ମାତା ପାର୍ବତୀଙ୍କୁ ଧରି ଚାପ ଖେଳୁଛନ୍ତି ବାବା ସ୍ୱପ୍ନେଶ୍ୱର
ବାଲିଅନ୍ତା : ମହାଡ଼ମ୍ବରରେ ପାଳନ ହେଉଛି ଭୁବନେଶ୍ୱର ଉପକଣ୍ଠ ବାଳକାଟି ଅଞ୍ଚଳର ଆରାଧ୍ୟ ତଥା ପ୍ରସିଦ୍ଧ ପଞ୍ଚୁଦୋଳ ମେଳଣର ଥାନପତି ଶ୍ରୀ ଶ୍ରୀ ସ୍ୱପ୍ନେଶ୍ୱର ଦେବଙ୍କ ଚନ୍ଦନ ଯାତ୍ରା । ମାତା ପାର୍ବତୀଙ୍କୁ ଧରି ଚାପ ଖେଳୁଛନ୍ତି ବାବା ସ୍ୱପ୍ନେଶ୍ୱର । ଏହି ଚାପ ଖେଳକୁ ଉପଭୋଗ କରୁଛନ୍ତି ଆବାଳ ବୃଦ୍ଧ ବନିତା । ଚନ୍ଦନପୋଖରୀରେ ହେଉଥିବା ଭଗବାନଙ୍କ ଏହି ଚାପ ଖେଳ ଦେଖିବା ପାଇଁ ଶ୍ରଦ୍ଧାଳୁ ଭକ୍ତଙ୍କ ଭିଡ଼ ଜମୁଛି । ପୋଖରୀର ଚାରିପଟେ ଶ୍ରଦ୍ଧାଳୁ ଭକ୍ତଙ୍କ ହରିବୋଲ ହୁଳହୁଳିରେ ପ୍ରକମ୍ପିତ ହେଉଛି ସମଗ୍ର ଅଞ୍ଚଳ ।
ଅକ୍ଷୟତୃତୀୟା ଦିନ ଯଥା ରୀତିନୀତି ଅନୁସାରେ ପ୍ରଥମେ ଶ୍ରୀ ଦୋଳଗୋବିନ୍ଦ ଏବଂ ଶ୍ରୀ ଶ୍ରୀ ବାଲୁଙ୍କେଶ୍ୱର ଦେବ ସୁସଜ୍ଜିତ ବିମାନ ଯୋଗେ ସ୍ୱପ୍ନେଶ୍ୱର ମନ୍ଦିରକୁ ଆସନ୍ତି । ସେଠାରେ ନୀତିକ୍ରାନ୍ତି କରାଯାଇ ଗୋଟିଏ ପାଲିଙ୍କିରେ ବାବା ସ୍ୱପ୍ନେଶ୍ୱର ଦେବଙ୍କ ଚଳନ୍ତି ପ୍ରତିମା ଶ୍ରୀ ଶ୍ରୀ ଚନ୍ଦ୍ରଶେଖର, ମାତା ପାର୍ବତୀ, ଶ୍ରୀ ଦୋଳଗୋବିନ୍ଦ(ଗୋପୀନାଥ ଦେବ), ଶ୍ରୀ ବାଲୁଙ୍କେଶ୍ୱର ଦେବଙ୍କ ଚନ୍ଦନପୋଖରୀକୁ ବିରାଟ ପଟୁଆରରେ ଆସିଥାନ୍ତି । ସେଠାରେ ତୁଳସୀ ଚଉରା ନିକଟରେ ଆଳତୀ ପରେ ପୋଖରୀରେ ପ୍ରସ୍ତୁତ ହୋଇ ରହିଥିବା ଡ଼ଙ୍ଗାରେ ଚାପ ଖେଳନ୍ତି । ଚାପ ଖେଳି ସାରିଲା ପରେ ଠାକୁରଙ୍କୁ ଚନ୍ଦନ ମଣ୍ଡପ ବା ଚନ୍ଦନ ଗୃହକୁ ପାଛୋଟି ନିଆଯାଇ ସେଠାରେ ଚନ୍ଦନ ପାଣିରେ ସ୍ନାନ ପରେ ଠାକୁରଙ୍କୁ ସୁନ୍ଦର ବେଶରେ ସଜାଇ ଯଥା ରୀତିନୀତି ପୂଜାର୍ଚ୍ଚନା କରାଯାଇଥିଏ । ଏଥିସହ ଚୁଡା ଏବଂ ବିଭିନ୍ନ ଫଳ ପଡି ପଣା ଭୋଗ କରାଯାଇ ଶ୍ରଦ୍ଧାଳୁ ଭକ୍ତଙ୍କୁ ବଣ୍ଟାଯାଏ । ପରେ ସୁସଜ୍ଜିତ ପାଲିଙ୍କିରେ ଘଣ୍ଟାଘଣ୍ଟ, ଖୋଳ କିର୍ତ୍ତନ, ଆଲଟ, ଚାମର ଆଦି ବିରାଟ ପଟୁଆରରେ ଠାକୁରଙ୍କୁ ଗ୍ରାମ ପରିକ୍ରମା କରାଯାଇଥାଏ । ଠାକୁରଙ୍କ ଏହି ନୀତିକ୍ରାନ୍ତି ଛତିଶା ନିଯୋଗ ସମେତ କୈବର୍ତ୍ତ ସେବାୟତ, ଗୋପାଳ ସେବାୟତ ସୁଚାରୁରୂପେ କାର୍ଯ୍ୟ ନିର୍ବାହ କରିଥିବାବେଳେ ସ୍ୱପ୍ନେଶ୍ୱର ଟ୍ରଷ୍ଟ, ମନ୍ଦିର ପରିଚାଳନା କମିଟି, ଚାରିଦେଶର ମୁରବୀ, ପ୍ରତାପଶାସନ ପଞ୍ଚାୟତ ଜନପ୍ରତିନିଧି ପରିଚାଳନା କରିଥିଲେ । ଠାକୁରଙ୍କ ଏହି ନୀତିକ୍ରାନ୍ତି ୨୧ ଦିନ ପର୍ଯ୍ୟନ୍ତ ଅନୁରୂପ ଭାବେ ଚାଲିବ । ପରେ ୨୨ ଦିନରେ ଅନୁରୂପ ଭାବେ ଠାକୁରଙ୍କୁ ପାଲିଙ୍କିରେ ଆଣି ଚନ୍ଦନପୋଖରୀରେ ଚାପ ଖେଳ ପରେ ଭଉଁରୀ ଖେଳ ଶେଷ ପରେ ଚନ୍ଦନ ଗୃହରେ ରୁହନ୍ତି । ପରଦିନ ପ୍ରାତଃରୁ ଠାକୁରଙ୍କ ଦୈନନ୍ଦିନ ନୀତିକ୍ରାନ୍ତି ପରେ ରାତିରେ ଚନ୍ଦନ ଗୃହରୁ ଠାକୁରଙ୍କୁ ପାଲିଙ୍କିରେ ବିରାଟ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରନ୍ତି । ଯାହାକୁ ନାଗାଜାତ ବା ହଳଦୀପାଣି ଯାତ କୁହନ୍ତି । ଏହି ଯାତ୍ରା ଶେଷରେ ଠାକୁର ସ୍ୱମନ୍ଦିରରେ ପ୍ରସ୍ଥାନ କରନ୍ତି । ଠାକୁରଙ୍କ ଏହି ଉତ୍ସବ ଦେଖିବା ନିମନ୍ତେ ଆଖପାଖ ଅଞ୍ଚଳରୁ ଶ୍ରଦ୍ଧାଳୁଙ୍କ ବିପୁଳ ସମାଗମ ହୋଇଥାଏ ।