ମାନ୍ଦା ପଡ଼ିପାରେ ବିମାନ ଯାତ୍ରା
ଗତ ଜୁନ୍ ମାସ ୧୨ ତାରିଖ ଦିନ ଗୁଜରାତର ଅହମ୍ମଦାବାଦ୍ରୁ ଲଣ୍ଡନ୍ ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହୀ ଏୟାରଇଣ୍ଡିଆ ବୋଇଂ ବିମାନ ଯାତ୍ରା ଆରମ୍ଭ କରି ଭୂମି ଛାଡ଼ିବାର ମାତ୍ର କେଇ ସେକେଣ୍ଡ ଭିତରେ ଇଞ୍ଜିନ୍ ଅକାମୀ ହୋଇଯିବାରୁ ଭୟଙ୍କର ଦୁର୍ଘଟଣାର ଶିକାର ହେଲା । ଏହି ଦୁର୍ଘଟଣା ପରେ ପରେ ଦେଶରେ ଚଳାଚଳ କରୁଥିବା ବୋଇଂ ବିମାନଗୁଡ଼ିକ କ୍ଷେତ୍ରରେ ପଛକୁ ପଛ ଅନେକ ତ୍ରୁଟି ଦୃଷ୍ଟିକୁ ଆସିଲାଣି ଏବଂ ଅନେକ ବିମାନର ଯାତ୍ରା ବାତିଲ୍ ହେଲାଣି । ଗତ ସପ୍ତାହରେ ଗୌହାଟୀରୁ ଚେନ୍ନାଇ ଆସୁଥିବା ଏକ ବିମାନ ମଝି ଆକାଶରେ ଇନ୍ଧନ ସରିଯିବାରୁ ଏକ ନିଶ୍ଚିତ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛି । ଏହିସବୁ ଘଟଣାଗୁଡ଼ିକର ବିଶ୍ଳେଷଣରୁ ଏବେ ଗୋଟିଏ କଥା ସ୍ପଷ୍ଟ ହୋଇଯାଉଛି ଯେ ଭାରତ ସରକାରଙ୍କ ହାତରୁ ଟାଟା କମ୍ପାନୀ ହାତକୁ ବିମାନ ଚଳାଚଳ ବ୍ୟବସ୍ଥା ଯିବା ପରେ ବିମାନ ଯାତ୍ରା ନିରାପଦ ଏବଂ ଆରାମଦାୟକ ହେବ ବୋଲି ଲୋକେ ଆଶା କରୁଥିଲେ । ହେଲେ ଟାଟା କମ୍ପାନୀ ହାତକୁ ଏୟାର ଇଣ୍ଡିଆ ଯିବାର ଅଳ୍ପ କିଛିମାସ ଭିତରେ ଏୟାର ଇଣ୍ଡିଆ ବିମାନର ଚଳାଚଳ କ୍ଷେତ୍ରରେ ଯେତିିକି ତ୍ରୁଟି ଦେଖା ଦେଲାଣି ଭବିଷ୍ୟତରେ ହୁଏତ ଯାତ୍ରୀମାନେ ଏୟାର ଇଣ୍ଡିଆ ପରିବର୍ତ୍ତେ ଅନ୍ୟ କମ୍ପାନୀର ବିମାନରେ ଯାତ୍ରା କରିବା ପାଇଁ ଉଚିତ୍ ମନେ କରିବେ । ଅଳ୍ପଦିନ ତଳେ ବିମାନରେ ତ୍ରୁଟିକୁ ନେଇ ଏକକାଳୀନ ଅନେକ ବିମାନର ଯାତ୍ରାକୁ ରଦ୍ଦ କରି ଦିଆଯାଇଥିଲା । ଏଭଳି ଘଟଣା ସବୁ ଘଟିଲେ ଯାତ୍ରୀମାନଙ୍କ ମନରେ ଆତଙ୍କ ଖେଳିଯାଉଛି ।
ଖୁବ୍ କମ୍ ସମୟ ମଧ୍ୟରେ ନିରାପଦରେ ଦୂରସ୍ଥାନରେ ପହଞ୍ଚିବା ପାଇଁ ଲୋକମାନେ ବର୍ତ୍ତମାନ ବିମାନଯାତ୍ରାକୁ ପ୍ରଥମ ପସନ୍ଦ ଭାବରେ ଗ୍ରହଣ କରୁଛନ୍ତି । ହେଲେ ବିମାନ ଯାତ୍ରାରେ ଦିନକୁ ଦିନ ଯେଉଁଭଳି ଭାବରେ ଦୁର୍ଘଟଣା ଏବଂ ବିମାନର ତ୍ରୁଟି ଦେଖାଯାଉଛି ସେସବୁ ଖୁବ୍ କମ୍ ଦିନ ଭିତରେ ବିମାନଯାତ୍ରା ପ୍ରତି ଲୋକଙ୍କୁ ବୀତସ୍ପୃହ କରିଦେବ । ଯାତ୍ରା ଅଧିକ ସମୟ ନେଲେ ମଧ୍ୟ ଦେଶ ଭିତରର ଯାତ୍ରା ପାଇଁ ରେଳର ଉପଯୋଗକୁ ଲୋକେ ପସନ୍ଦ କରିବେ । ବିମାନଯାତ୍ରା ନିରାପଦ ନହେଲେ ଦେଶର ବିମାନ ଚଳାଚଳ କ୍ଷେତ୍ର ମଧ୍ୟ ଗୁରୁତର ଭାବରେ କ୍ଷତିର ସମ୍ମୁଖୀନ ହେବ । ବିମାନ ଦୁର୍ଘଟଣାରେ ସାଧାରଣତଃ ସବୁ ଯାତ୍ରୀମାନଙ୍କର ଜୀବନ ପ୍ରତି ବିପଦ, ଏପରିକି ବଞ୍ଚିବାର ସମ୍ଭାବନା ବହୁତ କମ୍ ରହୁଥିବାରୁ ବିମାନ ଦୁର୍ଘଟଣାଗ୍ରସ୍ତ ହେଲେ ବିମାନ କମ୍ପାନୀଗୁଡ଼ିକୁ ବିପୁଳ ପରିମାଣର କ୍ଷତିପୂରଣ ଦେବାକୁ ପଡ଼ିବ । ଏ ପ୍ରକାରର କ୍ଷତିପୂରଣ ବିମାନ କମ୍ପାନୀଗୁଡ଼ିକ ପ୍ରତି ଆର୍ଥôକ ଦୃଷ୍ଟିରୁ ଗୁରୁତର ସମସ୍ୟା ସୃଷ୍ଟି କରିବ । ବର୍ତ୍ତମାନ ଦିନକୁ ଦିନ ବିମାନ ଯାତ୍ରା କ୍ଷେତ୍ରରେ ନିରାପତ୍ତାକୁ ନେଇ ଅନେକ ବୈଷୟିକ କୌଶଳର ଆଧୁନିକୀକରଣ କିମ୍ବା ବୈଷୟିକ ଜ୍ଞାନକୌଶଳ ଉଦ୍ଭାବିତ ହେଲାଣି । ଏହା ଫଳରେ ବିମାନ ଉଡ଼ାଣ ଆରମ୍ଭ କରିବା ପୂର୍ବରୁ ଏହାର ବୈଷୟିକ ତ୍ରୁଟିକୁ ଧରିବା ସହଜ ହେଲାଣି । ବିଜ୍ଞାନ ଓ ବୈଷୟିକ କୌଶଳ ଆଧାରରେ ବିମାନ ଯାତ୍ରା ଦିନକୁ ଦିନ ନିରାପତ୍ତା ଓ ସୁନିଶ୍ଚିତତାକୁ ଗୁରୁତ୍ୱ ଦେଉଛି ଏବଂ ଏହା ସଫଳ ଭାବରେ କାର୍ଯ୍ୟକାରୀ ମଧ୍ୟ ହେଉଛି । ଅଥଚ କାଁ ଭାଁ କେତୋଟି ଦୁର୍ଘଟଣାକୁ ଛାଡ଼ି ଦେଲେ ବିମାନ ଯାତ୍ରା ସର୍ବୋତ୍ତ ଭାବରେ ଲୋକପ୍ରିୟତାର ଶୀର୍ଷରେ ରହିଛି । ଉଡ଼ାଣ ଆରମ୍ଭ ପୂର୍ବରୁ ବିମାନର ଟିିକିନିଖି ଯାଞ୍ଚ୍କୁ କଡ଼ାକଡ଼ି କରାଗଲେ ଏବଂ ବିମାନର ନିରାପଦ ଉଡ଼ାଣ କ୍ଷେତ୍ରରେ କୌଣସି ପ୍ରକାରର ସାମାନ୍ୟତମ ଅବହେଲା କରାନଗଲେ ଏହା ବିମାନ କମ୍ପାନୀଗୁଡ଼ିକ ପାଇଁ ଲାଭଦାୟକ ବ୍ୟବସାୟରେ ପରିଣତ ହୋଇପାରିବ । ସାମାନ୍ୟ କେତେଜଣ ଲୋକଙ୍କର ଅବହେଳା କିମ୍ବା ତ୍ରୁଟି ପାଇଁ ସର୍ବୋତ୍ତ ଭାବରେ ବିମାନ ଯାତ୍ରା ବଦନାମ୍ ନହେଉ । ଏହା ପ୍ରତିଟି କ୍ରୁ ମେମ୍ବର ଜାଣି ରଖିବା ଉଚିତ୍ । ଏହା ସହିତ ସରକାର ମଧ୍ୟ ଏ ଦିଗରେ ହସ୍ତକ୍ଷେପ କରିବା ଉଚିତ୍ ।