ଭାଙ୍ଗିଲାଣି ଅଂଶୁମାନଙ୍କ ବିଜେଡ଼ି ମୋହ

ସ୍ୱତନ୍ତ୍ର ପ୍ରତିନିଧି ଉକôଳ କେଶରୀ ପାହାଡସିଂ : 
ଧିରେ ଧିରେ ଅତି ସନ୍ତର୍ପଣତାର ସହିତ ବିଜେଡି ଠାରୁ ଦୂରେଇ ଯାଉଛନ୍ତି କି କେନ୍ଦ୍ରାପଡା ସାଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତି? ଏହି ପ୍ରସଙ୍ଗକୁ ବେଶ୍ ଖୋରାକ ଯୋଗାଇଛି ସଦ୍ୟ ସମାପ୍ତ ହୋଇଥିବା ବିଜେଡିର ସାର ବିକ୍ଷୋଭ ସମାବେଶରେ ଅଂଶୁମାନ ଅନୁପସ୍ଥିତ ରହିବା ଘଟଣା । ଦଳରେ ବର୍ତ୍ତମାନ ସବୁକିଛି ଠିକ୍ ଚାଲୁନି ବୋଲି ସେକଥା କାହାକୁ ଆଉ ଅଛପା ନାହିଁ । ଶଙ୍ଖ ଭବନରୁ ଆରମ୍ଭ କରି ପଞ୍ଚାୟତ ପର୍ଯ୍ୟନ୍ତ ବିଜେଡିରେ ସୃଷ୍ଟି ହୋଇଥିବା ଫାଟ ଜଳ ଜଳ ହୋଇ ବାହାରକୁ ଦୃଶ୍ୟ ହେଉଛି । ଏହି କ୍ରମରେ ଉପରସ୍ତରର ନେତାଙ୍କ ଠାରୁ ଆରମ୍ଭ କରି ୱାର୍ଡସ୍ତରୀୟ କର୍ମୀଙ୍କ ପର୍ଯ୍ୟନ୍ତ ଜଣଙ୍କ ପରେ ଜଣେ ଛାଡୁଛନ୍ତି ଶଙ୍ଖ ଶିବିର । ଏମିତିବି ଗୋଟେ ବାର୍ତ୍ତା ଗଲାଣି ରାଜ୍ୟରେ ବିଜେଡି ଠାରୁ କଂଗ୍ରେସ ଧିରେ ଧିରେ ବଳଶାଳୀ ହେଉଛି । ଏହାର ସଦ୍ୟତମ ଉଦାହରଣ ହେଉଛି ପୂର୍ବତନ ବିଜେଡି ଛାତ୍ର ସାଧାରଣ ସମ୍ପାଦକ ହରିଶଙ୍କର ରାଉତ ବିଜେଡି ଛାଡି କଂଗ୍ରେସର ଧରିଛନ୍ତି ହାତ । ହରିଶଙ୍କରଙ୍କ ହାତରେ ଯେ ରାଜ୍ୟର ବଡ ଛାତ୍ର ସଂଗଠନ ଅଛି ଏକଥାକୁ ଅସ୍ୱୀକାର କରାଯାଇ ପାରିବ ନାହିଁ । ଏହିକ୍ରମରେ କୁହାଯାଇପାରେ ଆଗକୁ ରାଜ୍ୟରେ ବିଭିନ୍ନ ଛାତ୍ର ସଂଗଠନଙ୍କୁ କଂଗ୍ରେସ ଦଳ ଆଡ଼କୁ ଢ଼ଳାଇବାରେ ହରିଶଙ୍କର ସଫଳ ହୋଇପାରନ୍ତି । ତେବେ ସାଂସଦ ପ୍ରାର୍ଥୀ ଭାବେ ପରାଜିତ ହେବାପରେ ଅଂଶୁମାନ କେଉଁଠି ନା କେଉଁଠି ଅନୁଶୀଳନ କରିଛନ୍ତି ଯେ, ବିଧାୟକ ବଦଳରେ କାହିଁକି ସେ ସାଂସଦ ପ୍ରାର୍ଥୀ ହେଲେ? ଏହି ନିଷ୍ପତ୍ତିରେ ରହିଗଲା କି କିଛି ଭୁଲ୍? ନା ସେ ରାଜନୈତିକ ଗୋଟି ଚାଳନାର ଶିକାର ହେଲେ? ଅନ୍ୟପକ୍ଷରେ କୁହାଯାଉଛି କେନ୍ଦ୍ରାପଡ଼ା ବିଜେଡି ପକ୍ଷରୁ ସାଂସଦ ପ୍ରାର୍ଥୀ ଭାବେ ଛିଡ଼ା ହୋଇ ପରାଜିତ ହେବାପରେ ଅଂଶୁମାନ ନିଶ୍ଚିନ୍ତ ଅନୁଶୀଳନ କରିଥିବେ ସେ କଂଗ୍ରେସ ଛାଡ଼ିବା ନିଷ୍ପତ୍ତି ଠିକ୍ ଥିଲା କି ଭୁଲ୍? ତେବେ ସାଂପ୍ରତିକ ପରିସ୍ଥିତିରେ ରାଜ୍ୟରେ ବିଜେଡି ବର୍ତ୍ତମାନ ନିମ୍ନଗାମୀ ହେବାକୁ ଲାଗିଛି । ଏହି ପରିପ୍ରେକ୍ଷୀରେ ଲକ୍ଷ୍ୟ କରାଯାଉଛି ଅଂଶୁମାନ ବିଜେଡିରେ ଆଉ ନିଜ ରାଜନୈତକ ଭବିଷ୍ୟତ ଦେଖି ପାରୁନାହାନ୍ତି । ସେହି କାରଣରୁ କାଳେ ବିଜେଡି ଠାରୁ ସେ ନିଜକୁ ଯଥା ସମ୍ଭବ ଦୂରେଇ ରଖୁଛନ୍ତି ବୋଲି ତାଙ୍କ ନିକଟତମ ମହଲରୁ ଖବର ମିଳୁଛି । ଉଦାହରଣ ଭାବେ କୁହାଯାଇପାରେ ଯେଉଁଦିନ ଦଳ ପକ୍ଷରୁ ରାଜ୍ୟରେ ସାର ଅଭାବ ନେଇ ରାଜଧାନୀରେ ବିରାଟ ସଭା ଆୟୋଜନ କରାଗଲା ଏବଂ ରାଜ୍ୟପାଳଙ୍କୁ ଦାବିପତ୍ର ଦିଆଗଲା । କାର୍ଯ୍ୟକ୍ରମରେ କେନ୍ଦ୍ରାପଡାର ଅନ୍ୟ ନେତାମାନେ ଯୋଗ ଦେଇଥିଲେ ମଧ୍ୟ ଅଂଶୁମାନ ମହାନ୍ତିଙ୍କୁ ଦେଖିବାକୁ ମିଳିନଥିଲା । ଦଳର ଏହା ଗୋଟିଏ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ହୋଇଥିଲେ ବି ଏଥିରେ ଅଂଶୁମାନ ଯୋଗ ନଦେବା ନାନା ପ୍ରଶ୍ନ ଛିଡା କରିଛି । ତେବେ ଜାଣିବାକୁ ମିଳିଛି ସେହି ସମାନ ଦିନ ଅଂଶୁମାନ ମହାନ୍ତିଙ୍କର ସେମିତି କୌଣସି ବ୍ୟକ୍ତିଗତ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ନଥିଲା ଯାହାଦ୍ୱାରା କି ସେ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେଇ ପାରିବେ ନାହିଁ । ତାଙ୍କ ଫେସବୁକ୍ ପେଜ୍ରୁ ଜାଣିବାକୁ ମିଳୁଛି ଅସୁସ୍ଥ ହୋଇପଡ଼ିଥିବା କିଛି ବ୍ୟକ୍ତିବିଶେଷଙ୍କୁ ସେ ସେହିଦିନ ଚିକିତ୍ସାଳୟରେ ଭେଟିବାକୁ ଯାଇଛନ୍ତି । ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେଇ ସାରିବା ପରେ, ପର ମୁହୂର୍ତ୍ତରେ ମଧ୍ୟ ଏହି କାର୍ଯ୍ୟ ହୋଇପାରିଥାନ୍ତା । କିନ୍ତୁ ଅଂଶୁମାନ ଦଳୀୟ କାର୍ଯ୍ୟରୁ ବିରତି ରହିବା ପାଇଁ ଠିକ୍ ମନେ କରିଛନ୍ତି ବୋଲି ଦେଖିବାକୁ ମିଳୁଛି । କେବଳ ସେତିକି ନୁହେଁ ତାଙ୍କ ବିଭିନ୍ନ ସାମାଜିକ ଗଣମାଧ୍ୟମ ପୋଷ୍ଟକୁ ଅନୁଶୀଳନ କଲେ ଦେଖାଯାଉଛି ସେ କିଛିଦିନ ହେବ ବିଭିନ୍ନ ସମୟରେ ପୋଷ୍ଟ କରୁଥିବା ନାନା ଶୁଭେଚ୍ଛା ବାର୍ତ୍ତା ବ୍ୟାନର୍ରେ ଆଉ ଦଳୀୟ ଶଙ୍ଖ ଚିହ୍ନ ରହୁନାହିଁ କି ଦଳ ସଭାପତି ନବୀନ ବାବୁଙ୍କ ଫଟୋ ମଧ୍ୟ ସ୍ଥାନ ପାଉନାହିଁ । କିନ୍ତୁ ପୂର୍ବରୁ ତାଙ୍କର ପ୍ରତ୍ୟେକ ଶୁଭେଚ୍ଛା ବାର୍ତ୍ତା ବ୍ୟାନରରେ ଶଙ୍ଖ ଚିହ୍ନ ଏବଂ ସଭାପତି ନବୀନ ବାବୁଙ୍କ ଫଟୋ ସ୍ଥାନ ପାଉଥିବା ଦେଖିବାକୁ ମିଳୁଥିଲା । ଏହି କାରଣରୁ ଆଲୋଚନା ହେଲାଣି ଅଂଶୁମାନ ମହାନ୍ତି ଆଉ ବିଜୁ ଜନତା ଦଳରେ ସକ୍ରିୟ ନାହାଁନ୍ତି ।
ରାଜ୍ୟରେ କଂଗ୍ରେସ ବଳଶାଳୀ ହେଉଥିବା ଜାଣି ସେ ପୁଣି ତାଙ୍କର ପୂର୍ବ ଦଳ କଂଗ୍ରେସ କୁ ଫେରିବେ ନା ନୀରବ ରହି ଅପେକ୍ଷା କରିଛନ୍ତି ଯଦି ବିଜେଡି ଦୁଇଭାଗ ହୋଇଯାଏ ତେବେ ବ୍ୟାକଫୁଟ୍ ରେ ଥିବା ପାଣ୍ଡିଆନଙ୍କ ଗୋଷ୍ଠିରେ ନରହି, ପାଣ୍ଡିଆନଙ୍କ ବିରୋଧରେ ସୃଷ୍ଟି ହେବାକୁ ଥିବା ଗୋଷ୍ଠିରେ ରହିବେ । କାରଣ ସେ ଭଲ ଭାବେ ଜାଣିଛନ୍ତି ତମାମ ରାଜ୍ୟରେ ବାର୍ତ୍ତା ଯାଇ ସାରିଛି କେବଳ ପାଣ୍ଡିଆନଙ୍କ ଯୋଗୁଁ ହିଁ ବିଜେଡି ଦଳର ଏହି ଅବସ୍ଥା ହୋଇଛି । ଯଦି ସେ ପାଣ୍ଡିଆନଙ୍କ ଗୋଷ୍ଠିରେ ରୁହନ୍ତି ହୁଏତ ପୁଣି ଥରେ ତାଙ୍କୁ ଭୋଟର ପ୍ରତ୍ୟାଖ୍ୟାନ କରି ପାରନ୍ତି ତେଣୁ ପାଣ୍ଡିଆନଙ୍କ ସପକ୍ଷରେ ସେ ଯିବାପାଇଁ କଦାପି ଚାହିଁବେନି ବୋଲି ରାଜନୈତକ ମହଲରେ ଚର୍ଚ୍ଚା ଜୋର ଧରିଛି ।ତେବେ ଦେଖିବାକୁ ବାକି ରହିଲା ଅଂଶୁମାନଙ୍କ ଭବିଷ୍ୟତ କାର୍ଯ୍ୟପନ୍ଥା ହିଁ ନିର୍ଦ୍ଧାରଣ କରିବ ବାପା ସ୍ୱର୍ଗତଃ ନଳୀନ ବାବୁଙ୍କ ଭଳି ରାଜନୈତିକ ଜୀବନ ଉଜ୍ଜଳମୟ ହେବ କିମ୍ବା କଂଗ୍ରେସ ଛାଡ଼ି ଶଙ୍ଖ ଶିବିରରେ ପହଞ୍ଚିବା କାରଣରୁ ଅଂଶୁମାନଙ୍କ ରାଜନୈତିକ କ୍ୟାରିୟରରେ ଫୁଲ୍ଷ୍ଟପ୍ ପଡ଼ିବ?