ମା' ମଙ୍ଗଳାଙ୍କ ତୃତୀୟ ପାଳି : ଯାତ୍ରା ଦିନରେ ପାଟୁଆ ଓ ରାତିରେ କାଳିକା ନୃତ୍ୟ

 କାକଟପୁର: ଆଜି ଥିଲା ଚୈତ୍ର ମାସର ତୃତୀୟ ମଙ୍ଗଳବାର । ପାରମ୍ପରିକ ପ୍ରଥାନୁସାରେ କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା' ମଙ୍ଗଳାଙ୍କ ମନ୍ଦିରରେ ଅନୁଷ୍ଠିତ ହୋଇଥିଲା ତୃତୀୟ ପାଳି ଯାତ୍ରା । ରାତ୍ର ତିନିଘଡି ଥାଇ ମନ୍ଦିର ଦ୍ୱାରଫିଟା ପରେ ମଙ୍ଗଳ ଆଳତି, ଭିତର ଶୋଧ, ସ୍ନାନ, ବେଶ, ଚନ୍ଦନ ଲାଗି ପରେ ସୂର୍ଯ୍ୟପୂଜା, ବଲ୍ଲଭ ନୀତି କରାଯାଇଥିଲା । ବଲ୍ଲଭ ନୀତି ପରେ ସକାଳ ଧୂପ, ବନ୍ଦାପନା ଆଳତୀ କରାଯାଇ ସର୍ବସାଧାରଣମାନଙ୍କ ଦର୍ଶନ ପାଇଁ ମନ୍ଦିରର ସାହାଣ ମେଲା କରାଯାଇଥିଲା । ବିଭିନ୍ନ ଅଞ୍ଚଳରୁ ଆସିଥିବା ହଜାର ହଜାର ମାତୃଭକ୍ତ ବ୍ୟାରିକେଟ ମଧ୍ୟରେ ଧାଡ଼ିରେ ମନ୍ଦିର ଭିତରକୁ ଯାଇ ମା' ମଙ୍ଗଳାଙ୍କୁ ଦର୍ଶନ କରିଥିଲେ ।  ମା'ଙ୍କୁ ଚନ୍ଦନ ବେଶରେ ସଜ୍ଜିତ କରାଯାଇଥିଲା । ସଧବା ମହିଳାମାନେ ନିଜ ସ୍ୱାମୀ ଓ ସନ୍ତାନମାନଙ୍କ ମଙ୍ଗଳ କାମନା କରି ମନ୍ଦିର ବେଢାରେ ଥିବା ପନ୍ଥେଇକୁ ପୂଜା କରିଥିଲେ । ଦିନ ପ୍ରାୟ ୨ ଟାରେ ଜଗତସିଂହପୁର ଅଞ୍ଚଳରୁ ଆସିଥିବା ରାଉଳ ସେବକମାନେ ଓ ସ୍ଥାନୀୟ ଅଞ୍ଚଳର ଭୋଇ ସେବକମାନେ ପ୍ରାଚୀ ନଦୀର ଘଣ୍ଟତୋଳା ତୁଠକୁ ଯାଇ ପାଣି ତୋଳି ଏକ ବିରାଟ ଶୋଭାଯାତ୍ରାରେ ମନ୍ଦିରକୁ ଆସିଥିଲେ । ମନ୍ଦିର ବେଢାରେ ଓ ସମ୍ମୁଖରେ ପାଟୁଆ ନୃତ୍ୟ ପରିବେଷଣ କରିଥିଲେ । ସେହିପରି ବିଳମ୍ବିତ ରାତିରେ ଭ୍ରମଣୀ ନୀତି ଓ ଭୋଗ ଅନୁଷ୍ଠିତ ହେବା ପରେ ଜୈନିକ ଖମାରେଇ ସେବକ ନିଜକୁ କାଳୀ ବେଶରେ ସଜ୍ଜିତ କରି ଯାଇ ପହଞ୍ଚିଥିଲେ ମା' ମଙ୍ଗଳାଙ୍କ ପାଖରେ । ସେଠାରେ ତାଙ୍କୁ ମା' ଙ୍କ ଆଜ୍ଞାମାଳ ଓ ଖଡ୍ଗ ପ୍ରଦାନ କରିବା ପରେ ସେ ମନ୍ଦିର ବେଢ଼ା ଓ ସେବକ ସାହି ଦାଣ୍ଡ ରେ କାଳୀକା ନୃତ୍ୟ ପ୍ରଦର୍ଶନ କରିଥିଲେ ଯାହା ମା' ମଙ୍ଗଳାଙ୍କ ମନ୍ଦିରରେ ଏକ ଅନନ୍ୟ ପରମ୍ପରା ଭାବେ ଚାଲି ଆସିଛି କାହିଁ କେତେ କାଳରୁ । ତୃତୀୟ ପାଳି ଯାତ୍ରା ପାଇଁ ମନ୍ଦିର ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ମୁଖ୍ୟରାସ୍ତାର ତୋରଣ ଠାରୁ ମନ୍ଦିର ପର୍ଯ୍ୟନ୍ତ ମେଳା ଲାଗିଥିଲା । ଆଜି କାକଟପୁର ବଜାର ସମେତ ଆଖପାଖ ଅଞ୍ଚଳ ଲୋକାରଣ୍ୟ ହୋଇପଡ଼ିଥିବାବେଳେ ପ୍ରବଳ ଗୁଳୁଗୁଳି ଓ ଗରମ ସତ୍ତ୍ୱେ ବିଳମ୍ବିତ ପ୍ରହର ପର୍ଯ୍ୟନ୍ତ ମାତୃଭକ୍ତମାନେ ମା'ଙ୍କ ଦର୍ଶନ କରିଥିଲେ ।