ଏଟିଏମ୍ ଅଚଳ, ଉପଭୋକ୍ତା ହନ୍ତସନ୍ତ
ଆନନ୍ଦପୁର : ଘଷିପୁରା ବ୍ଲକ୍ ଅନ୍ତର୍ଗତ ସାଇଁକୁଳ ବଜାର ଦୁର୍ଗା ମାର୍କେଟ କମ୍ପ୍ଲେକ୍ସରେ ଥିବା ଏସ୍ବିଆଇ ଏଟିଏମ୍ ଦୀର୍ଘଦିନ ହେବ ଅଚଳ ହୋଇ ପଡିରହିଛି । ଅନ୍ୟପଟେ ସାଇଁକୁଳ ବଜାରରେ ଥିବା ସିଣ୍ଡିକେଟ ବ୍ୟାଙ୍କର ଏଟିଏମ୍ ଏବଂ ସମବାୟ ବ୍ୟାଙ୍କ୍ରେ ଥିବା ଏଟିଏମ୍ ଗୁଡିକ ମଧ୍ୟ ବିଭିନ୍ନ ସମୟରେ ଅଚଳ ରହୁଥିବା ଏବଂ ସମ୍ପୃକ୍ତ ବ୍ୟାଙ୍କ ପକ୍ଷରୁ ଟଙ୍କା ଏଟିଏମ୍ ମେସିନରେ ସଠିକ୍ ସମୟରେ ଭରା ଯାଉ ନଥିବାରୁ ଟଙ୍କା ଉଠାଣରେ ସମସ୍ୟା ଉପୁଜିଛି । ଫଳରେ ଉପଭୋକ୍ତାଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଆଖ ପାଖ ଅଞ୍ଚଳର ହଜାର ହଜାର ଉପଭୋକ୍ତା ଏହି ସବୁ ଏଟିଏମ ଉପରେ ଭରଷା କରି ଆସୁଥିବା ବେଳେ ଅଚଳ ଏଟିଏମ୍ ପାଇଁ ନିରାଶ ହୋଇ ଫେରୁଛନ୍ତି । ଆନନ୍ଦପୁର ଉପଖଣ୍ଡର ମୁଖ୍ୟ ବ୍ୟବସାୟିକ କେନ୍ଦ୍ରସ୍ଥଳ ଭାବେ ସାଇଁକୁଳ ଅଂଚଳ ପରିଚିତ ଥିବାବେଳେ ଏଠାରେ ମଧ୍ୟ ପତିତପାବନ ମହାବିଦ୍ୟାଳୟ, ଫାଣ୍ଡି, ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର, ସବ୍ ରେଜିଷ୍ଟ୍ରାର ପରି ଅନେକ ସରକାରୀ କାର୍ଯ୍ୟାଳୟ ରହିଛି । ତେବେ ପ୍ରତିଦିନ ବହୁ ଲୋକ ଟଙ୍କା ଜମା ଏବଂ ଉଠାଣ ପାଇଁ ନିର୍ଭର କରିଥାନ୍ତି । ସେହିପରି ଏଟିଏମ୍ରେ ଟଙ୍କା ନଥିବା ସହ ବାରମ୍ବାର ଅଚଳ ହୋଇପଡ଼ିଥିବା ଯୋଗୁ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏନେଇ ବିଭିନ୍ନ ମହଲରେ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ଏଥିପ୍ରତି ବିଭାଗୀୟ ଅଧିକାରୀ ଦୃଷ୍ଟି ଦେଇ ତୁରନ୍ତ ସମସ୍ୟା ସମାଧାନ କରିବା ପାଇଁ ଯୁବ ବ୍ୟବସାୟୀ ଅଭିମନୁ୍ୟ ବିଶ୍ୱାଳ ଦାବି କରିଛନ୍ତି ।