ଭାରତୀୟ ଅର୍ଥନୀତିକୁ ‘ହରମୁଜ୍’ ଚିନ୍ତା
ବଳରାମ ରଣସିଂହ : ସାଧାରଣ ଆଖିରେ ଦେଖିଲେ, ଇରାନ୍ ଓ ଇସ୍ରାଏଲ ଯୁଦ୍ଧରେ ଭାରତର କିଛି ନେଣଦେଣ ନାହିଁ । କାହିଁକିନା ଭାରତ ଉପରେ କେହି ଆକ୍ରମଣ କରିବେନି ବା ଯୁଦ୍ଧାସ୍ତ୍ର ବି ଭାରତ ଆଡ଼କୁ ଆସିବନି । ହେଲେ ଏହି ଯୁଦ୍ଧ ଯଦି ଚାଲିଥାଆନ୍ତା ତେବେ ଭାରତର ଚିନ୍ତା ବଢ଼ିଯାଇଥା’ନ୍ତା । କାହିଁକିନା ଭାରତର ଚିନ୍ତା ହେଉଛି ‘ହରମୁଜ୍’ ।
ଏହି ପରିପ୍ରେକ୍ଷୀରେ ହରମୁଜ୍ କ’ଣ ? ତାହା ଜାଣିବାର ଆବଶ୍ୟକତା ରହିଛି । ଷ୍ଟ୍ରେଟ୍ ଅଫ ହରମୁଜ୍ ହେଉଛି ଏକ ଚୋକ୍ ପଏଣ୍ଟ । ଯେଉଁଠାରୁ ବିଶ୍ୱର ବିଭିନ୍ନ ଦେଶକୁ ତେଲ ଓ ଗ୍ୟାସ ଯାଇଥାଏ । ପରିସଂଖ୍ୟାନ ଅନୁଯାୟୀ, ବିଶ୍ୱରେ ଯେତିକି ତେଲର ଆବଶ୍ୟକତା ରହିଛି ତାହାର ଏକ ଚତୁର୍ଥାଂଶ ଏହି ସ୍ଥାନରୁ ହିଁ ଯାଇଥାଏ । ଖାଲି ସେତିକିନୁହେଁ ଏକ ତୃତୀୟାଂଶ ଲିକୁ୍ୟଫାଏଡ଼ ନାଚୁରାଲ ଗ୍ୟାସ୍ ବା ଏଲଏନଜି ବି ରପ୍ତାନି ହୁଏ । ଇରାନ୍-ଇସ୍ରାଏଲ ଯୁଦ୍ଧ ଭିତରକୁ ଆମେରିକା ଧସେଇ ପଶିବା ପରେ ଇରାନ୍ ସଂସଦ ଏହି ଚୋକ୍ ପଏଣ୍ଟକୁ ବନ୍ଦ କରିଦେବା ପାଇଁ ନିଷ୍ପତ୍ତି ନେଇଥିଲେ । ଯାହାକି ଭାରତ ଭଳି କେତେକ ରାଷ୍ଟ୍ର ମନରେ ଛନକା ପୂରାଇ ଦେଇଥିଲା ।
ତଥ୍ୟ ଅନୁଯାୟୀ, ୨୦୨୪-୨୫ ଆର୍ଥିକ ବର୍ଷରେ ଭାରତ ଆମଦାନି କରିଥିବା ଗ୍ୟାସର ୫୪% କେବଳ ଷ୍ଟ୍ରେଟ ଅଫ ହରମୁଜ୍ରୁ ଆସିଥିଲା । ସେହିପରି ତେଲ ଆମଦାନିର ୪୫% ସେଠାରୁ ଆସିଥିବା ତଥ୍ୟରୁ ଜଣାପଡ଼ିଛି । ଆଜିକା ଦିନରେ ଭାରତ ହେଉଛି, ବିଶ୍ୱର ତୃତୀୟ ବୃହତ୍ତମ ତୈଳ ଉପଭୋକ୍ତା । ଆଉ ସବୁଠାରୁ ବଡ଼ କଥା ହେଉଛି, ଆମ ଦେଶ ତାହାର ତେଲ ଚାହିଦାର ୮୯% ଆମଦାନି ଉପରେ ହିଁ ନିର୍ଭର କରିଥାଏ । ଦୈନିକ ୫ ନିୟୁତ ବ୍ୟାରେଲରୁ ଅଧିକ ତୈଳ ଭାରତ ବ୍ୟବହାର କରୁଛି । ଯେତେବେଳେକି ଆମେରିକା ଦୈନିକ ୨୦ ନିୟୁତ ବ୍ୟାରେଲ ଓ ଚାଇନା ୧୫.୨ ନିୟୁତ ବ୍ୟାରେଲ ତେଲ ଆବଶ୍ୟକ କରିଥାଏ । ବ୍ୟାଙ୍କ ଅଫ ବରୋଦାର ଏକ ରିପୋର୍ଟକୁ ଅନୁଶୀଳନ କଲେ ଜଣାଯାଏ, ଭାରତ ଗତ ୨୦୨୫ ଆର୍ଥିକ ବର୍ଷରେ ୨୪୪ ନିୟୁତ ଟନ ଅଶୋଧିତ ତୈଳ ଆମଦାନି କରିଥିଲା । ପ୍ରତିବର୍ଷ ଏହି ଚାହିଦା ୨.୬% ହାରରେ ବୃଦ୍ଧି ପାଇବାରେ ଲାଗିଛି । ୨୦୨୨ରୁ ୟୁକ୍ରେନ ଯୁଦ୍ଧ ଚାଲିଥିବାରୁ ଭାରତ ରୁଷରୁ ଅଧିକ ତେଲ ଆମଦାନି ପାଇଁ ଯୋଜନା କରିଥିଲା । କାହିଁକିନା ଯୁଦ୍ଧ ପାଇଁ ବିପୁଳ ଅର୍ଥର ଆବଶ୍ୟକତା ଥିବାରୁ ରୁଷ ଏହାର ତୈଳ ଦର ହ୍ରାସ କରି ଅଧିକ ରପ୍ତାନି ଉପରେ ଗୁରୁତ୍ୱାରୋପ କରିଥିଲା । ୨୦୨୫ ଆର୍ଥିକ ବର୍ଷରେ ଦେଶର ମୋଟ ତେଲ ଚାହିଦାର ୩୬% ରୁଷରୁ ଆସିଥିବାବେଳେ ଇରାକରୁ ୨୦% ଓ ସାଉଦି ଆରବରୁ ୧୪% ତୈଳ ଆମଦାନି କରାଯାଇଥିଲା । ଯଦି ଇରାନ୍ ଷ୍ଟ୍ରେଟ ଅଫ ହରମୁଜ୍ ବନ୍ଦ କରିଦିଏ ତେବେ ଭାରତକୁ ତେଲ ଚାହିଦା ମେଣ୍ଟାଇବା ପାଇଁ ରୁଷିଆ, ଆମେରିକା ଓ ବ୍ରାଜିଲ୍ ଉପରେ ଅଧିକ ନିର୍ଭରଶୀଳ ହେବାକୁ ପଡ଼ିବ । ଏହାଦ୍ୱାରା ହୁଏତ ଭାରତ ଏହାର ତୈଳ ଚାହିଦା ମେଣ୍ଟାଇପାରିବ । ହେଲେ ଏଥିପାଇଁ ଆମଦାନି ଖର୍ଚ୍ଚ ବଢ଼ିଯିବ । ଯାହାଦ୍ୱାରା ଦେଶର ଅର୍ଥନୀତି ପ୍ରଭାବିତ ହେବ । ଏହାଦ୍ୱାରା ଦରଦାମ୍ ବୃଦ୍ଧି, ମୁଦ୍ରାସ୍ଫୀତି ଭଳି ସମସ୍ୟା ବି ପରିଲକ୍ଷିତ ହେବ । ସେ ଯାହାହେଉନା କାହିଁକି ଇରାନ୍ ଇସ୍ରାଏଲର ଯୁଦ୍ଧ ବିରତି ଭାରତୀୟ ଅର୍ଥନୀତିକୁ ଏକରକମ ଆଶ୍ୱସ୍ତ କରିଛି ।
ଗଡ଼ମାଣତୀର, ଖୋର୍ଦ୍ଧା ୭୫୨୦୬୨
ମୋବାଇଲ୍ : ୯୯୩୮୫୨୧୩୮୪