ହାତୀ ଆକ୍ରମଣରେ ମହିଳା ଗୁରୁତର
ଚମ୍ପୁଆ : ଗୋଠଛଡା ଦନ୍ତାହାତୀର ଆକ୍ରମଣରେ ମହିଳା ଗୁରୁତର । ମିଳିଥିବା ସୂଚନା ଅନୁସାରେ ଚମ୍ପୁଆ ବ୍ଲକ୍ ରଜିଆ ଜଙ୍ଗଲକୁ ଛତୁ ଗୋଟାଇବାକୁ ଯାଇଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଛନ୍ତି ପତଳା ଗ୍ରାମର ଗୀତା ନାଏକ । ହାତୀ ମହିଳାଙ୍କୁ ଶୁଣ୍ଢରେ ଟେକି ଫିଙ୍ଗି ଦେବାରୁ ସେ ଗୁରୁତର ଆହାତ ହୋଇଛନ୍ତି । ଗୋଠଛଡା ଦନ୍ତାହାତୀ ଟି ଗତରାତି ରଜିଆ ଜଙ୍ଗଲକୁ ପଶି ଆସିଥିବା ବେଳେ, ସକାଳୁ ଗୀତା ହାତୀ ହାବୁଡରେ ପଡ଼ିଥିଲେ । ଗୀତାକୁ ହାତୀ ଆକ୍ରମଣ କରିବା ବେଳେ, ସାଙ୍ଗରେ ଥିବା ଅନ୍ୟ ଜଣେ ମହିଳା ପଦ୍ମିନୀ ନାଏକ ଜୀବନ ବଞ୍ଚାଇ ଦୌଡି ପଳାଉଥିବା ବେଳେ, ଗଛରେ ପିଟି ହୋଇ ଆହାତ ହୋଇଥିବା ମଧ୍ୟ ଜଣାପଡିଛି । ଦୁଇଜଣଙ୍କୁ ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଗୀତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟାଳୟକୁ ସ୍ଥାନାନ୍ତର କରାଯାଇଛି । ସୂଚନାଯୋଗ୍ୟ କି ଗୀତାଙ୍କ ସ୍ୱାମୀ ଶୁଦ୍ର ନାଏକ ମଧ୍ୟ କିଛି ବର୍ଷ ତଳେ ହାତୀ ଆକ୍ରମଣର ଶିକାର ହୋଇ ମୃତୁ୍ୟବରଣ କରିଥିଲେ । ଖବରପାଇ ଚମ୍ପୁଆ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଆବଶ୍ୟକ ସାହାଯ୍ୟ ସହଯୋଗ କରିଥିବା ଜଣାପଡିଛି ।