ବେପାରୀଙ୍କ କବ୍ଜାରେ ମହୁଲଫୁଲ
ଗୋଲାମୁଣ୍ଡା : କଳାହାଣ୍ଡି ଜିଲ୍ଲାରେ ଆଦିବାସୀଙ୍କ ମହୁଲଫୁଲ ଏବେ ଦଲାଲଙ୍କ କବଜାରେ । ମହୁଲର ସର୍ବନିମ୍ନ ମୁଲ୍ୟ କେଜି ପିଛା ୨୫ ଟଙ୍କା ଥିବା ବେଳେ ଏହାର ଅଧା ଦାମରେ ବିକ୍ରି କରିବାକୁ ବାଧ୍ୟ ହେଉଛି । ଜିଲ୍ଲାରେ ମହୁଲ ପାଇଁ ବଜାର ବ୍ୟବସ୍ଥା ନ ଥିବା ଯୋଗୁଁ ଆଦିବାସୀ ମାନେ ଅଭାବୀ ବିକ୍ରିର ସମ୍ମୁଖୀନ ହୋଇ କମ ଦରରେ ମହୁଲକୁ ଦଲାଲ ହାତରେ ଟେକି ଦେଇଛନ୍ତି । ଜିଲ୍ଲା ପ୍ରଶାସନ କିମ୍ବା ସରକାର ଏନେଇ କୌଣସି ପଦକ୍ଷେପ ନ ନେବାରୁ ଏହି ଲଘୁବନଜାତ ଦ୍ରବ୍ୟ ସଂଗ୍ରହ କରୁଥିବା ଲୋକେ ଦଲାଲଙ୍କ ଶିକାର ହେବା ସହିତ ଶାଗମାଛ ଦରରେ ଟେକି ଦେଇଛନ୍ତି । ଭାରତ ସରକାରଙ୍କ ଆଦିବାସୀ ମନ୍ତ୍ରଣାଳୟ ପକ୍ଷରୁ ୭୨ଟି ଲଘୁବନଜାତ ଦ୍ରବ୍ୟକୁ ସର୍ବନିମ୍ନ ସହାୟକ ମୁଲ୍ୟ ସ୍ଥିର କରିଛନ୍ତି । ଏହି ୭୨ଟି ଲଘୁବନଜାତ ମଧ୍ୟରେ ମହୁଲ ମଧ୍ୟ ସାମିଲ ହୋଇଛି । ପଞ୍ଚାୟତ ପକ୍ଷରୁ ମହୁଲଫୁଲର ସର୍ବନିମ୍ନ ସହାୟକ ମୁଲ୍ୟ ୨୫ ଟଙ୍କା କେଜି ପିଛା ଧାର୍ଯ୍ୟ କରାଯାଇଛି । କିନ୍ତୁ କଳାହାଣ୍ଡି ଜିଲ୍ଲା ରେ ଏହାର ବଜାର ଅଭାବରୁ ମାତ୍ର ୧୦ ରୁ ୧୫ ଟଙ୍କା ରେ କେଜି ପିଛା ବିକ୍ରି ହେଉଛି । ପର୍ଯ୍ୟାପ୍ତ ଗୋଦାମ ଓ ଆବଶ୍ୟକ ଭିତ୍ତିଭୂମିର ଅଭାବ ଯୋଗୁଁ ଲୋକେ ମହୁଲ କୁ ମହଜୁଦ ରଖିବାରେ ସକ୍ଷମ ହୋଇ ପାରୁନାହାନ୍ତି । ସରକାରଙ୍କ ନିୟମ ଅନୁଯାୟୀ ମହିଳା ଏସଏଚଜିଙ୍କୁ ଏହାର କ୍ରୟ ଦାୟିତ୍ୱ ଦେବାକୁ ଥିଲେ ମଧ୍ୟ ଦଲାଲ ଓ ଅବକାରୀ ବିଭାଗର ମସୁଧା ଯୋଗୁଁ ଦାୟିତ୍ୱ ନ ଦେବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଦଲାଲଙ୍କ ଗୋଦାମ ରେ ଅବକାରୀ ବିଭାଗର ପକ୍ଷରୁ ଚଢ଼ାଉ କରାଯାଉନାହିଁ । ଓଲଟା ସେମାନଙ୍କ ଠାରୁ ହାତଗୁଞ୍ଜା ନେଇ ଦେଶୀ ମଦଭାଟିକୁ ସୁହାଇଲା ଭଳି ଭୂମିକା ଗ୍ରହଣ କରାଯାଇଥିବାରୁ କ୍ଷୋଭ ପ୍ରକାଶ ପାଇଛି । ଗରିବ ଲୋକଙ୍କ ପାଇଁ ମହୁଲ ସଂଗ୍ରହ ଏକ ଜୀବିକା ପାଳଟିଥିବା ବେଳେ ଦଲାଲ ଯୋଗୁଁ ଉପଯୁକ୍ତ ମୁଲ୍ୟ ନ ପାଇ ସେମାନେ ଅଭାବ ଅନଟନ ଦେଇ ଗତି କରୁଛନ୍ତି । କଳାହାଣ୍ଡି ଜିଲ୍ଲାରେ ଦିନକୁ ଦିନ ମଦଭାଟି ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ମଦରୁ କୋଟି କୋଟି ଟଙ୍କା ରାଜସ୍ୱ ଆଦାୟ କରୁଛନ୍ତି ରାଜ୍ୟ ସରକାର । ମଦରେ ରାଜସ୍ୱ ଆଦାୟ କରିବାରେ କଳାହାଣ୍ଡି ଜିଲ୍ଲା ଓଡ଼ିଶାରେ ପ୍ରଥମ ସ୍ଥାନ ଅଧିକାର କରିଛି । ଜିଲ୍ଲାର ଜୁନାଗଡ଼, ଗୋଲାମୁଣ୍ଡା, ଥୁଆମୂଳ ରାମପୁର, ମଦନପୁର ରାମପୁର ,କୋକସରା, ଜୟପାଟଣା, ଲାଞ୍ଜିଗଡ଼, କଲମପୁର, ନର୍ଲା ବ୍ଲକ ସମେତ ପାହାଡ଼ି ଇଲାକରେ ଥିବା ଗାଁ ଗୁଡିକରେ ଶହ ଶହ ଆଦିବାସୀ ମହୁଲ ସଂଗ୍ରହ କରିଥାନ୍ତି । ବର୍ଷକରେ ୩ ମାସ ଜୀବିକା ନିର୍ବାହ କରୁଥିବା ବେଳେ ମହୁଲ ଅଭାବି ବିକ୍ରି ତାଙ୍କ ପେଟପାଟଣା ପାଇଁ ପ୍ରତିବନ୍ଧକ ସାଜିଛି । ଗ୍ରାମାଞ୍ଚଳରେ ମଦଭାଟି ମାଲିକମାନେକିଛି ଲୋକଙ୍କୁ ରଖି ଆଗୁଆ କମ ଦରରେ ମହୁଲ କିଣି ଗଛିତ ରଖିଛନ୍ତି । ପରବର୍ତ୍ତୀ ଅବସ୍ଥାରେ ନାମକୁ ମାତ୍ର ମହୁଲ କିଣି ସରକାରୀ ଦପ୍ତରରେ ଲୋକ ଦେଖାଣିଆ ଭାବେ କାଗଜକଲମରେ ଦେଖାଉଛନ୍ତି । ବର୍ଷ ତମାମ ମହୁଲ କୁ ସଂଗ୍ରହ କରି ରଖୁଥିବା ବେଳେ ଭାଟିରୁ ତିଆରି ମଦରେ ମହୁଲିର ଅସଲି ଗନ୍ଧ ରହୁନାହିଁ । ଶସ୍ତା ପୋଡା ଗୁଡ଼ରେ ତିଆରି ହେଉଛି ମହୁଲି ମଦ । ମହୁଲ କ୍ରୟ ଓ ବିକ୍ରୟ ଉପରେ ଜିଲ୍ଲାର ସମସ୍ତ ପଞ୍ଚାୟତର ଜନ ପ୍ରତିନିଧି ଏବଂ କିଛି ସରକାରୀ କର୍ମଚାରୀଙ୍କୁ ନେଇ କମିଟି ହେବା କଥା । ସେହି କମିଟିରେ ମୁଲ୍ୟ ଧାର୍ଯ୍ୟ ନିଷ୍ପତ୍ତି ହେବା ପରେ ର୍ନିେଶନାମା ଜାରି କରିବା ସହିତ କ୍ରେତା ମାନଙ୍କୁ ଲାଇସେନ୍ସ ପ୍ରଦାନ କରିବା କଥା । କିନ୍ତୁ ଏ ସବୁରେ ବ୍ୟତିକ୍ରମ ଦେଖାଦେଇଛି । ତୁରନ୍ତ ରାଜ୍ୟ ସରକାର ଏନେଇ ପଦକ୍ଷେପ ନେଲେଆଦିବାସୀମାନେ ଉପକୃତ ହୋଇପାରିବେ ବୋଲି ଦାବି ହୋଇଛି ।