‘ମା ପାଇଁ ଗଛଟିଏ’ କାର୍ଯ୍ୟକ୍ରମ
ବ୍ରହ୍ମଗିରି : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ ତମ ଜନ୍ମଦିନ ଉପଲକ୍ଷେ ଆସନ୍ତା ୧୭ରିଖରେ ରାଜ୍ୟରେ ବ୍ୟାପକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏନେଇ ବ୍ୟବସ୍ଥା କରାଯିବା ସହ ସରକାରଙ୍କ ବିଭିନ୍ନ ବିଭାଗ ଦାୟିତ୍ୱ ନେଇଥିବା ବେଳେ ବିଭିନ୍ନ ପଞ୍ଚାୟତକୁ ବୃକ୍ଷ ଯୋଗାଯାଇଛି । ବ୍ୟାପକ ଭାବେ ବୃକ୍ଷ ରୋପଣ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭିଡିଓ ବାର୍ତ୍ତାରେ ଆହ୍ୱାନ କରି ଜନ୍ମଦାତ୍ରୀ ମା’ ପ୍ରତି ସମ୍ମାନ ପ୍ରଦର୍ଶନ କରି ଅତୁଟ ସ୍ନେହ ଶ୍ରଦ୍ଧା ରଖି ଧରିତ୍ରୀ ମା’ର ସୁରକ୍ଷା ଉଦେ୍ଦଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଏକ ପେଡ୍ ମା କେ ନାମ୍’ ପରିକଳ୍ପନା କରିଥିଲେ । ଗତବର୍ଷ ଠାରୁ ଆରମ୍ଭ ଏହି ମେଗା କାର୍ଯ୍ୟକ୍ରମ ଜନ ଆନେ୍ଦାଳନରେ ପରିଣତ ହୋଇଛି ବୋଲି କହିଥିଲେ । ବ୍ରହ୍ମଗିରି କୃଷ୍ଣପ୍ରସାଦରେ କାର୍ଯ୍ୟକ୍ରମ ପାଇଁ ବ୍ୟାପକ ପ୍ରଚାର ଚାଲିଛି । ସର୍ବଭାରତୀୟ ସ୍ତରରେ ପ୍ରାୟ ୭ କୋଟି ଗଛ ଲାଗିବାର କାର୍ଯ୍ୟକ୍ରମ ଥିବାବେଳେ ଓଡ଼ିଶାରେ ପ୍ରାୟ ୭୫ ଲକ୍ଷ ଗଛ ଲଗାଯିବାର ପ୍ରୟାସ ରହିଛି । ବ୍ରହ୍ମଗିରି ଅଧିନସ୍ଥ ପଞ୍ଚାୟତରେ ୨୩,୧୦୦ଗଛ ଏବଂ ପୁରୀ ବ୍ଲକ୍ ଅଧିନ ବ୍ରହ୍ମଗିରି ପଞ୍ଚାୟତରେ ୭୨୦୦ଗଛ ପିଓ ଓ ସରପଞ୍ଚମାନଙ୍କୁ ଦିଆଯାଇଛି । କୃଷ୍ଣପ୍ରସାଦ ବ୍ଲକର ୧୩ ଟି ପଞ୍ଚାୟତକୁ ୧୨,୩୫୦ ଗଛ ଯୋଗାଇ ଦିଆଯାଇଛି । ସମାଜସେବୀ ସୌଭାଗ୍ୟ ପଟ୍ଟନାୟକ ଲୋକ ସଚେତନ ହୋଇ ଜୀବନକାଳ ମଧ୍ୟରେ ନିଶ୍ଚିତ ଭାବରେ ଗଛଟିଏ ଲଗାଇବାକୁ ସେ କହିଥିଲେ ।