ଏମପିଭି ୩୩ ଗାଁରେ ବିଶୁଦ୍ଧ ପାନୀୟଜଳ ବ୍ୟବସ୍ଥା କରିବାକୁ ଦାବି
ାା ପ୍ରଭାନୁ୍ୟଜ୍ ।ା ମାଲକାନଗିରି: କାଲିମେଳା ବ୍ଳକ ଅନ୍ତର୍ଗତ ଏମପିଭି-୩୩ ଗାଁର୭୮ ବର୍ଷିୟା ବୃଦ୍ଧା କୁମୁଦିନୀ ହାଲଦାର । ଦୀର୍ଘ ୪ ବର୍ଷ ହେଲା ତାଙ୍କର ଦୁଇଟି ଯାକ କିଡନୀ ଖରାପ ହୋଇଯାଇଥିବା ବେଳେ ଏବେ ମରଣ ସହ ସଂଘର୍ଷ କରୁଛନ୍ତି । ସେ ପ୍ରଥମେ କାଲିମେଳା ଓ ପରେ ଆନ୍ଧ୍ରପ୍ରଦେଶରେ ଚିକିତ୍ସିତ ହୋଇ ଘରକୁ ଫେରିଛନ୍ତି । ଅର୍ଥ ଅଭାବରୁ ହୋଇପାରୁନି ଉନ୍ନତ ଚିକିତ୍ସା । ସେହିପରି ଗାଁର ଆଉ ଜଣେ ବ୍ୟକ୍ତି ଆଶୁତୋଷ ରାୟ କିଡ଼ନୀ ରୋଗରେ ଆକ୍ରାନ୍ତ ଅଛନ୍ତି । ତାଙ୍କର ଦୁଇଟି ଯାକ କିଡ଼ିନୀ ଦୁଇ ବର୍ଷ ହେଲା ଖରାପ ହୋଇଯାଇଛି । ଆଗଭଳି ଆଉ କାମଧନ୍ଦା କରିପାରୁନାହାନ୍ତି । କାମ ନକଲେ ପରିବାର କିପରି ଚଳିବ ବୋଲି କହିଛନ୍ତି ଆଶୁତୋଷ । ଗାଁରେ ଏକ ହଜାର ଲୋକ ବସବାସ କରୁଥିବା ବେଳେ ସେମାନଙ୍କ ପାଇଁ ବିଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା ନାହିଁ । ଗାଁରେ ଥିବା ୯ଟି ନଳକୂଅ ମଧ୍ୟରୁ ୫ଟି ଖରାପ । ଆଉ ୪ଟି ନଳକୂଅରୁ ବାହାରୁଛି ଆଇରନ ମିଶା ପାଣି । ଗାଁ ମଝିରେ ୧୦ ହଜାର ଲିଟର କ୍ଷମତା ବିଶିଷ୍ଟ ପାଣି ଟାଙ୍କି ବସିଛି ତାହା ମଧ୍ୟ ଅଚଳ । ଷ୍ଟାଣ୍ଡପୋଷ୍ଟ ଭାଙ୍ଗିରୁଜି ଗଲାଣି । ଫଳରେ ଲୋକମାନେ ଦୁଷିତ ପାଣି ପିଇ କିଡ଼ିନୀ ରୋଗରେ ଆକ୍ରାନ୍ତ ହେଉଥିବା ଅଭିଯୋଗ ହୋଇଛି । ମାସକରେ କିଡନୀ ରୋଗରେ ଆକ୍ରାନ୍ତ ହୋଇ ୩ ଜଣଙ୍କ ମୃତ୍ୟୁ ହେଲାଣି । ବର୍ତମାନ ସୁଦ୍ଧା ଗାଁ ର ୨୦ରୁ ଅଧିକ ଆକ୍ରାନ୍ତ ଅଛନ୍ତି । ଘରେ ଘରେ କିଡନୀ ରୋଗୀ ମରଣ ସହ ଲଢ଼େଇ କରୁଛନ୍ତି । ତୁରନ୍ତ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଗୁହାରି କରିଛନ୍ତି ଗ୍ରାମବାସୀ । ଗଣମାଧ୍ୟମରେ ଖବର ପ୍ରକାଶ ପରେ ଗାଁକୁ ସ୍ୱାସ୍ଥ୍ୟ ବିଭାଗ ଆସି ପାଣି ନମୁନା ସଂଗ୍ରହ କରିବା ସହିତ ଲୋକଙ୍କୁ ପଚରା ଉଚରା କରି ଫେରିଯାଇଛି । ହେଲେ ସମାସ୍ୟାର ସମାଧାନ ହୋଇନାହିଁ । ଯାହାକୁ ନେଇ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ଗାଁରେ ବିଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି ।