ମାନପୁର ଓଭରବ୍ରିଜରେ ଅଟକିଲା ଆମ୍ବୁଲାନ

 ଦାନଗଦୀ : କଳିଙ୍ଗନଗର ଶିଳ୍ପାଞ୍ଚଳର ଦୁଃଖ କହିଲେ ମାନପୁର ଓଭର ବ୍ରିଜକୁ ବୁଝାଏ । ସକାଳ ଡିଉଟିକୁ ଯିବା ସମୟରେ ରାସ୍ତା ଭିଡ଼ ହେବା ନିତିଦିନିଆ ଘଟଣା ହୋଇଗଲାଣି । ଯେଉଁ ଭିଡ଼ ଅସମ୍ଭାଳ କାରଣରୁ ଜରୁରୀ କାଳୀନ ସେବା ଯୋଗାଉଥିବା ଆମ୍ବୁଲାନ୍ସ ଘଣ୍ଟାଘଣ୍ଟା ଧରି ଅଟକି ରହୁଛି । ମଙ୍ଗଳବାର ସକାଳେ ଏପରି ଏକ ଚିତ୍ର ଦେଖିବାକୁ ମିଳିଥିଲା । ସକାଳ ୭ଟାରୁ ଦାନଗଦୀରୁ ଡ଼ୁବୁରୀ ଯିବା ରାସ୍ତାର ମାନପୁର ଓଭରବ୍ରିଜ ଉପରେ କୌଣସି ଏକ ଗାଡି ଓଭର ଟେକ କରିଦେବାରୁ ଭିଡ଼ ଆରମ୍ଭ ହୋଇଥିଲା । ମାତ୍ର ଅଳ୍ପ ସମୟ ଭିତରେ ସିଙ୍ଗା ଗାଡ଼ିଆ ଛକରୁ ମାନପୁର ବ୍ରିଜ ପର୍ଯ୍ୟନ୍ତ ରାସ୍ତାର ଦୁଇ ପାର୍ଶ୍ୱରେ ଶହ ଶହ ଗାଡି ଲମ୍ଭା ଲାଇନ ଲାଗି ଯାଇଥିଲା । ଟ୍ରାଫିକକୁ ନିୟନ୍ତ୍ରଣ କରିବା ପାଇଁ ଦୁଇଜଣ ଘରୋଇ ସୁରକ୍ଷା କର୍ମୀ ଥିଲେ ସୁଦ୍ଧା ତାଙ୍କ କଥାକୁ କେହି ଶୁଣୁ ନଥିଲେ । ସମସ୍ତେ କିପରି ଶୀଘ୍ର ଯିବେ ସେଥିପାଇଁ ବ୍ୟସ୍ତ ବିବ୍ରତ ହୋଇ ଟିକେ ଗଳା ବାଟ ଦେଖିଲେ ବାଇକ ଆଗକୁ ବଢାଉଥିଲେ । ଏପରିକି କାର ଗାଡି ଗୁଡିକ ରାସ୍ତାର ଡାହାଣ ଓ ବାମ ଦୁଇ ପାର୍ଶ୍ୱକୁ ନିୟମ ନମାନି ଭିଡ଼ କରିଥିଲେ । ସେହି ଭିଡ଼ ଭିତରେ ଗୋଟେ ଆମ୍ବୁଲାନ୍ସ ସାଇରନ ମାରି ମାରି ଅପର ପାର୍ଶ୍ୱକୁ ଯିବା ପାଇଁ ଉଦ୍ୟମ କରିଥିଲା । ହେଲେ ଆମ୍ବୁଲାନ୍ସକୁ ଗୋଟେ ଘଣ୍ଟାର ସମୟ ଲାଗିଥିଲା । ଆମ୍ବୁଲାନ୍ସକୁ ଆଗକୁ ଯିବାକୁ କେହି ରାସ୍ତା ଛାଡୁ ନଥିଲେ । ଟ୍ରାଫିକ ନିୟନ୍ତ୍ରଣ କରିବା ପାଇଁ କେହି ନଥିଲେ । 
ଜିଲାପାଳଙ୍କ ନିୟମ ଭାରୀ ଯାନ ନିଷେଧ ପାଇଁ ହୋଇଥିବା ବେଳେ ଶହ ଶହ କମ୍ପାନୀ ବସଙ୍କ କବଜାରେ ରାସ୍ତା ଭିଡ଼ ହୋଇଥିଲା । ଏପରି ପରିସ୍ଥିତି ହୋଇଥିଲା ଯେ ମିଲିଟାରୀ ଛକରୁ ତେଲିବାହାଳୀ, ଭିସା କାରଖାନା ରାସ୍ତାଦେଇ ଦାନଗଦୀରୁ ବୁଲିକି ଶହ ଶହ ଗାଡି ଯାଇଥିଲା । ମାନପୁର ଛକ ପାଖରେ ଥିବା ରେଳ ଲାଇନ ଉପରେ ବାଇକ ଆରୋହୀ ବାଇକକୁ ଟେକି ସେ ପଟକୁ ଯାଇଥିଲେ । ଯେମିତି କି କାମକୁ ଯିବା ବେଳେ ଜୀବନର ମୂଲ୍ୟ କିଛି ନାହିଁ । ଟ୍ରେନ ଆସିବାର ଭୟ ନଥିଲା । ଦିନକୁ ଦିନ ଶିଳ୍ପାଞ୍ଚଳର ଏହି ରାସ୍ତାରେ ଯାନ ବାହାନ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଟ୍ରାଫିକକୁ ନିୟନ୍ତ୍ରଣ କରିବା ପାଇଁ ପର୍ଯ୍ୟାପ୍ତ ସଂଖ୍ୟାରେ ପୁଲିସ ବାହିନୀ ସକାଳ ସନ୍ଧ୍ୟା ସମୟରେ ମୁତୟନ ନ ହେଲେ କେତେ ବେଳେ ଯେ ଧନ ଜୀବନ ହାନୀ ହେବ ସେଥିରେ ସନେ୍ଦହ ନାହିଁ ।