ଶୁଣିଲାନି ପ୍ରଶାସନ : ରାସ୍ତା ମରାମତି କଲେ ଗ୍ରାମବାସୀ
ଯାଜପୁର ଟାଉନ : ମାନସାପୋଲ-କୁଆଖିଆ ୨୦ ନଂ ଜାତୀୟ ରାଜପଥ ରାସ୍ତାର ମଝିରେ ମଝିରେ ଦୀର୍ଘ ଦିନ ହେବ ଖାଲଖମାରେ ଭର୍ତି ହୋଇଥିଲା । ଏହାକୁ ମରାମତି କରିବା ପାଇଁ ଜିଲା ପ୍ରଶାସନକୁ ବାରମ୍ବାର ଗୁହାରି କରିଥିଲେ ମଧ୍ୟ ସେଥିରେ କୌଣସି ସୁଫଳ ମିଳିନଥିଲା । ଶେଷରେ ଗ୍ରାମବାସୀମାନେ ମିଶିକରି ରାସ୍ତା ମରାମତି କରିଥିବା ଦେଖାଦେଇଛି । ବିଶେଷକରି ଗୋଖନା ବଜାର ରାସ୍ତା ମଝିରେ ଏକ ବଡ଼ ଗର୍ତ ସୃଷ୍ଟି ହୋଇଛି । ବର୍ଷା ପାଣି ଜମି ରହି ପୋଖରୀ ଭ୍ରମ ସୃଷ୍ଟି କରିବା ସହ ଦୈନିକ ବାଇକ ଆରୋହୀଙ୍କ ଦୁର୍ଘଟଣା ଘଟୁଛି । ସେହି ରାସ୍ତା ଦେଇ ପ୍ରତ୍ୟେକ ଦିନ ଜିଲ୍ଲା ପ୍ରଶାସନ ଅଧିକାରୀ, ନେତା, ମନ୍ତ୍ରୀ ଯିବା ଆସିବା କରିଥାନ୍ତି କିନ୍ତୁ କାହାରି ଦୃଷ୍ଟି ସେହି ରାସ୍ତା ଉପରେ ପଡ଼େନାହିଁ । ସ୍ଥାନୀୟ ଅଞ୍ଚଳବାସୀ ବାରମ୍ବାର ଏହି ଜାତୀୟ ରାଜପଥ ମରାମତି ପାଇଁ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ଅଧିକାରୀ କର୍ଣ୍ଣପାତ କରିନଥିଲେ । ବାଧ୍ୟ ହୋଇ ସ୍ଥାନୀୟ ବିଚିତ୍ରପୁର ପଞ୍ଚାୟତ ୧୩ନମ୍ବର ୱାର୍ଡମେମ୍ବର ଅଚୁ୍ୟତାନନ୍ଦ ସ୍ୱାଇଁ ଓ ଅବଦଲପୁର ଗାଁର ଯୁବକମାନେ ଏକାଠି ହୋଇ ବାଲି, ସିମେଂଟ ପକାଇ ରାସ୍ତା ମରାମତି କରିଛନ୍ତି । ଜିଲା ପ୍ରଶାସନ ଉପରେ ସମସ୍ତେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଯୁବଗୋଷ୍ଠୀଙ୍କ ଉଦ୍ୟମକୁ ସାଧାରଣରେ ପ୍ରଶଂସା କରାଯାଇଛି । ନିତ୍ୟାନନ୍ଦ ସ୍ୱାଇଁ, କୁଲଦୀପ, କିଶୋର, ଦୀପକ, ବ୍ରଜକିଶୋର, ନିହାର, ସମ୍ବିତ, ଗୌତମ, ବଂଟି, ରଞ୍ଜନ, ସଞ୍ଜିବ, ପ୍ରଭାସ, କିରଣ, ବିପିନ, ଚନ୍ଦନ, ଗୁଡୁନ, ଜୀବନଜ୍ୟୋତି, ଭବାନୀ, ସିପୁ ସମେତ ଗ୍ରାମବାସୀମାନେ ମିଳିମିଶି ରାସ୍ତା ମରାମତି କରିଛନ୍ତି ।