ମାର୍ଶାଘାଇକୁ ଏନ୍ଏସି ମାନ୍ୟତା କେବେ?
ସ୍ୱତନ୍ତ୍ର ପ୍ରତିନିଧି ଉକôଳ କେଶରୀ ପାହାଡସିଂ
ଏନ୍ଏସି ମାନ୍ୟତା ପାଇବା ପାଇଁ ଜନସଂଖ୍ୟା, ସ୍ୱାସ୍ଥ୍ୟସେବା, ଶିକ୍ଷା, ଭିତ୍ତିଭୂମି ଆଦି ସମସ୍ତ ମାନଦଣ୍ଡ ପୂରଣ କରୁଛି ମାର୍ଶାଘାଇ ବ୍ଲକ ମୁଖ୍ୟାଳୟ ଗ୍ରାମ ପଞ୍ଚାୟତ ବା ବ୍ଲକ ମୁଖ୍ୟାଳୟ । ତଥାପି ଅଦ୍ୟାବଧି ମାର୍ଶାଘାଇବାସୀଙ୍କ ଏହି ଦୀର୍ଘ ଦିନର ସ୍ୱପ୍ନ ହୋଇପାରିନି ସାକାର । ୨୦୨୪ମସିହାରେ ତତ୍କାଳୀନ ସରକାର ରାଜ୍ୟରେ ୩୪ଗୋଟି ନୂତନ ଏନ୍ଏସି ବା ବିଜ୍ଞପିତ ଅଞ୍ଚଳର ନାମ ଘୋଷଣା କରିଥିଲେ । କିନ୍ତୁ ବହୁ ଦାବି ସତ୍ତ୍ୱେ ସେତେବେଳେ ଏହି ତାଲିକାରେ ମାର୍ଶାଘାଇକୁ ବାଦ୍ ଦିଆଯାଇଥିଲା । ଯାହାକୁ ନେଇ ସେତେବେଳେ ସ୍ଥାନୀୟ ଅଞ୍ଚଳରେ ଘୋର ଅସନ୍ତୋଷ ପରିଲିକ୍ଷିତ ହୋଇଥିଲା । ଅପରପକ୍ଷରେ ନିକଟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟରେ ୨୧ଗୋଟି ନୂତନ ଏନ୍ଏସି ଗଠନ ନେଇ ଘୋଷଣା କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ୧୨ଟି ନୂତନ ଏନ୍ଏସି ଗଠନ ନିମନ୍ତେ ବିଜ୍ଞପ୍ତି ପ୍ରକାଶ ମଧ୍ୟ ପାଇଛି ।ଏହି ତାଲିକାରେ ମଧ୍ୟ କେନ୍ଦ୍ରାପଡ଼ାର ମାର୍ଶାଘାଇ ନାମ ନାହିଁ ।
ତେବେ ଏନ୍ଏସି ମାନ୍ୟତା ଦେବାରେ ମାର୍ଶାଘାଇକୁ ଉପେକ୍ଷା କରାଯାଉଥିବା ହେତୁ ସ୍ଥାନୀୟ ଅଞ୍ଚଳରେ ଜନ ଅସନ୍ତୋଷ ଦାନା ବାନ୍ଧୁଥିବାବେଳେ ଅଞ୍ଚଳ ବାସୀଙ୍କ ଦାବିକୁ ସମ୍ମାନ ଜଣାଇ ମହାକାଳପଡ଼ା ନିର୍ବାଚନ ମଣ୍ଡଳୀ ବିଧାୟକ ଡ଼.ଦୁର୍ଗା ପ୍ରସନ୍ନ ନାୟକ ଗତ ଜୁଲାଇ ମାସରେ ବିଭାଗୀୟ ମନ୍ତ୍ରୀଙ୍କୁ ନିଜ ଲେଟର ପ୍ୟାର୍ଡରେ ଏକ ଚିଠି ଲେଖି ଦାବି ଉପସ୍ଥାପନା କରିଥିବା କଥା ନଜରକୁ ଆସିଛି । ବିଧାୟକ ଡ଼.ନାୟକ ଚିଠିରେ ଉଲ୍ଲେଖ କରି ଜଣାଇଛନ୍ତି, ମାର୍ଶାଘାଇ ଗ୍ରାମ ପଞ୍ଚାୟତ ବା ବ୍ଲକ ମୁଖ୍ୟାଳୟ ହେଉଛି କେନ୍ଦ୍ରାପଡ଼ା ଜିଲ୍ଲାର ଏକ ଗୁରୁତ୍ୱପୂର୍ଣ୍ଣ ପଞ୍ଚାୟତ । ଏଠାରେ ତହସିଲ୍ କାର୍ଯ୍ୟାଳୟ, ବ୍ଲକ କାର୍ଯ୍ୟାଳୟ, ସର୍ବସାଧାରଣଙ୍କ ନିମନ୍ତେ ଚିକିସôାଳୟ, ପୋଲିସ୍ ଷ୍ଟେସନ, ପିଡ଼ବ୍ଲୁ୍ୟଡି କାର୍ଯ୍ୟାଳୟ, ଜଳସେଚନ ବିଭାଗ କାର୍ଯ୍ୟାଳୟ, ଏବଂ ଏକାଧିକ ଶିକ୍ଷାଅନୁଷ୍ଠାନ ମାର୍ଶାଘାଇ ଗ୍ରାମ ପଞ୍ଚାୟତ ବା ବ୍ଲକ ମୁଖ୍ୟାଳୟ ଅଞ୍ଚଳରେ ଅବସ୍ଥିତ ରହିଛି । ସେହିପରି ଏହି ଗ୍ରାମ ପଞ୍ଚାୟତ ଅଧୀନରେ ୧୭ଟି ୱାର୍ଡ ଥିବା ବେଳେ ଦଶ ହଜାରରୁ ଅଧିକ ଜନ ସଂଖ୍ୟା ବୋଲି ବିଧାୟକ ଡ଼.ନାୟକ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି । ଯଦି ଏହାର ପାରିପାର୍ଶ୍ୱ ଗ୍ରାମ ଗୁଡ଼ିକୁ ହିସାବକୁ ନିଆଯାଏ, ତେବେ ତିରିଶିରୁ ଅଧିକ ୱାର୍ଡ ସଂଖ୍ୟା ହେବ ଏବଂ ପନ୍ଦର ହଜାରରୁ ଅଧିକ ଜନସଂଖ୍ୟା ହେବ ବୋଲି ବିଧାୟକ ଡ଼.ନାୟକ ବିଭାଗୀୟ ମନ୍ତ୍ରୀଙ୍କୁ ଚିଠି ମାଧ୍ୟମରେ ଜଣାଇଛନ୍ତି । ତେଣୁ ମାର୍ଶାଘାଇ ବ୍ଲକ୍ ମୁଖ୍ୟାଳୟ ଅଞ୍ଚଳ ଏନ୍ଏସି ବା ବିଜ୍ଞପିତ ଅଞ୍ଚଳ ମାନ୍ୟତା ପାଇବା ନିମନ୍ତେ ସମସ୍ତ ଦୃଷ୍ଟିରୁ ଯୋଗ୍ୟ ଏବଂ ଅଞ୍ଚଳବାସୀଙ୍କ ଏହି ଦାବିକୁ ତୁରନ୍ତ ପୂରଣ କରିବା ନିମନ୍ତେ ବିଭାଗୀୟ ମନ୍ତ୍ରୀଙ୍କୁ ବିଧାୟକ ଡ଼.ଦୁର୍ଗା ପ୍ରସନ୍ନ ନାୟକ ଚିଠି ମାଧ୍ୟମରେ ନିବେଦନ କରିଛନ୍ତି । ସେହିପରି ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ତଥା ସୂଚନା ଅଧିକାର କର୍ମୀ ପ୍ରତାପ ମହାନ୍ତି ବିଧାୟକଙ୍କ ଏହି ପ୍ରୟାସକୁ ପ୍ରଶଂସା କରିବା ସହିତ କହିଛନ୍ତି ଏନ୍ଏସି ମାନ୍ୟତା ମିଳିଲେ ମାର୍ଶାଘାଇକୁ ଅଧିକ ପ୍ରଶାସନିକ ଓ ଆର୍ଥôକ ସହାୟତା ମିଳିପାରିବ ଯାହା ଦ୍ୱାରା ଅଞ୍ଚଳର ବିକାଶ ତ୍ୱରାନିତ ହୋଇପାରିବ । ତେବେ ଦେଖିବାକୁ ବାକି ରହିଲା ଅଞ୍ଚବସୀଙ୍କ ଏହି ଦୀର୍ଘ ଦିନର ଆଶାକୁ କେବେ ପୂରଣ କରୁଛନ୍ତି ମୋହନ ସରକାର?