ଦାୟିତ୍ୱ ମୁକ୍ତର ବୋଝ ଓ ବାଲ୍ୟ ବିବାହ
ବାଲ୍ୟ ବିବାହ ହେଉଛି ଏକ ପୁରୁଣାକାଳିଆ ସାମାଜିକ ରୀତି । ଶୈଶବରୁ ପୁଅ ଓ ଝିଅମାନଙ୍କୁ ବିବାହ କରାଇ ପିତାମାତାମାନେ ବିଶେଷ କରି କନ୍ୟା ପିତାମାନେ ଦାୟିତ୍ୱ ମୁକ୍ତ ହେଲେ ବୋଲି ଆଗରୁ ଲୋକେ ଭାବୁଥିଲେ । ହେଲେ ଏକବିଂଶ ଶତାବ୍ଦିରେ ମଧ୍ୟ ଦେଶର ଆଇନ୍ ଅନୁଯାୟୀ ବାଲ୍ୟ ବିବାହ ଏକ ଅପରାଧ ବୋଲି ଅନେକେ ସଚେତନ ନାହାନ୍ତି । ବାଲ୍ୟ ବିବାହ ନିରୋଧ ଆଇନ୍ ରହିଥିଲେ ମଧ୍ୟ ଲୋକମାନେ ସେଥିପ୍ରତି ବେଖାତିର୍ ମନୋଭାବ ଦେଖାଇ ବାଲ୍ୟ ବିବାହ କରାଉଛନ୍ତି । ଝିଅମାନଙ୍କ କ୍ଷେତ୍ରରେ ୧୮ ବର୍ଷ ଏବଂ ପୁଅମାନଙ୍କ କ୍ଷେତ୍ରରେ ୨୧ ବର୍ଷ ନହେଲେ ଆଇନ୍ଗତ ଭାବରେ କାହାରି ବିବାହ କରାଯାଇପାରିବ ନାହିଁ । ମାତ୍ର ଅନେକ କ୍ଷେତ୍ରରେ ପିତାମାତାମାନେ ଏହି ବୟସକୁ ଲୁଚେଇ ପୁଅ ଝିଅଙ୍କର ବାହାଘର କରାଉଛନ୍ତି ।
ନିକଟରେ ଗତ ୫ ବର୍ଷର ବାଲ୍ୟ ବିବାହ ସମ୍ପର୍କିତ ଘଟଣା ଗୁଡ଼ିକର ଏକ ସର୍ଭେ ରିପୋର୍ଟ୍ ପ୍ରକାଶ ପାଇଛି । ଏଥିରେ ଦର୍ଶାଯାଇଛି ସମଗ୍ର ଦେଶରେ ବାଲ୍ୟ ବିବାହ ହାର ୨୦୧୯ରୁ ୨୦୨୧ ମସିହା ସୁଦ୍ଧା ୨୩.୩ ପ୍ରତିଶତ ଥିଲା । ଏହାର ଅର୍ଥ ହେଲା ପ୍ରତି ଶହେଟି ବିବାହରେ ୨୩ଟି ବିବାହ ହେଉଛି ବାଲ୍ୟ ବିବାହ । ଓଡ଼ିଶାରେ ଏହି ହାର ୨୦.୫ ପ୍ରତିଶତ । ରାଜ୍ୟ ବାଲ୍ୟ ବିବାହ ନିରୋଧ ଅଧିନିୟମ-୨୦୦୭ ଅନୁଯାୟୀ ଗତ ୫ ବର୍ଷ ମଧ୍ୟରେ ଦେଶରେ ୩୮୬ଟି ବାଲ୍ୟ ବିବାହ ସମ୍ପର୍କିତ ମାମଲା ପଞ୍ଜୀକରଣ କରାଯାଇଛି ।
ଏକ ସାମାଜିକ ରୀତି ଭାବରେ ଅକ୍ଷୟ ତୃତୀୟା ତଥା ଅନ୍ୟାନ୍ୟ ପର୍ବ ଅବସରରେ ବିଭିନ୍ନ ଅନୁଷ୍ଠାନ ଦ୍ୱାରା ଗଣ ବିବାହର ଆୟୋଜନ କରାଯାଏ । ଏହିସବୁ ଗଣ ବିବାହ ଗୁଡ଼ିକରେ ଅଧାରୁ ଅଧିକ ହେଉଛି ବାଲ୍ୟ ବିବାହ । ବାଲ୍ୟ ବିବାହ ଗୁଡ଼ିକ ସାମାଜିକ ଭାବରେ ଅନେକ ଜଟିଳ ସମସ୍ୟା ସୃଷ୍ଟି କରିଥାଏ । ଶିଶୁ ଅବସ୍ଥାରୁ ବିବାହ କରାଇ ଦିଆଯାଉଥିବା ପୁଅ ଓ ଝିଅମାନେ ବୟସ ବଢ଼ିବା ସହିତ ସେମାନଙ୍କର ଶିକ୍ଷାଗତ ଯୋଗ୍ୟତା ତଥା ଅନ୍ୟାନ୍ୟ ଯୋଗ୍ୟତା ପରସ୍ପରକୁ ଖାପ୍ ଖୁଆଇବା ଭଳି ହୋଇନଥାଏ । ଏହା ଫଳରେ ପାରିବାରିକ ଜୀବନ ସୁଖମୟ ହୋଇପାରେ ନାହିଁ । ବାଲ୍ୟ ବିବାହ କ୍ଷେତ୍ରରେ ମଧ୍ୟ ପତି-ପତ୍ନୀ ଭାବରେ ସମ୍ପର୍କ ରକ୍ଷା କରିବା ବୟସ ହୋଇନଥିବାରୁ ଏବଂ ପରିବାର ବଢ଼ିବାରୁ ରୋଜଗାରକ୍ଷମ କିମ୍ବା ମାନସିକ ଭାବରେ ପ୍ରସ୍ତୁତି ନଥିବାରୁ ଅନେକ ବାଲ୍ୟ ବିବାହ ଶାରୀରିକ ଭାବରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୁଏ । ବର୍ତ୍ତମାନ ଶିଶୁ ଅଧିକାରକୁ ନେଇ ବିଶ୍ଳେଷଣ କରାଗଲେ ଦେଖାଯାଉଛି ଯେ ପ୍ରତ୍ୟେକ ଶିଶୁର ଶିକ୍ଷା, ସ୍ୱାସ୍ଥ୍ୟ ଭଳି ସର୍ବନିମ୍ନ ଅଧିକାରର ଅର୍ନ୍ତଭୁକ୍ତ ହେଉଛି । ପାଠ ପଢ଼ିବା ବୟସରେ ସେମାନଙ୍କୁ ଯଦି ବିବାହ କରାଇ ଦିଆଯାଉଛି ତାହା ହେଲେ ସେମାନଙ୍କର ଅଧିକାର ସୁନିଶ୍ଚିତ ହୋଇ ପାରୁନାହିଁ । ଅତ୍ୟନ୍ତ ଶୈଶବରୁ ବିବାହ କରାଇ ଦିଆଯାଉଥିବାରୁ ଯଦି ପୁଅଟି କୌଣସି କାରଣରୁ ମରିଯାଏ, ଝିଅଟି ଜୀବନ କଣ ଜାଣିନଥିବା ଅବସ୍ଥାରୁ ବିଧବା ହୋଇ ଅନେକ ସାମାଜିକ ସମସ୍ୟାର ସମ୍ମୁଖୀନ ହୁଏ । ଜୀବନ କଣ ଜାଣିନଥିବା ଝଅଟିଏ ବିଧବା ହୋଇଗଲେ ସାରା ଜୀବନ ଦହଗଞ୍ଜ ହୋଇ ବଞ୍ଚିବାକୁ ପଡ଼େ । ବିବାହ ବୟସ ପୂର୍ବରୁ କିଶୋର କିଶୋରୀମାନଙ୍କୁ ବୈବାହିକ ଜୀବନର ସାମାଜିକ ଦିଗ, ଶାରୀରିକ ଦିଗ, ଅର୍ଥନୀତିକ ଦିଗ ଆଦି ସମ୍ପର୍କରେ ବିସ୍ତୃତ ଭାବରେ ସୂଚନା ଦେବାର ଆବଶ୍ୟକତା ଉପୁଜିଲାଣି । ଯେଉଁ ଠାରେ ଶିକ୍ଷାର ସ୍ତର ଅଧିକ ସେଠାରେ ବାଲ୍ୟ ବିବାହ ଭଳି ଘଟଣା ବହୁତ ହିଁଁ କମ୍ ଘଟେ । ପ୍ରତ୍ୟେକ ଶିଶୁ ବଡ଼ ହେଲେ ସ୍ୱାବଲମ୍ବୀ ହେବାର ସ୍ୱପ୍ନ ଦେଖେ । ହେଲେ ଶିଶୁଟିଏ ବଡ଼ ହୋଇ ସ୍ୱାବଲମ୍ବୀ ହେବା ପୂର୍ବରୁ ପରିବାରର ବୋଝ ନିଜ ମୁଣ୍ଡକୁ ନେବା ଦ୍ୱାରା ସମାଜ ପ୍ରତି ରହିଥିବା କର୍ତ୍ତବ୍ୟ ଗୁଡ଼ିକ ସମ୍ପାଦନ କରିବା କ୍ଷେତ୍ରରେ ସେ ଉଦାସୀନ ରହେ । ଏହା ଫଳରେ ସାମାଜିକ ଜୀବନରେ ଏ ପ୍ରକାରର ଦମ୍ପତ୍ତି ସବୁ ସମାଜକୁ ଦେବା ବଦଳରେ ନେବା ପାଇଁ ଚିନ୍ତା କରନ୍ତି । ତେଣୁ ସର୍ବୋତ୍ତ ଭାବରେ ବାଲ୍ୟ ବିବାହ ଗୁଡ଼ିକୁ ବନ୍ଦ କରାଇବା ପାଇଁ ପ୍ରତ୍ୟେକ ଶିକ୍ଷିତ ବ୍ୟକ୍ତି ଉଦ୍ୟମ କରିବା ଆବଶ୍ୟକ ।