ମରାମତି କରିବାକୁ ମନ କରୁନି ବିଭାଗ : ଲକ୍ଷ୍ମୀନଗର-ପାଟରଙ୍ଗା ବିପର୍ଯ୍ୟସ୍ତ
ରଗଡି: ଗାଁ ରାସ୍ତାକୁ ସହର ଭଳି କରାଯାଉଛି । କୋଟି କୋଟି ଟଙ୍କା ଅନୁଦାନରେ ରାସ୍ତା କରାଯାଉଥିବା କଥା କୁହା ଯାଉଥିଲେ ହେଁ ଗ୍ରାମ୍ୟ ଉନ୍ନୟନ ବିଭାଗ କିନ୍ତୁ ବିପର୍ଯ୍ୟସ୍ତ ହୋଇପଡ଼ିଥିବା ରାସ୍ତା ମରାମତି କରିବାକୁ ନାଁ ଧରୁନି । ଯାହା ଫଳରେ ରାସ୍ତା ଉପରେ ନିର୍ଭର କରୁଥିବା ଲୋକେ ଦଦରା ରାସ୍ତାରେ ନିଈତି ଯିବା ଆସିବା କରିବାକୁ ବାଧ୍ୟ ହେଉଛନ୍ତି ।
ଏଭଳି ଚିତ୍ର କୋରେଇ ବ୍ଲକ ଅନ୍ତର୍ଗତ ୨୦ ନଂ ଜାତୀୟ ରାଜପଥ ଲକ୍ଷ୍ମୀନଗର ଛକ ପାଟରଙ୍ଗା ନୁଆସାହିଭାୟା ଅରଣ୍ୟମଦନା ରାସ୍ତା । ସଂପୃକ୍ତ ୩ କିମି ରାସ୍ତାର ବିଭିନ୍ନ ସ୍ଥାନରେ ପିଚୁ ଉଠିଯାଇ ଖାଲଖମାରେ ପରିପୂର୍ଣ୍ଣ ହୋଇପଡ଼ିଛି । ଯାହା ଫଳରେ ଯାତାୟାତରେ ସମସ୍ୟା ସୃଷ୍ଟି ହୋଇଛି । ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନ ଏହି ରାସ୍ତା ମରାମତି ଅଭାବରୁ ଦିନକୁ ଦିନ ବିପର୍ଯ୍ୟସ୍ତ ହେବାରେ ଲାଗିଛି । କୋରେଇ ବ୍ଲକର ଏହି ରାସ୍ତାଟି ଯାତାୟାତ ବହୁଳ ରାସ୍ତା ଭାବେ ପରିଚିତ ଥିବା ବେଳେ ପାଟରଙ୍ଗା, ନୁଆସାହି, ଗୋହିରାଗଡିଆ, ଭାଲୁକାହୁଡ଼ି, ମଣ୍ଡପଡା ତଥା ଅରଣ୍ୟମଦନା ପ୍ରଭୃତି ଗ୍ରାମବାସୀ ଏହା ଉପରେ ନିର୍ଭର କରନ୍ତି । ବିଭାଗୀୟ କର୍ତୃପକ୍ଷ ରାସ୍ତା ମରାମତି ଉପରେ ଦୃଷ୍ଟି ଦେବାକୁ ଦାବି ହୋଇଛି ।