ରେଳଲାଇନ କଡରୁ ନାବାଳିକା ମୃତଦେହ ଉଦ୍ଧାର : ଥାନା ସୀମା ବିବାଦରୁ ୫ଘଣ୍ଟା ପଡ଼ିରହିଲା ଶବ

 ବ୍ୟାସନଗର :  ଯାଜପୁର ରୋଡ ରେଲୱେ ଓଭରବ୍ରିଜ୍ ତଳ ଅହମ୍ମଦ ନଗର ନିକଟବର୍ତ୍ତୀ ରେଳ ଲାଇନ କଡରୁ ଜଣେ ନାବାଳିକାର ମୃତ ଦେହ ଉଦ୍ଧାର ହୋଇଛି । ଖବର ପାଇ ରେଲବାଇ ଓ ଯାଜପୁର ରୋଡ ପୁଲିସ ଘଟଣା ସ୍ଥଳରେ ପହଁଚି ଥିଲେ । ମୃତଦେହ ନିକଟରେ ଉଭୟ ପହଁଚିବା ପରେ କିଏ ଜବତ କରି ତଦନ୍ତ ଆରମ୍ଭ କରିବ ତାକୁ ନେଇ ଆରମ୍ଭ ହୋଇଥିଲା ବିବାଦ । ରେଳଲାଇନ କଡରୁ ୨୦ଫୁଟ ଦୂରତାରେ ପଡିଥିବା ମୃତ ଦେହ ଆମ ଇଲାକାରେ ଯାଉନି ବୋଲି କହି ରେଲବାଇ ପୁଲିସ ଏହି କେସ ହାତକୁ ନେଇପାରିବ ନାହିଁ ବୋଲି ରୋକ୍ ଠୋକ ମନା କରିଦେଥିଲେ । ଏପଟେ ଯାଜପୁର ରୋଡ ପୁଲିସ ରେଳ ଲାଇନ କଡରେ ପଡିଥିବା ମୃତ ଦେହ ଆମ ଇଲାକାରେ  ଆସୁନି ତେଣୁ ଆମେ କିପରି ମୃତ ଦେହ ଉଦ୍ଧାର କରିବୁ ବୋଲି କହିଥିଲେ । ସମୟ ଗଡି ଚାଲିଲା କିନ୍ତୁ ଅଡୁଆ ତୁଟିଲା ନାହିଁ । ଏପଟେ ରେଲୱେ ଓଭରବ୍ରିଜ୍ ଉପରେ ଲୋକ ରୁଣ୍ଡ ହେବା ସହ ମୃତ ଦେହ ନିକଟରେ ଭିଡ ଜମିବା ଯୋଗୁ ଟ୍ରାଫିକ ସମସ୍ୟା ସ୍ରୁଷ୍ଟି ହେଲା । ଏମିତିକି ଘଟଣାସ୍ଥଳରେ ପୁଲିସ ପହଁଚି ଥିଲେ ମଧ୍ୟ ସୀମା ବିବାଦ ପାଇଁ ମୃତ ଦେହଟି ପୁରୁଷ ନା ମହିଳା ଜାଣିବା ମଧ୍ୟ ସମ୍ଭବ ହୋଇପାରି ନଥିଲା । କାରଣ ମୃତ ଦେହ ଉପରେ କପଡା ଢାଙ୍କି ହୋଇଥିଲା । ଯାଜପୁର ରୋଡ ଜିଆରପି ଭଦ୍ରକ ଅଧିକାରୀଙ୍କ ସହ ଯୋଗାଯୋଗ ପରେ ସେଠିକା ଜିଆରପି ଅଧିକାରୀ ମୃତ ଦେହ ନିକଟରେ ପହଁଚି ସେ ମଧ୍ୟ ସମାନ କଥା ଦୋହରାଇ ଥିଲେ । ସୀମା ବିବାଦ ପାଇଁ ୫ ଘଣ୍ଟା ମୃତ ଦେହ ପଡି ରହିବା ପରେ ବାଧ୍ୟ ହୋଇ ଯାଜପୁର ରୋଡ ପୁଲିସ ଟ୍ରାଫିକ ସମସ୍ୟାକୁ ଦେଖି ଉପରିସ୍ଥ ଅଧିକାରୀଙ୍କ ସହ ଆଲୋଚନା କରି ମୃତ ଦେହକୁ ଜବତ କରିଥିଲେ । ଶବ ଜବତ ପରେ ଜଣା ପଡିଲା ମୃତ ଦେହଟି ଜଣେ ନାବାଳିକା । ବୟସ ୭/୮ବର୍ଷ ହେବ । କୌଣସି ଏକ ମେଡ଼ିକାଲ କିମ୍ବା ଘରେ ଚିକିତ୍ସିତ ଅବସ୍ଥାରେ ମୃତୁ୍ୟ ଘଟିଥିବା ମୃତଦେହର ଦୁଇ ଗୋଡ଼ରେ ମେଡିକାଲ ବ୍ୟାଣ୍ଡେଜ୍ ଲାଗିଥିବା କାରଣରୁ ସନେ୍ଦହ କରାଯାଉଛି । ମୃତୁ ପରେ ରେଳଲାଇନ କଡରେ କେହି ଫିଙ୍ଗି ଦେଇଥିବାର ସନେ୍ଦହ କରାଯାଉଛି । ତେବେ ପ୍ରଶ୍ନ ଉଠୁଛି ରେଳ ଲାଇନ କଡରେ ମୃତ ଦେହ ପଡିଥିଲେ ବି ଉଦ୍ଧାର ପାଇଁ ରେଲବାଇ ପୁଲିସ କାହିଁକି ଅମଙ୍ଗ ହେଲା । ସୀମା ବିବାଦ ଆଗକୁ ତୀବ୍ର ହେବ ବୋଲି ଆଜିର ଘଟଣାରୁ ଜଣାପଡ଼ିଯାଉଛି । ନାବାଳିକାର ପରିଚୟ ପାଇଁ ପୁଲିସ ଖୋଳତାଡ଼ ଆରମ୍ଭ କରିଛି ।