ଦିର୍ଘ ବର୍ଷ ଧରି ଅବ୍ୟବସ୍ଥା ମଧ୍ୟରେ ଚାଲିଥିବା ଅଭିଯୋଗ ହେଉଛି । ସ୍ଥାନୀୟ ଅଞ୍ଚଳର ଏକ ଭଡାଘରେ ଫାଣ୍ଡିଟି ଦୀର୍ଘଦିନ ହେଲା ଚାଲିଥିବା ବେଳେ, କର୍ମଚାରୀମାନେ ଆଖପାଖ ଅଞ୍ଚଳରେ ଘରଭଡା ନେଇ ରହୁଛନ୍ତି । ଫାଣ୍ଡି କର୍ତ୍ତୃପକ୍ଷ ଘର ଭଡା ବାବଦରେ ମାସକୁ ମାସ ଘର ମାଲିକଙ୍କୁ ଟଙ୍କା ଗଣୁଛନ୍ତି । ଅପରପକ୍ଷେ ଫାଣ୍ଡିର ନୂତନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ପ୍ରସ୍ତାବିତ ସ୍ଥାନକୁ ସ୍ଥାନୀୟ ଅଞ୍ଚଳର କିଛି ପ୍ରଭାବଶାଳୀ ବ୍ୟକ୍ତି ଜବରଦଖଲରେ ରଖୁଥିବାରୁ କାର୍ଯ୍ୟାଳୟ ଗୃହ ନିର୍ମାଣ କାର୍ଯ୍ୟ ଆଗେଇ ପାରୁ ନଥିବା ଅଭିଯୋଗ ହେଉଛି । ଆଦିବାସୀ ଅଧୁ୍ୟଷିତ ଇଲାକାରେ ଦିର୍ଘ ବର୍ଷ ଧରି କାର୍ଯ୍ୟ କରୁଥିବା ଏହି ନୂଆଗଡ଼ିଆସାହି ଫାଣ୍ଡିର ବିଭିନ୍ନ ସମସ୍ୟା ପ୍ରତି ପୋଲିସ ବିଭାଗ ଉଚ୍ଚ କର୍ତ୍ତୃପକ୍ଷ, ନୟାଗଡ଼ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଓ ଜିଲାପାଳ ଦୃଷ୍ଟିଦେବାକୁ ଖଣ୍ଡପଡ଼ା ଅଞ୍ଚଳବାସୀ ଦାବି କରିଛନ୍ତି ।