ଅଙ୍ଗନବାଡି କେନ୍ଦ୍ରରେ ମିଳୁନି ମୌଳିକ ସୁବିଧା

  କାଳିଆପାଣି :ଖଣି ଅଞ୍ଚଳରେ ସରକାରୀ ସମ୍ପତିକୁ କିପରି ଦୁରୁପଯୋଗ କରାଯାଇଛି ତାହାର ଏକ ଉଦାହରଣ ସାମ୍ନାକୁ ଆସିଛି । କାଳିଆପାଣି ପଞ୍ଚାୟତ ବିର୍ସାମୁଣ୍ଡା ନଗର ବସ୍ତିରେ ଥିବା ବିର୍ସାମୁଣ୍ଡା ନଗର ଅଙ୍ଗନୱାଡି କେନ୍ଦ୍ର ପାଇଁ ଗତ ୨୦୨୩ -୨୦୨୪ ଆର୍ଥôକ ବର୍ଷରେ ପାନୀୟଜଳର ବ୍ୟବସ୍ଥା କରାଯାଇଥିଲା । ମୋଟ ଅଟକଳ ରାଶି ୧ଲକ୍ଷ ୫୦ହଜାର ଟଙ୍କା ଏଥିପାଇଁ ଖର୍ଚ୍ଚ କରାଯାଇଛି । କିନ୍ତୁ ଦୁର୍ଭାଗ୍ୟର ବିଷୟ ଦୀର୍ଘ ୨ବର୍ଷ ବିତି ଯାଇଥିଲେ ସୁଦ୍ଧା ଅଙ୍ଗନୱାଡ଼ି କେନ୍ଦ୍ରରେ ଥିବା ଶିଶୁମାନେ ପିଇବା ପାଣିର ସୁବିଧା ପାଇପାରିନାହାନ୍ତି । ଲକ୍ଷାଧିକ ଟଙ୍କାର ଡିପ୍ ବୋରୱେଲ ଏବଂ ପାଣି ଟାଙ୍କି ସହିତ ଅନୁସାଙ୍ଗିକ ପାଇପ ସଂଯୋଗ କରାଯାଇଥିଲେ ସୁଦ୍ଧା ଏଥିରେ ଟୋପାଏ ପାଣି ଆସୁନଥିବାର ଦେଖିବାକୁ ମିଳିଛି । ଅଙ୍ଗନୱାଡି କେନ୍ଦ୍ରର ଅଙ୍ଗନୱାଡି ଦିଦି ଦମୟନ୍ତୀ ମହାନ୍ତ କହିଛନ୍ତି, ଗତ ୨ବର୍ଷ ହେବ ଏଠାରେ ପାଣିପାଇଁ ବ୍ୟବସ୍ଥା କରାଯାଇଥିଲା । ମାତ୍ର ଏଥିରୁ ଟୋପାଏ ହେଲେ ପାଣି ଆସୁନାହିଁ । କୁନିକୁନି ପିଲାମାନେ ନିକଟରେ ଥିବା ପାଇପ ପାଣି ବ୍ୟବହାର କରୁଛନ୍ତି । ତାଙ୍କ କହିବା ଅନୁଯାଇ ଅଙ୍ଗନୱାଡି ସ୍କୁଲ ପାଇଁ ଯେଉଁ ବିଜୁଳି ସଂଯୋଗ ହୋଇଛି ସେଥିରୁ ଆବଶ୍ୟକ ମୁତାବକ କରେଣ୍ଟ ଆସୁନାହିଁ । ଯାହାଫଳରେ ବୋରୱେଲରୁ ପାଣି ଉପରକୁ ଆସିପାରୁନି । ଏହାର କାରଣ ପଚାରିବାରୁ ସେ କହିଛନ୍ତି ଯେ ଅଙ୍ଗନବାଡି ପାଇଁ ଯେଉଁ ବିଜୁଳି ସଂଯୋଗ ହୋଇଛି ସେଠାରୁ ବସ୍ତି ଭିତରର ଅନ୍ୟଲୋକେ ତାର ସଂଯୋଗ କରି ନିଜ ଘରକୁ ବିଜୁଳି ସଂଯୋଗ କରିନେଇଛନ୍ତି । ତେଣେ ବୋରୱେଲ ପାଇଁ ଆବଶ୍ୟକ ମୁତାବକ ଭୋଲ୍ଟେଜ ଆସୁନାହିଁ । ଦୀର୍ଘ ଦିନ ହେବ ଏଠାରେ ପାଇଖାନା ଗୃହ ରହିଥିଲେ ସୁଦ୍ଧା ତାଲା ପଡିରହିଛି । ପାଣିର ବ୍ୟବସ୍ଥା ନଥିବାରୁ ଏଥିରେ ପଢୁଥିବା ପିଲାମାନେ ବାଧ୍ୟ ହୋଇ ଖୋଲା ପଡିଆରେ ପରିସ୍ରା ଓ ଶୌଚ ହେଉଥିବାର ଅଭିଯୋଗ ଆସିଛି । ଅଙ୍ଗନୱାଡି ପରିସରରେ ସ୍ଥାନୀୟ ମଦ୍ୟପ ମଦ୍ୟପାନ କରି କାଚ ବୋତଲ ଫୋପାଡ଼ି ଚାଲିଯିବାର ଦେଖିବାକୁ ମିଳିଛି । ତେଣୁ ବିଭାଗୀୟ ଅଧିକରୀ ଏଥିପ୍ରତି ଦୃଷ୍ଟି ଦେବାକୁ ବାସିନ୍ଦା ଦାବି କରିଛନ୍ତି ।