ଜଙ୍ଗଲର ଭ୍ରମ ସୃଷ୍ଟି କରୁଛି ଡ୍ରେନ୍

 ଖଣ୍ଡପଡା : ଖଣ୍ଡପଡା ସହରାଞ୍ଚଳ ଅଧୀନ ବିଭିନ୍ନ ୱାର୍ଡରେ ଡ୍ରେନେଜ ସମସ୍ୟା ଅଞ୍ଚଳବାସୀଙ୍କ ପାଇଁ ଚିନ୍ତାର କାରଣ ହୋଇଥିବା ଅଭିଯୋଗ ହୋଇଛି । ବର୍ଷ ବର୍ଷ ଧରି ପୁନରୁଦ୍ଧାର କେବଳ କାଗଜପତ୍ରରେ ସୀମିତ ଥିବା ଅଭିଯୋଗ କରିଛନ୍ତି ସହରାଞ୍ଚଳ ବାସିନ୍ଦା । ମିଳିଥିବା ସୂଚନା ଅନୁଯାୟୀ ସହରାଞ୍ଚଳ ଅନ୍ତର୍ଗତ ୯ନଂ ୱାର୍ଡ ମଣିକର୍ଣ୍ଣିକା ସାହିରୁ ଭୁଟୁଭୁଟି ରାସ୍ତା ଦେଇ ଯାଇଥିବା ଡ୍ରେନ ଏବେ ଜଙ୍ଗଲର ଭ୍ରମ ସୃଷ୍ଟି କରିଛି । ପୂର୍ତ୍ତ ରାସ୍ତାକୁ ସଂଯୋଗ କରୁଥିବା ଉକ୍ତ ଡ୍ରେନଟି ଏକ ପ୍ରମୁଖ ରାସ୍ତା ହୋଇଥିବା ବେଳେ ବର୍ତ୍ତମାନ କିନ୍ତୁ ଜଙ୍ଗଲର ଭ୍ରମ ସୃଷ୍ଟି କରୁଛି । ଡ୍ରେନ୍ର ଉଭୟ ପାର୍ଶ୍ୱରେ ଅନାବନା ଗଛଲତା ପରିପୂର୍ଣ୍ଣ ହୋଇଥିବାବେଳେ ରାସ୍ତାକୁ ମଧ୍ୟ ମାଡିଗଲାଣି । ଫଳରେ ରାସ୍ତାରେ ଯାଉଥିବା ଲୋକେ ଓ ଗୃହପାଳିତ ପଶୁ ଡ୍ରେନ୍ରେ ପଡି ଲହୁଲୁହାଣ ହେଉଥିବା ଅଭିଯୋଗ ହେଉଛି । ଉକ୍ତ ସ୍ଥାନରେ ପ୍ରତିବର୍ଷ ଡ୍ରେନ୍ରୁ ଅଳିଆ ଆବର୍ଜନା ସଫା ନ ହେବା ଯୋଗୁଁ ଲଗାଣ ବର୍ଷାରେ ସ୍ଥିତି ଅଣାୟତ ହେଉଛି । ଫଳରେ ଅଳିଆ ଆବର୍ଜନା ଓ ନର୍ଦ୍ଦମା ଜଳ ଡ୍ରେନ୍ରୁ ଉଛୁଳିବା ସହିତ ନିକଟରେ ଥିବା ଚାଷ ଜମିରେ ପ୍ରବେଶ କରୁଛି । ଏ ସମ୍ପର୍କରେ ଏନ୍ଏସି କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଅଭିଯୋଗ ହେଲେ ମଧ୍ୟ ସୁଫଳ ମିଳୁନଥିବା କ୍ଷୋଭର ସହ କୁହନ୍ତି ସ୍ଥାନୀୟ ବାସିନ୍ଦା । ବିଶେଷ କରି ସହରାଞ୍ଚଳ ସମସ୍ତ ଆବର୍ଜନା ମିଶ୍ରିତ ଜଳ ଉକ୍ତ ସ୍ଥାନରେ ଡ୍ରେନ୍ ମାଧ୍ୟମରେ କୁସୁମି ନଦୀକୁ ନିଷ୍କାସିତ କରାଯିବା ନେଇ ବ୍ୟବସ୍ଥା କରାଯାଇଥିବା ବେଳେ ୫ ଶହ ମିଟର ଡ୍ରେନ୍ ଆଜିପର୍ଯ୍ୟନ୍ତ ନିର୍ମାଣ କରାଯାଇପାରିନାହିଁ । ଅନ୍ୟପକ୍ଷରେ ଏନଏସି ପକ୍ଷରୁ ସହରାଞ୍ଚଳ ବିଭିନ୍ନ ଡ୍ରେନ୍ ଗୁଡିକ ସଫେଇ କରାଯାଉଥିଲେ ହେଁ ଅଳିଆ ଓ ଆବର୍ଜନା ଗୁଡ଼ିକ ଡ୍ରେନ୍ ସଂଲଗ୍ନ ରାସ୍ତାରେ ଜମା ହୋଇଥିବାରୁ ପୁଣିଥରେ ପୋତି ହୋଇପଡିବାର ଆଶଙ୍କା ସୃଷ୍ଟି ହୋଇଛି । ମୌସୁମୀ ବର୍ଷା ଆସିଥିବାରୁ ସହରାଞ୍ଚଳର ପ୍ରମୁଖ ନାଳ, ଡ୍ରେନ୍ ମରାମତି ତଥା ପଙ୍କଉଦ୍ଧାର କରାନଗଲେ ଜଳ ନିଷ୍କାସନରେ ସାଙ୍ଘାତିକ ସମସ୍ୟା ଉପୁଜିବାର ଆଶଙ୍କା ସୃଷ୍ଟି ହେଲାଣି । ଖଣ୍ଡପଡା ଏନ୍ଏସି କର୍ତ୍ତୃପକ୍ଷ ତୁରନ୍ତ ଏ ଦିଗରେ ଉଚିତ ପଦକ୍ଷେପ ନେବାକୁ ଜନପ୍ରତିନିଧି ମହଲରେ ଦାବି ହୋଇଛି ।