ମାଲିକର କାନକୁ ବ୍ଲେଟ୍ରେ କାଟି ଭଡ଼ାଟିଆ ଗିରଫ

ଭୁବନେଶ୍ୱର, ୦୩ା୬ : ଠିକ ସମୟରେ ଘର ଭଡ଼ା ଦେଉନଥିବାରୁ ଜଣେ ଭଡ଼ାଟିଆଙ୍କୁ ଘର ଖାଲି କରିବାକୁ କହିଲେ ମାଲିକ । ପରେ ଅନ୍ୟ ଗ୍ରାହକ ଆଣି ଘର ଦେଖାଇବା ବେଳେ ରାଗରେ ବ୍ଲେଟ୍ରେ ମାଲିକର କାନକୁ କାଟିଲା ଅଭିଯୁକ୍ତ ଭଡ଼ାଟିଆ । ଏନେଇ ଥାନାରେ ଅଭିଯୋଗ ପରେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାର କରିଛି ଲିଙ୍ଗରାଜ ଥାନା ପୁଲିସ । ଗିରଫ ଅଭିଯୁକ୍ତ ହେଲା, ପୁରୀ ଜିଲ୍ଲା ପିପିଲି ଅଞ୍ଚଳର ଅଜିତ୍ ସେଠୀ ।
ସୂଚନାଯୋଗ୍ୟଯେ, ଅଭିଯୋଗକାରୀ ଆନ୍ଦୁ ଦିଗଲ ଗୌରୀନଗର ଅନ୍ତର୍ଗତ ପ୍ଲଟ୍ ନଂ- ୨୯୯୪୪ରେ ରହୁଥିବା ବେଳେ, ଅଭିଯୁକ୍ତ ମଧ୍ୟ ଗତ ୨ ବର୍ଷ ହେବ ଉକ୍ତ ପ୍ଲଟରେ ଥିବା ତାଙ୍କ ବଡ଼ ଭାଇ ରାଜୁ ଦିଗଲଙ୍କ ଘରେ ଭଡ଼ାରେ ରହି ଆସୁଥିଲେ । ଅଭିଯୁକ୍ତ ଜଣକ ସଠିକ ସମୟରେ ଘର ଭଡ଼ା ଦେଉନଥିବାରୁ ଗତ ଜୁନ୍ ମାସରେ ତାଙ୍କୁ ଘର ଖାଲି କରିବାକୁ ଘର ମାଲିକ କହିଥିଲେ । ହେଲେ ଅଭିଯୁକ୍ତର ଗ୍ୟାରେଜ୍ ଛକରେ ଏକ ଦୋକାନ ରହିଥିବାରୁ ସେ ଘରକୁ ଖାଲି କରିବାକୁ ନାରାଜ ରହିଥିଲା ଓ କେହି ଜଦି ସେ ଘରକୁ ଭଡ଼ା ନେବା ପାଇ ଦେଖିବାକୁ ଆସେ ତାଙ୍କୁ ସେ ଘର ଦେଖିବାକୁ ଦେଉନଥିଲା । ଏନେଇ ଘର ମାଲିକ ଅଭିଯୁକ୍ତ ଜଣକ ଦୋକାନରେ ଥିବା ସମୟରେ ଘର ମାଲିକ ସେଠାକୁ ଯାଇ ତାଙ୍କୁ ଗ୍ରାହକ ଘର ଦେଖିବାକୁ ଆସିଲେ କାହିଁକି ଦେଖିବାକୁ ଦେଉନାହି ବୋଲି ପଚାରିଥିଲେ । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇ ରାଗରେ ଅଭିଯୁକ୍ତ ଏକ ବ୍ଲେଟରେ ମାଲିକକୁ ଆକ୍ରମଣ କରିଥିଲା । ହେଲେ ବ୍ଲେଟ୍ ବେକରେ ବାଜିବା ପୂର୍ବରୁ ତାଙ୍କ କାନରେ ବାଜିଥିଲା । ଫଳରେ ତାଙ୍କ କାନ ଅଧା ଝୁଲିପଡ଼ିଥିଲା । ଏନେଇ ଅଭିଯୋଗକାରୀ ଲିଙ୍ଗରାଜ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଆଜି ଅଭିଯୁକ୍ତକୁ ଗିରଫ କରିଛି ।