ମହିଳାଙ୍କ କଙ୍କାଳ ଉଦ୍ଧାର ଘଟଣା : ପରୀକ୍ଷା ପାଇଁ ଗଲା ନମୁନା 

କୁଆଖିଆ:  ଦେଢମାସ ତଳେ ନିଖୋଜ ହୋଇଥିବା କୁଆଖିଆ ଥାନା ଅନ୍ତର୍ଗତ ଗନ୍ଧଣ ଗ୍ରାମର ମଂଜୁଲତା ସ୍ୱାଇଁଙ୍କ ମୃତ କଙ୍କାଳର ଡିଏନ୍ ପରିକ୍ଷା ପାଇଁ ପୁଲିସ ଆଜି ମେଡ଼ିକାଲ ପଠାଇଥିବା ଜଣାପଡିଛି । ଆଜି ପୂର୍ବାହ୍ନ ୧୦ଟା ବେଳେ ପୁଲିସ ଏସ୍ଆଇ ମନୋଜ କୁମାର ପରିଡା ସାଇଂଟିଫିକ୍ ଟିମ୍ ସହ ଯାଇ କାଜୁ ଗଛ ତଳେ ପଡିଥିବା କଙ୍କାଳ ଗୁଡିକୁ ସଂଗ୍ରହ କରି  ନମୁନା ପରିକ୍ଷା ପାଇଁ ପଠାଇ ମୃତକର ପୁଅ ଆଶିଷକୁ କଙ୍କାଳ ଗୁଡିକୁ ହସ୍ତାନ୍ତର କରିଥିଲେ । ତେବେ ମହିଳା ଜଣକ କେଉଁ ପରିସ୍ଥିତିରେ ଏପରି ଏକ ଜଙ୍ଗଲ ମଧ୍ୟରେ ମୃତ୍ୟୁ ବରଣ କଲା ସେଥି ନେଇ ସ୍ଥାନୀୟ ଲୋକଙ୍କ ମନରେ ସନେ୍ଦହ ସୃଷ୍ଟି ହୋଇଥିବା ବେଳେ ମେଡ଼ିକାଲ ରିପୋର୍ଟ ଆସିଲେ ଘଟଣାର ରହସ୍ୟ ଉନ୍ମୋଚନ ହେବ ବୋଲି ଆଶା କରାଯାଉଛି । ସୂଚନାଯୋଗ୍ୟ ଯେ ଗତକାଲି କୁଆଖିଆ ଥାନା ଅନ୍ତର୍ଗତ ବଡ଼କଇଁଚି ପାଞ୍ଚଗୋଛିଆ ଗ୍ରାମର କିଛି ଚାଷୀ କାଜୁ ବଣ ଭିତରେ ଜଣେ ମହିଳାଙ୍କ ଶାଢୀ ଝୁଲୁଥିବା ଦେଖିବାକୁ ପାଇଥିଲେ । ଗଛ ତଳେ କୈାଣସି ମହିଳାଙ୍କ ମୁଣ୍ଡ ଖପୁରୀ, ହାତ, ଗୋଡ଼ର ହାଡ, ମହିଳାଙ୍କ କେଶ ଓ କେଶ ବନ୍ଧା ନୀଳ ରଙ୍ଗର ବ୍ୟାଣ୍ଡ୍ ପଡିଥିବା ଦେଖିବାକୁ ପାଇଥିଲେ । ଖବରଟି ପ୍ରଚାର ହେବା ପରେ ନିକଟ ଗନ୍ଧଣ ଗ୍ରାମର ଆଶିଷ କୁମାର ସ୍ୱାଇଁ ଖବର ଶୁଣି ଘଟଣା ସ୍ଥଳରେ ପହଁଚି ମୃତ ମହିଳା ପିନ୍ଧା ଲୁଗାରୁ ନିଜ ମାଆ ବୋଲି ଜାଣିବାକୁ ପାଇଥିଲେ । ମୃତ ମହିଳା ଗନ୍ଧଣ ଗ୍ରାମର ସ୍ୱର୍ଗତ୍ ଅରୁନ୍ଦ୍ର ସ୍ୱାଇଁ ସ୍ତ୍ରୀ ମଂଜୁଲତା (୫୦) ହୋଇଥିବା ବେଳେ ଆଜିକୁ ଦେଢମାସ ତଳେ ଘରୁ ନିଖୋଜ ଥିଲେ । ଏନେଇ ପୁଅ ଆଶିଷ କୁଆଖିଆ ଥାନାରେ ଗତମାସ ୨୦ା୬ା୨୦୨୫ରେ କୁଆଖିଆ ଥାନାରେ ଅଭିଯୋଗ କରିଥିଲେ ।