ଦାନଶୀଳତା ଓ ସାତ୍ତ୍ୱିକ ଜୀବନ
ଅନ୍ୟ ମାନଙ୍କ ପ୍ରତି ସଦୟ ଭାବ ପୋଷଣ କରିବା ତଥା ଅନ୍ୟମାନଙ୍କର ଉପକାର କରିବା ମନୋଭାବକୁ ଦାନଶୀଳତା ବୋଲାଯାଏ, ଦାନ ହିଁ ବିଶ୍ୱପ୍ରେମ । ଦରିଦ୍ର ମାନଙ୍କ ପ୍ରତି ଉଦାରତାର ଅନ୍ୟ ନାମ ଦାନ । ଦାନ ବଦାନ୍ୟତାକୁ ବୁଝାଏ । ଅଭାବଗ୍ରସ୍ତକୁ ସାହାଯ୍ୟ କରିବା ଲାଗି ଯାହା ଯାହା ଦିଆଯାଏ, ତାହା ଦାନ । ଶ୍ରୀସତ୍ୟସାଇ କହିଛନ୍ତି "ବ୍ୟାପକ ଅର୍ଥରେ ଦାନ ପ୍ରେମ, ବଦାନ୍ୟତା ଓ ସଦଭାବନାକୁ ବୁଝାଏ । ବ୍ରହ୍ମଦର୍ଶୀ ମାନଙ୍କ ଦୃଷ୍ଟିରୁ ମାନବ ସମାଜପ୍ରତି ସାର୍ବଜନୀନ ସଦଭାବନା ଓ ପରମାତ୍ମାଙ୍କ ପ୍ରତି ବିଶୁଦ୍ଧତମ ଭକ୍ତିକୁ ଦାନ ବୋଲାଯାଏ ।'
ବ୍ୟକ୍ତି କଷ୍ଟ କରି ଅର୍ଜନ କରିଥିବା ଧନର ୧୦ଭାଗ ଈଶ୍ୱରଙ୍କ ନିକଟରେ ଲଗାଇବା ଦରକାର । ଯେଉଁ ବ୍ୟକ୍ତି ନିଜର ସ୍ତ୍ରୀ, ପୁତ୍ର ଏବଂ ପରିବାରକୁ ଦୁଃଖରେ ରଖି ଦାନ କରେ, ସିଏ ଜୀବିତ ଥିବା ସମୟରେ ଓ ମୃତୁ୍ୟ ପରେ ବି ଦୁଃଖ ପାଏ । ସ୍ୱୟଂ ଯାଇ ଦେଇଥିବା ଦାନର ଉତ୍ତମ ଫଳ ଏବଂ ଘରକୁ ଡାକୁ ଦିଆଯାଇଥିବା ଦାନର ମଧ୍ୟମ ଫଳପ୍ରଦ ହୋଇଥାଏ । ଗୋ, ବ୍ରାହ୍ମଣ ତଥା ରୋଗୀଙ୍କୁ ଯେତେବେଳେ କିଛି ଦିଆଯାଇଥାଏ ସେହି ସମୟରେ ଯେଉଁ ବ୍ୟକ୍ତି ନ ଦେବାର ପରାମର୍ଶ ଦେଇଥାଏ ସେ ଦୁଃଖ ଭୋଗିଥାଏ । ତେଲ, ଘାସ, ଜଳ ଓ ଚାଉଳକୁ ହାତରେ ନେଇ ଦାନ ଦେବା ଆବଶ୍ୟକ ଅନ୍ୟଥା ସେହି ଦାନ ଉପରେ ଦୈତ୍ୟ ଅଧିକାର କରି ନେଇଥାଏ । ଦେବତାଙ୍କୁ ଚାଉଳ ସହିତ ଅନ୍ୟ କିଛି ଦାନ କରନ୍ତୁ । ଦାନ କରୁଥିବା ବ୍ୟକ୍ତି ପୂର୍ବାଭିମୁଖୀ ହୋଇ ଦାନ କରିବା ଉଚିତ ଓ ଏହା ଗ୍ରହଣ କରୁଥିବା ବ୍ୟକ୍ତି ଉତ୍ତରାଭିମୁଖୀ ହୋଇ ଗ୍ରହଣ କରିବେ । ଏହା କରିବା ଦ୍ୱାରା ଦାନ ଦେଉଥିବା ବ୍ୟକ୍ତିର ଆୟୁଷ ବଢ଼ିଥାଏ ଓ ନେଉଥିବା ବ୍ୟକ୍ତିଙ୍କର ମଧ୍ୟ ଆୟୁ କମ୍ ହୋଇନଥାଏ । ଅନ୍ନ, ଜଳ, ଘୋଡ଼ା, ଗାଈ, ବସ୍ତ୍ର, ଶଯ୍ୟା, ଛତା ଓ ଆସନ ଏହି ୮ଟି ବସ୍ତୁକୁ ଦାନ କରିବା ଦ୍ୱାରା ପରବର୍ତ୍ତୀ କାଳରେ ମୃତୁ୍ୟ କଷ୍ଟକୁ ଦୂର କରିଥାଏ । ଗାଈ, ଘର, ବସ୍ତ୍ର, ଶଯ୍ୟା ଓ କନ୍ୟା ଏସବୁର ଦାନ କେବଳ ଜଣେ ବ୍ୟକ୍ତିକୁ କରିବା ଦରକାର । ରୋଗୀର ସେବା କରିବା, ଦେବତା ପୂଜା, ବ୍ରାହ୍ମଣଙ୍କ ପାଦ ଧୋଇବା ଗୋଦାନ ପରି ଅଟେ । ଦରିଦ୍ର, ଗରିବ, ଅନାଥ, ଶାରୀରିକ ଅକ୍ଷମ ତଥା ରୋଗୀଙ୍କର ସେବା ସହ ଯେଉଁ ଧନ ଦାନ କରାଯାଇଥାଏ ଏଥିରୁ ମହାପୂର୍ଣ୍ଣ ଅର୍ଜନ ହୋଇଥାଏ । ଅଜ୍ଞାନ ବ୍ରାହ୍ମଣଙ୍କ ପାଖରୁ ଦାନ ନେବା ଅନୁଚିତ, ଏହାଦ୍ୱାରା ବ୍ରାହ୍ମଣଙ୍କ କ୍ଷତି ହୋଇଥାଏ । ଗାଈ, ସୁନା, ରୂପା, ରତ୍ନ, ହାତୀ, ଘୋଡ଼ା, ଶଯ୍ୟା, ବସ୍ତ୍ର, ଭୂମି, ଅନ୍ନ, କ୍ଷୀର, ଛତା ଓ ଆବଶ୍ୟକ ସାମଗ୍ରୀ ସହିତ ଏହିସବୁ ବସ୍ତୁକୁ ମହାଦାନ କୁହାଯାଏ ।
କିଶୋର କୁମାର ଜେନା, ମୋ: ୭୩୨୫୯୦୪୯୨୭