ମଡେଲ ସ୍କୁଲ ନିର୍ମାଣ ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର 

 ବୈଶିଙ୍ଗା :  ଗୋବିନ୍ଦରାୟପୁର ଗ୍ରାମରେ ଏକ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ହେବ ବୋଲି ସରକାରୀସ୍ତରରେ ସ୍ଥିର ହୋଇଥିଲା । ପରବର୍ତ୍ତୀ ଅବସ୍ଥାରେ ଏହି ବିଦ୍ୟାଳୟ ସେଠାରେ ନ ହୋଇ କଳମା ଠାରେ ହେବ ବୋଲି ଜଣାପଡିବା ପରେ ଅଶାନ୍ତିର ପରିବେଶ ସୃଷ୍ଟି ହୋଇଥିଲା । ଏଥିପାଇଁ ୫/୬ ଖଣ୍ଡ ଗ୍ରାମର ଗ୍ରାମବାସୀମାନେ ପୂର୍ବତନ ବିଧାୟକ ଗଣେଶ୍ୱର ପାତ୍ରଙ୍କ ନେତୃତ୍ୱରେ ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଥିଲେ ।  ସଂଖ୍ୟାଲଘୁ ସମ୍ପ୍ରଦାୟ ସମେତ ଓଡ଼ିଆ ଲୋକ ଉକ୍ତ ଗ୍ରାମରେ ବସବାସ କରୁଥିବାବେଳେ ୫ କିମି ମଧ୍ୟରେ ଏଭଳି ବିଦ୍ୟାଳୟ ନ ଥିବାରୁ ଏହି ଆଦର୍ଶ ବିଦ୍ୟାଳୟ ଗୋବିନ୍ଦରାୟପୁର ଗ୍ରାମରେ ପ୍ରତିଷ୍ଠା ହେଲେ ପିଲାମାନେ ଅଧ୍ୟୟନ କରିବା ସହ ନିଜର ଭବିଷ୍ୟତ ଗଠନ କରିପାରିବେ ବୋଲି ସ୍ୱପ୍ନ ଦେଖୁଥିବା ବେଳେ ବିଦ୍ୟାଳୟ ଅନ୍ୟତ୍ର ସ୍ଥାନାନ୍ତରିତ ଖବର ପାଇ ଅଞ୍ଚଳବାସୀ ମର୍ମାହତ ହେବା ସହିତ ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ, ଶିକ୍ଷାମନ୍ତ୍ରୀ, ଜିଲ୍ଲାପାଳ, ଜିଲ୍ଲା ଶିକ୍ଷାଧିକାରୀ, ବେତନଟୀ ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ସମେତ ବିଭିନ୍ନ ପଦାଧିକାରୀଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି । ଉକ୍ତ ବିଦ୍ୟାଳୟରେ ଚାରିଶହରୁ ଅଧିକ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବାବେଳେ କଳମା ସ୍କୁଲରେ ପିଲା ସଂଖ୍ୟା କମ୍ଥିବା ସେମାନେ ଦର୍ଶାଇଛନ୍ତି । ଏ ସମ୍ପର୍କରେ ସେମାନେ ବିଭିନ୍ନ ପଦାଧିକାରୀଙ୍କୁ ଅବଗତ କରାଇଥିବାବେଳେ ଗତ ଶୁକ୍ରବାର ଅପରାହ୍ନରେ ଏକ ବୈଠକରେ ଏକତ୍ରିତ ହୋଇ ଆଲୋଚନା କରିବା ସହିତ ସରକାର କିମ୍ବା ଜିଲ୍ଲା ପ୍ରଶାସନ ଯଦି ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା କରିବାରେ ଟାଳଟୁଳ ନୀତି ଅବଲମ୍ବନ କରନ୍ତି ତେବେ ଜାତୀୟ ରାଜପଥ ଅବରୋଧ କରିବା ସହିତ ବ୍ଲକ, ଜିଲ୍ଲା ଶିକ୍ଷାଧିକାରୀ, ଜିଲ୍ଲାପାଳ, ଗୋଷ୍ଠୀ ଶିକ୍ଷାଧିକାରୀ ବେତନଟୀଙ୍କ କାର୍ଯ୍ୟାଳୟ ଘେରାଓ କରାଯିବ ବୋଲି ସେକ୍ ଆଜିମ ପ୍ରମୁଖ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।