ପୋଖରୀରୁ ଆଠ ଫୁଟିଆ କୁମ୍ଭୀର ଉଦ୍ଧାର
ରାଜନଗର : ରାଜନଗର ବ୍ଲକ ହାତୀନା ପଞ୍ଚାୟତ ପେଣ୍ଠ ଗ୍ରାମରେ ଥିବା ପଞ୍ଚାୟତ ପୋଖରୀରୁ ଆଠଫୁଟ ଦୁଇଇଞ୍ଚ ଲମ୍ବର ଏକ ମାଇ ବଉଳା କୁମ୍ଭୀରକୁ ରାଜନଗର ବନବିଭାଗ ଶୁକ୍ରବାର ସକାଳେ କାବୁ କରିଛି । କୁମ୍ଭୀରକୁ ସେଠାରୁ ଆଣି ବାଉଁଶଗଡ଼ ନଦୀରେ ଛାଡ଼ିଥିବା ବନବିଭାଗ ପକ୍ଷରୁ ସୂଚନା ମିଳିଛି । ଅପର ପକ୍ଷରେ ପଞ୍ଚାୟତ ପୋଖରୀ ପାଖରେ ଥିବା ଦୁଇଟି ନାଳରେ ଦୀର୍ଘ ବର୍ଷ ହେବ କୂମ୍ଭୀରଟି ରହୁଥିଲା । ପାଞ୍ଚମାସ ତଳେ ପେଣ୍ଠ ଗାଁର ନୀଳକଣ୍ଠେଶ୍ୱର ସ୍ୱୟଂ ସହାୟକ ଗୋଷ୍ଟିର ମହିଳାମାନେ ପଞ୍ଚାୟତ ପୋଖରୀଟିକୁ ନିଲାମରେ ଆଣିବା ସହିତ ଋଣ ଆଣି ମାଛ ଚାଷ କରିଥିଲେ । ସେଇ ପୋଖରୀ ନିକଟରେ ଥିବା ନାଳରେ କୁମ୍ଭୀର ଲୁଚି ରହି ସବୁଦିନ ପୋଖରୀକୁ ଆସି ମାଛ ଖାଉଥିଲା । ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାମାନେ କୁମ୍ଭୀରକୁ ଦେଖିବା ପରେ ବନବିଭାଗକୁ ଖବର ଦେଇଥିଲେ । ବନବିଭାଗ କର୍ମଚାରୀମାନେ ସେଠାକୁ ଯାଇ କୁମ୍ଭୀରକୁ ଧରିପାରିନଥିଲେ । ବାରମ୍ବାର ବନବିଭାଗକୁ ଏ ନେଇ ମହିଳା ଓ ଗ୍ରାମବାସୀମାନେ ଅଭିଯୋଗ କରିବା ପରେ ମଧ୍ୟ କେହି କର୍ଣ୍ଣପାତ କରୁନଥିଲେ । ଗୁରୁବାର ଦିନ ସମସ୍ତ ମହିଳା ରାଜନଗର ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ରାଜନଗର ବନଖଣ୍ଡ ଅଧିକାରୀଙ୍କୁ ଭେଟି ଏ ସମ୍ପର୍କରେ ଅଭିଯୋଗ କରିଥିଲେ । ବନବିଭାଗର କର୍ମଚାରୀ ମାନେ ଶୁକ୍ରବାର ସକାଳେ ପେଣ୍ଠ ଗ୍ରାମରେ ପହଞ୍ଚି କୌଶଳ କ୍ରମେ ଜାଲ ଘେରା କରି କାବୁ କରିବା ସହିତ ମୋଟା ରଶିରେ ତାର ମୁହଁ ଓ ଗୋଡକୁ ବାନ୍ଧି ବାଉଁଶଗଡ଼ ନଦୀରେ ଛାଡ଼ିଥିଲେ । ନୀଳକଣ୍ଠେଶ୍ୱର ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଏବେ ଚିନ୍ତାରେ ପଡ଼ିଛନ୍ତି । ନିଲାମ ପାଇଁ ଦେଇଥିବା ଅର୍ଥ ଓ ମାଛ ଚାଷ ପାଇଁ ବ୍ୟାଙ୍କରୁ ଆଣିଥିବା ଋଣକୁ କିପରି ସୁଝିବେ ସେ ନେଇ ଚିନ୍ତାରେ ଅଛନ୍ତି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ।