ମା’ ବାଟମଙ୍ଗଳା ମନ୍ଦିର ପ୍ରତିଷ୍ଠା
କପ୍ତିପଦା: କପ୍ତିପଦା ଦଧିବାମନ ଜୀଉ ମନ୍ଦିର ପରିସରରେ ମା’ ବାଟମଙ୍ଗଳା ମନ୍ଦିରର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ୯ ତାରିଖରେ ଯଜ୍ଞର ଅଧିବାସ, ଅଙ୍କୁରାରୋପଣ, ପଞ୍ଚଗବ୍ୟ କାୟା ଶୁଦ୍ଧି, ମଙ୍ଗଳାରର୍ପଣ ପରେ ମାଦଳ, ଧୁମ୍ସା, ସଂକୀର୍ତ୍ତନ ମଣ୍ଡଳୀର ତାଳେତାଳେ ବିରାଟ ଶୋଭାଯାତ୍ରାରେ ସୋନ ନଦୀରୁ ଘଟୋତ୍ତଳନ କରାଯାଇ ଯଜ୍ଞ ମଣ୍ଡପରେ ସ୍ଥାପନ କରାଯାଇଥିଲା । ଉକ୍ତ ଦିବସରେ ଗୁରୁ ପୂଜା, ସୂର୍ଯ୍ୟପୂଜା, ଘଟ ମଣ୍ଡଳାଦିପୂଜା, ଅଗ୍ନି ସ୍ଥାପନ ପରେ ମାଆଙ୍କର ବିଗ୍ରହ ପ୍ରାଣ ପ୍ରତିଷ୍ଠା ନ୍ୟାସ ଓ ହୋମ କର୍ମ ସଂପାଦନ କରାଯାଇ ମନ୍ଦିର ଶିଖରରେ ଚକ୍ର ସ୍ଥାପନ କରାଯାଇଥିଲା । ଶହଶହ ମହିଳାଙ୍କର ହୁଳହୁଳି, ଶଙ୍ଖ ଏବଂ ସଂକୀର୍ତ୍ତନ ମଣ୍ଡଳୀଙ୍କ ବାଦ୍ୟରେ ମନ୍ଦିର ପରିସରରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ସନ୍ଧ୍ୟାରେ ମାଆ ନ୍ୟାସ ମଣ୍ଡପରୁ ସିଂହାସନକୁ ବିଜେ ପରେ ଷୋଡ଼ଶପଚାର ପୂଜା ଅନୁଷ୍ଠିତ ହୋଇଥିଲା । ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା କର୍ମକାଣ୍ଡବିତ୍ ରାଜେନ୍ଦ୍ର ନନ୍ଦ, ନୀଳକଣ୍ଠ ମହାପାତ୍ର, ଅମରେନ୍ଦ୍ର ପଣ୍ଡା, ଦିଲ୍ଲୀପ କୁମାର ଦାଶ, ଭଗବାନ ଆଚାର୍ଯ୍ୟ, ବିକାଶ ପଣ୍ଡା, ମନ୍ଦିରର ମୁଖ୍ୟ ପୂଜକ ସୁଶାନ୍ତ ମିଶ୍ର, ରଜତ ମିଶ୍ର, ଆଶୁତୋଷ ମିଶ୍ର, ଦୁର୍ଲଭ ମିଶ୍ର, ଏବଂ ସହଯୋଗୀ ବ୍ରାହ୍ମଣମଣ୍ଡଳୀଙ୍କ ଦ୍ୱାରା ପୂଜା କାର୍ଯ୍ୟ ସଂପାଦନ ହୋଇଥିବା ବେଳେ ମନ୍ଦିରର ପ୍ରତିଷ୍ଠାତା ଯଜ୍ଞର କର୍ତ୍ତାଭାବେ ରାଜପରିବାର ସଦସ୍ୟ ହରିଶ୍ଚନ୍ଦ୍ର ସାଏ, ପୂର୍ଣ୍ଣଚନ୍ଦ୍ର ମିଶ୍ର, ପ୍ରତାପ ଚନ୍ଦ୍ର ଶତପଥୀ ଏବଂ ତାଙ୍କର ସହଧର୍ମିଣୀ ମନୋଜା ସାଏ, ସଂଯୁକ୍ତା ଦାଶ, ଗୀତାଞ୍ଜଳି ଶତପଥୀ କାର୍ଯ୍ୟ ସଂପାଦନ କରିଥିଲେ । ଏହି ଅବସରରେ ପ୍ରତ୍ୟେକ ସନ୍ଧ୍ୟାରେ ପୁରୀ କରମଳା ଆଶ୍ରମର ସାଧୁ ବାବା ହରିଶଙ୍କର ଦାସ ମହାରାଜଙ୍କ ଦ୍ୱାରା ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।