ମାଇନିଂ ଇଞ୍ଜିନିୟରିଂ ସ୍କୁଲରେ ଖୋଲିଲା ୨ ନୂଆ ବ୍ରାଞ୍ଚ 

 କେନ୍ଦୁଝର : କେନ୍ଦୁଝର ଜିଲ୍ଲାର ସଦର ମହକୁମାରେ ଅବସ୍ଥିତ ତଥା ରାଜ୍ୟର ସୁନାମଧନ୍ୟ ବୈଷୟିକ ଶିକ୍ଷାନୁଷ୍ଠାନ ଭାବେ ପରିଗଣିତ ଓଡିଶା ଖଣିଯାନ୍ତ୍ରିକ ବିଦ୍ୟାଳୟରେ ଚଳିତ ଶିକ୍ଷା ବର୍ଷରୁ ୨ଟି ନୂଆ ବ୍ରାଞ୍ଚକୁ କେନ୍ଦ୍ର ସରକାରଙ୍କ ଶିକ୍ଷା ବିଭାଗ ଅଧିନ ଅଲ୍ ଇଣ୍ଡିଆ କାଉନସିଲ ଫର ଟେକନିକାଲ ଏଜୁକେସନ(ଏଆଇସିଟିଇ) ଅନୁମୋଦନ କରିଛି ଏବଂ ଏହା ମଧ୍ୟ ଓଡିଶା ସରକାରଙ୍କ ବୈଷୟିକ ଶିକ୍ଷା ନିଦେ୍ର୍ଦଶାଳୟର ଆଫିଲେସନ ପାଇଛି । ଅଟୋମୋବାଇଲ ଇଞ୍ଜିନିୟରିଂରେ ୬୦ଜଣ ଏବଂ କମ୍ପୁ୍ୟଟର ଇଞ୍ଜିନିୟରିଂ ଏଣ୍ଡ ଆଇଓଟିରେ ୬୦ଜଣ ଛାତ୍ରଛାତ୍ରୀ ୨୦୨୫-୨୬ ଶିକ୍ଷା ବର୍ଷରେ ଆଡମିଶନ କରିବେ । ଫଳରେ ଆଦିବାସୀ ଅଧ୍ୟୁଷିତ କେନ୍ଦୁଝର ଜିଲ୍ଲାର ଛାତ୍ରଛାତ୍ରୀ ଉପକୃତ ହେବେ । ପୂର୍ବରୁ ଏହି ବିଦ୍ୟାଳୟରେ ୬ଟି ବିଭାଗରେ ପାଠ ପଢା ହେଉଥିବାବେଳେ ଚଳିତ ଶିକ୍ଷା ବର୍ଷରୁ ୮ଟି ବିଭାଗରେ ପାଠ ପଢା ହେବ । ୬ଟି ବିଭାଗରେ ପୂର୍ବରୁ ୨୭୦ ସିଟ୍ ଥିବାବେଳେ ୮ ଟି ବିଭାଗରେ ଏବେ ଏହା ବୃଦ୍ଧି ପାଇଁ ମୋଟ ୪୮୦ ସିଟ୍ ହୋଇଛି । ସିଭିଲ ଇଞ୍ଜିନିୟରିଂରେ ୩୦ ସିଟ ଥିବାବେଳେ ଏହା ବୃଦ୍ଧି ପାଇଁ ୬୦ଟି ସିଟ ଅନୁମୋଦନ ପାଇଛି । ଡ୍ରିଲିଂ ଇଞ୍ଜିନିୟରିଂରେ ୩୦ରୁ ୬୦ସିଟ୍,ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂରେ ୩୦ରୁ ୬୦ ସିଟ୍କୁ ବୃଦ୍ଧି ପାଇଛି ବୋଲି ଓଡିଶା ଖଣି ଯାନ୍ତ୍ରୀକ ବିଦ୍ୟାଳୟର ଅଧ୍ୟକ୍ଷ ଇଂ କୃଷ୍ଣଚନ୍ଦ୍ର ରାଉତ ପ୍ରକାଶ କରିଛନ୍ତି । ଅନୁଷ୍ଠାନର ବର୍ଦ୍ଧିତ ପିଲା ସଂଖ୍ୟାକୁ ଆଖି ଆଗରେ ରଖି ଆଗକୁ ଅନୁଷ୍ଠାନରେ ଛାତ୍ରାବାସ ଏବଂ ଶ୍ରେଣୀଗୃହର ଆବଶ୍ୟକତା ପୂରଣ ପାଇଁ ସରକାର ପଦକ୍ଷେପ ନେବାକୁ ଦାବି ହୋଇଛି । ଓଡିଶାର ମର୍ଯ୍ୟାଦାଜନକ ବୈଷୟିକ ବିଦ୍ୟାଳୟ ଭାବରେ ସୁନାମ ଅର୍ଜନ କରିଥିବା ଓଡିଶା ଖଣି ଯାନ୍ତ୍ରିକ ବିଦ୍ୟାଳୟର ୧୯୫୬ ମସିହାରେ ପ୍ରତିଷ୍ଠାଲାଭ କରିଛି । ଏହି ଅନୁଷ୍ଠାନ ଗତ ୭୦ବର୍ଷ ମଧ୍ୟରେ ଅନେକ ଯୋଗ୍ୟ ତଥା ବୈଷୟିକ ଜ୍ଞାନ ସଂପନ୍ନ ବ୍ୟକ୍ତିବିଶେଷଙ୍କୁ ତିଆରି କରିଛି, ଯେଉଁମାନେ ବିଭିନ୍ନ ସ୍ତରରେ କାର୍ଯ୍ୟ କରୁଛନ୍ତି । ଏହି ଶିକ୍ଷାନୁଷ୍ଠାନଟି ଐତିହ୍ୟ ସମ୍ପନ୍ନ ଓ ସୁନାମଧନ୍ୟ ଅନୁଷ୍ଠାନ ଭାବରେ ରାଜ୍ୟରେ ଖ୍ୟାତି ରହିଛି । ଦେଶର ଅଗ୍ରଗତି ପାଇଁ ଯୁବ ଇଞ୍ଜିନିୟରମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଛାତ୍ରଛାତ୍ରୀମାନେ ବୈଷୟିକ ଶିକ୍ଷା ପ୍ରତି ବିଶେଷ ଆଗ୍ରହ ପ୍ରକାଶ କରୁଥିବାରୁ ଏହି ୨ଟି ନୂଆ ବିଭାଗ ସେମାନଙ୍କ ଶିକ୍ଷାଦାନରେ ବେଶ ସହାୟକ ହୋଇପାରିବ ବୋଲି ମତପ୍ରକାଶ ପାଇଛି । ନୂତନ ବ୍ରାଞ୍ଚ ଏବଂ ବିଭିନ୍ନ ବିଭାଗରେ ସିଟ୍ ସଂଖ୍ୟା ବୃଦ୍ଧି ପାଇଁ ଜିଲ୍ଲାବାସୀ ଆନନ୍ଦିତ ହେବା ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦୁଝର ସାଂସଦ ଅନନ୍ତ ନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି ।