ମହିମାଗାଦିକୁ ବ୍ଲକ୍ ଗଠନ ପାଇଁ ଦାବି

 ଢେଙ୍କାନାଳ : ଗଁଦିଆ ବ୍ଲକ୍ ଅନ୍ତର୍ଗତ ମହିମାଗାଦି ଆଞ୍ଚଳିକ ବିକାଶ ପରିଷଦ ପକ୍ଷରୁ ମହିମାଗାଦି ବ୍ଲକ୍ ଗଠନ ପାଇଁ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ପ୍ରକାଶ ଯେ, ଗଁଦିଆ ବ୍ଲକ୍ର ପଶ୍ଚିମରେ ଥିବା ଯୋରନ୍ଦା ସମେତ ୮ଟି ଗ୍ରାମ ପଞ୍ଚାୟତ ଜନବହୁଳ ଅଞ୍ଚଳ ଅଟେ । ଏଠାରେ ବିଶ୍ୱ ପ୍ରସିଦ୍ଧ ମହିମାଗାଦି ପର୍ଯ୍ୟଟନ ସ୍ଥଳୀ ଅଛି । ଗଁଦିଆ ବ୍ଲକ୍ର ସର୍ବପୁରାତନ ବାଣିଜି୍ୟକ ପେଣ୍ଠସ୍ଥଳୀ ଭାବେ ଏହା ଜଣାଶୁଣା । ଭୌଗଳିକ ଦୃଷ୍ଟି କୋଣରୁ ଦେଖିଲେ ପାରିପାଶ୍ୱର୍ିକ ପ୍ରାୟ ୧୫ଟି ପଞ୍ଚାୟତର ଏହା କେନ୍ଦ୍ରସ୍ଥଳୀ ଅଟେ । ଏହି ପଞ୍ଚାୟତଗୁଡିକ ମହିମାଗାଦି ଠାରୁ ମାତ୍ର ୧୦ କି.ମି ପରିଧି ମଧ୍ୟରେ ଅବସ୍ଥିତ । ପ୍ରତ୍ୟେକ ଗ୍ରାମ ପଂଚାୟତରୁ ମହିମାଗାଦିକୁ ଉତ୍ତମ ଗମନାଗମନ ରହିଛି । ଗଁଦିଆ ବ୍ଲକ୍ର ପ୍ରଥମ ମଧ୍ୟ ଇଂରାଜୀ ବିଦ୍ୟାଳୟ, ପ୍ରଥମ ଉଚ୍ଚ ବିଦ୍ୟାଳୟ, ପ୍ରଥମ ମହାବିଦ୍ୟାଳୟ, ପ୍ରଥମ ଉପଡାକଘର ଓ ସ୍ୱାଧୀନତା ପରବର୍ତ୍ତୀ ସମୟରେ ଯୋରନ୍ଦା ଠାରେ ତହସିଲ ଅଫିସ୍ କାର୍ଯ୍ୟ କରୁଥିଲା । କିନ୍ତୁ କାଳକ୍ରମେ ଏଠାରୁ ତହସିଲ କାର୍ଯ୍ୟାଳୟକୁ ଗଁଦିଆକୁ ଉଠାଇ ନିଆଯାଇଥିଲା । ଫଳରେ ବିଭିନ୍ନ କ୍ଷେତ୍ରରେ ଯୋରନ୍ଦା ଅଞ୍ଚଳକୁ ଉପେକ୍ଷିତ କରାଯାଇଛି । ତେଣୁ ଏଠାରେ ପ୍ରସ୍ତାବିତ ମହିମାଗାଦି ବ୍ଲକ୍ ଗଠନ ହେଲେ ଯୋରନ୍ଦା ଅଞ୍ଚଳ ନ୍ୟାୟ ପାଇବ ଓ ଜନସାଧାରଣଙ୍କ ଉପଯୁକ୍ତ ସେବା ପାଇପାରିବେ । ଜନ ସଂଖ୍ୟା ଦୃଷ୍ଟିରୁ ଏହାର ଆଖପାଖ ସମସ୍ତ ପଞ୍ଚାୟତ ଜନବହୁଳ ଯାହାକି ବ୍ଲକ୍ ଗଠନର ଆବଶ୍ୟକତା ପୂରଣ କରୁଛି । ଏଠାରେ ୪ଟି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ୩ଟି ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ଅଛି । ପୁନଶ୍ଚ ନେଉଳପୋଇ ଗ୍ରାମ ପଞ୍ଚାୟତ ଠାରେ ଏକ ବୃହତ ସୋଲାର ପ୍ୟାନେଲ୍ କମ୍ପାନୀ କାର୍ଯ୍ୟ ଆରମ୍ଭ କରିଛି । ତେଣୁ ମହିମାଗାଦି ବ୍ଲକ୍ ଗଠନ ହେଲେ ଏ ଅଞ୍ଚଳର ପ୍ରଭୃତ ମାତ୍ରାରେ ବିକାଶ ହେବ ବୋଲି ଯୋରନ୍ଦା ଅଞ୍ଚଳବାସୀଙ୍କର ଦୃଢ ଆଶା ଓ ବିଶ୍ୱାସ । ବର୍ତ୍ତମାନର ସରକାର ଲୋକମାନଙ୍କ ନିକଟତର ହେବା ପାଇଁ ସମସ୍ତ ଯୋଜନା ପ୍ରସ୍ତୁତ କରୁଥିବା ବେଳେ ମହିମାଗାଦି ଠାରେ ବ୍ଲକ୍ ଗଠନ ହେଲେ ପ୍ରାୟ ୧୫ଟି ଗ୍ରାମପଞ୍ଚାୟତ ଜନସାଧାରଣ ପ୍ରଶାସନିକ ସୁବିଧା ପାଇପାରିବେ । ମହିମାଗାଦି ବ୍ଲକ୍ ଗଠନ ହେଲେ ମହିମାଗାଦି ଅଞ୍ଚଳ ଜନସାଧାରଣଙ୍କ ଉପଯୁକ୍ତ ସେବା ପାଇପାରିବେ ବୋଲି ମହିମାଗାଦି ଆଞ୍ଚଳିକ ବିକାଶ ପରିଷଦ ପକ୍ଷରୁ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି । ଏହି ଦାବିପତ୍ର ପ୍ରଦାନ ବେଳେ ମହିମାଗାଦି ଆଞ୍ଚଳିକ ବିକାଶ ପରିଷଦ ସଭାପତି ଚିତ୍ତରଞ୍ଜନ ମହାନ୍ତି, କୌପିନଧାରୀ ମହିମା ସମାଜ ସଂପାଦକ ବାବା ସୁଶାନ୍ତ ଦାସ, ବାବା ନଟବର ଦାସ, ସତ୍ୟ ମହିମା ଧର୍ମ ଧାମ ସଂପାଦକ ବାବା ନିତ୍ୟାନନ୍ଦ ଦାସ, ଜିଲ୍ଲାପରିଷଦ ସଭ୍ୟ ବିଶ୍ୱନାଥ ଚିନରା, ପୀତବାସ ରାଉତ, ପ୍ରକାଶ କୁମାର ରାଉତ, ନିମାଇଁ ଚରଣ ରାଉତ, ରମେଶ ଚନ୍ଦ୍ର ରାଉତ, ପ୍ରାଣବନ୍ଧୁ ରାଉତ, ସଞ୍ଜୟ କୁମାର ରାଉତ, ପଙ୍କଜ କୁମାର ରାଉତ, ପ୍ରମୋଦ ରାଉତ, ଚନ୍ଦ୍ରମଣି ପ୍ରଧାନ, ସୁଧାଂଶୁ ଶେଖର ରାଉତ, ଆବାହକ ଆନନ୍ଦ ଚନ୍ଦ୍ର ମହାନ୍ତି, ବିକାଶ ପରିଷଦର ସଭ୍ୟ ଯଦୁନନ୍ଦନ ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।