ମକର ମେଳା ମହୋତ୍ସବ ଉଦ୍ୟାପିତ

  ବୈଶିଙ୍ଗା : ବୈଶିଙ୍ଗା ଉପକଣ୍ଠ କେନ୍ଦୁଆ ପଞ୍ଚାୟତରେ ଗଢ଼ି ଉଠିଥିବା ବିନୋରୀ ୱେଲଫେୟାର ଅର୍ଗାନାଇଜେସନ ଆନୁକୂଲାରେ ଦୁଇ ଦିନିଆ ନବମ ବାର୍ଷିକ ମକର ମେଳା ମହୋତ୍ସବ ଉଦ୍ୟାପିତ ହୋଇଯାଇଛି । କେନ୍ଦୁଆ ଶିବ ମନ୍ଦିର ପ୍ରାଙ୍ଗଣରେ ଏକ ବର୍ଣ୍ଣାଢ଼୍ୟ ସମାରୋହ ମଧ୍ୟରେ ଅନୁଷ୍ଠିତ ଏହି ମହୋତ୍ସବରେ ମୁଖ୍ୟଅତିଥି ଭାବେ ବଳାଙ୍ଗୀ ମହୋତ୍ସବର ସମ୍ପାଦକ ଶରତ ଚନ୍ଦ୍ର ନାୟକ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ଅନୁଷ୍ଠାନର ସ୍ଥାୟୀ ସଭାପତି ପ୍ରଧାନଶିକ୍ଷକ ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଦୀପକ କୁମାର ନାୟକ ସମ୍ମାନିତ ବକ୍ତା ଭାବେ ଯୋଗ ଦେଇ ଅନୁଷ୍ଠାନର ଉତ୍ତରୋତ୍ତର ଉନ୍ନତି କାମନା କରିବା ସହିତ କଳାର ବିକାଶ ପାଇଁ ଆଞ୍ଚଳିକସ୍ତରରେ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ଦୁଇ ଦିନିଆ ଏହି କାର୍ଯ୍ୟକ୍ରମରେ ଆଞ୍ଚଳିକ ସ୍ତରରେ ଶିକ୍ଷାଲାଭ କରୁଥିବା କୁନି କୁନି କଳାକାରମାନେ ନିଳ ନିଜର କଳାକୃତି ମାଧ୍ୟମରେ ନାଚ, ଗୀତ, ସଙ୍ଗୀତ ପରିବେଷଣ କରିଥିଲେ । ଯୋଗ୍ୟତା ଅନୁଯାୟୀ କୃତୀ କଳାକାରମାନଙ୍କୁ ନିଜର ପାରଦର୍ଶିତା ଅନୁଯାଇ ଅନୁଷ୍ଠାନ ତରଫରୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଉଦ୍ୟାପନୀ ସନ୍ଧ୍ୟାରେ ଭଦ୍ରକରୁ ଆସିଥିବା କଳାକାର ମାନଙ୍କ ଦ୍ୱାରା ମୋଗଲ ତାମସା, ଜଗତସିଂହପୁରରୁ ଆସିଥିବା କଳାକାର ମାନଙ୍କ ଦ୍ୱାରା ଘୋଡା ନାଚ ଏବଂ ବିନୋରୀ ୱେଲଫେୟାର ଅର୍ଗାନାଇଜେସନ ର କଳାକାର ମାନଙ୍କ ଦ୍ୱାରା ସମ୍ବଲପୁରୀ ନୃତ୍ୟ ପରିବେଷଣ କରାଯାଇଥିଲା । ଏକଡେମୀର ସମ୍ପାଦକ ରାଜେନ୍ଦ୍ର କୁମାର ବିନ୍ଧାଣୀ, ସତ୍ତ୍ୱାଧିକାରୀ ଡମ୍ବରୁଧର ବିନ୍ଧାଣୀ ଏବଂ ସହଯୋଗୀ ଭାବେ ଜୀତେନ୍ଦ୍ର କୁମାର ବିନ୍ଧାଣୀ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।  ସମ୍ପାଦକ ରାଜେନ୍ଦ୍ର ବିନ୍ଧାଣୀ ଧନ୍ୟବାଦ ଅର୍ପଣ କରିବା ସହିତ ଆଗାମୀ ଦିନରେ ସମସ୍ତଙ୍କର ସହଯୋଗ ପାଇଁ ଆଶୀର୍ବାଦ ଭିକ୍ଷା କରିଥିଲେ ।