ମାଟ୍ରିକ୍ ଓ +୨ ପରୀକ୍ଷା ସମୟରେ ଚାଲିଛି ଯାତ୍ରା ରେଜଲ୍ଟ ଖରାପ ପାଇଁ ପ୍ରଶାସନ ଦାୟୀ ରହିବ!
ରାଜନଗର : ଚଳିତ ବର୍ଷ ମାଟ୍ରିକ୍ ବୋର୍ଡ ପରୀକ୍ଷା ସାଙ୍ଗକୁ +୨କଳା, ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଚାଲିଛି । ଏହି ସମୟରେ ବିଭିନ୍ନ ସ୍ଥାନରେ ଯାତ୍ରା ପରିବେଷଣ କରାଯାଉଛି । ଯାହାକି ଛାତ୍ରଛାତ୍ରୀଙ୍କୁ ବିଶେଷ ଭାବେ ପ୍ରଭାବିତ କରୁଛି । ପରୀକ୍ଷା ସିନା ଦିନରେ ହେଉଛି, ରାତିରେ ଛାତ୍ରଛାତ୍ରୀଙ୍କ ପାଠପଢାରେ ବ୍ୟାଘାତ ସୃଷ୍ଟି କରୁଛି । ଏପରିକି ପରୀକ୍ଷା ଚାଲୁଥିବା କେନ୍ଦ୍ର ନିକଟ ଦେଇ ଉଚ୍ଚ ସ୍ୱରରେ ମାଇକ୍ ପ୍ରଚାର କରୁଥିବା ନେଇ ଅଭିଭାବକ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ବିଦ୍ୟାଳୟ ନିକଟରେ ଖେଳକୁ ବନ୍ଦ କରିଥିବା ବେଳେ ଯାତ୍ରାକୁ ଅନୁମତି ଦେବା ଘଟଣା ସାଧାରଣରେ ସନେ୍ଦହ ସୃଷ୍ଟି କରିଛି । ରାଜନଗର ବ୍ଲକର ମହୁଲିଆ ପଚାଂୟତ ରାଜଗଡଠାରେ ଯାତ୍ରା ପରିବେଷଣ ଚାଲିଥିବା ବେଳେ ମାଣପଡାସ୍ଥିତ ପଚୁଂବରାହୀ ବିଦ୍ୟାନିକେତନରେ ଛାତ୍ରଛାତ୍ରୀମାନେ ମାଟ୍ରିକ୍ ପରୀକ୍ଷା ଦେଉଛନ୍ତି । ଡେରା ପଚାଂୟତର ଗୋଖଣୀଠାରେ ଯାତ୍ରା ପରିବେଷଣ କରାଯାଉଥିବା ବେଳେ ହାତୀନାସ୍ଥିତ ଲକ୍ଷ୍ମୀବରାହ ଉଚ୍ଚ ବିଦ୍ୟାଳୟରେ ମାଟ୍ରିକ୍ ପରୀକ୍ଷା କେନ୍ଦ୍ରରେ ଶତାଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି । ପରୀକ୍ଷା ଚାଲୁଥିବା ସମୟରେ ପ୍ରଶାସନ ଯାତ୍ରା ପରିବେଷଣ ପାଇଁ ଅନୁମତି ଦେବା ଘଟଣାକୁ ଅଭିଭାବକ ମହଲରେ ନାପସନ୍ଦ କରାଯାଇଛି । ଉଭୟେ ଛାତ୍ରଛାତ୍ରୀଙ୍କ ପରୀକ୍ଷା ରେଜଲ୍ଟ ଖରାପ ହେଲେ ପ୍ରଶାସନ ଦାୟୀ ରହିବ ତ ! ଏଦିଗରେ ପ୍ରଶାସନ ପଦକ୍ଷେପ ଗ୍ରହଣ କରିବାକୁ ଅଭିଭାବକମାନେ ଦାବୀ କରିଛନ୍ତି ।