ମାସ ଦୁଇଟାରେ ଖାଲଖମାରେ ଭର୍ତ୍ତି : ବରୁଣ୍ଡେଇ-ମୁକୁନ୍ଦପୁର ରାସ୍ତା ଅବସ୍ଥା ବିପର୍ଯ୍ୟସ୍ତ 

 ବୈତରଣୀ ରୋଡ଼: ବରୁଣ୍ଡେଇ-ମକୁନ୍ଦପୁର ରାସ୍ତା କୋରେଇ ବ୍ଲକର ଗୁରୁତ୍ୱପୂର୍ଣ୍ଣ ରାସ୍ତା ମଧ୍ୟରୁ ଅନ୍ୟତମ । ବରୁଣ୍ଡେଇରୁ ଭଦ୍ରକ ଓ କେନ୍ଦୁଝର ଜିଲ୍ଲାକୁ ସଂଯୋଗ କରିଛି ଏହି ରାସ୍ତାଟି । ଏହା ସହ ବୈତରଣୀ ନଦୀର ଏକାଧିକ ବାଲିଘାଟର ପ୍ରମୁଖ ରାସ୍ତା । ବ୍ଲକର ଅନୁନ୍ୟ ୭ ପଞ୍ଚାୟତ ସହ ଭଦ୍ରକ ଏବଂ କେନ୍ଦୁଝର ଜିଲାର ଅନେକ ପଞ୍ଚାୟତବାସୀଙ୍କ ପାଇଁ ଏହି ରାସ୍ତାଟି ଲାଇଫ ଲାଇନ ଭାବେ ପରିଚିତ । ପୂର୍ତ୍ତ ବିଭାଗ ଅଧିନସ୍ଥ ଏହି ରାସ୍ତାଟି ଠିକାଦାରଙ୍କ ପାଇଁ ନେଉଟିଆ କିଆରି ପାଲଟିଯାଇଛି । କୋଟି କୋଟି ଟଙ୍କାରେ ରାସ୍ତା ନିର୍ମାଣ ହେଉ କି ବହୁଲକ୍ଷ୍ୟରେ ମରାମତି କରାଯାଉଥିଲେ ହେଁ ବର୍ଷ କିମ୍ବା ମାସ କେଇଟାରେ ରାସ୍ତାଟି ବିପର୍ଯ୍ୟସ୍ତ ହୋଇପଡ଼ିଥାଏ । ଯାହା ଚଳିତବର୍ଷରେ ଦେଖିବାକୁ ମିଳିଛି । ସଂପୃକ୍ତ ରାସ୍ତାଟି ବିପର୍ଯ୍ୟସ୍ତ ହୋଇପଡ଼ିବାରୁ ଚଳିତବର୍ଷ ବିଭାଗ ପକ୍ଷରୁ ମରାମତି କରାଯାଇଥିଲା । ବିଭାଗର ଗେହ୍ଲା ଠିକାଦାର ମରାମତି କାର୍ଯ୍ୟ କରିଥିଲେ । ମରାମତି ପାଇଁ କେତେ ଟଙ୍କା ଅନୁଦାନ ରହିଛି ଠିକାଦାର କିଏ ସେସବୁ ଗୋପନୀୟ ରଖାଯାଇ କାର୍ଯ୍ୟ କରାଯାଇଛି । କାର୍ଯ୍ୟ ଆରମ୍ଭ ହୋଇ ଶେଷ ହେବାକୁ ଦୁଇମାସ ଯାଇଛି । ହେଲେ ରାସ୍ତାଟି ପୁଣି ମରାମତି ଖୋଜିଲାଣି । ରାସ୍ତାର ବିଭିନ୍ନ ସ୍ଥାନରେ ବିରାଟକାୟ ଖାଲ ସୃଷ୍ଟି ହୋଇଥିବା ବେଳେ ରାସ୍ତା ପାଶ୍ୱର୍ କାଦୁଅରେ ଭର୍ତି ହୋଇପଡ଼ିଛି । ବଡ଼ଗାଡ଼ି କଥା ଛାଡ଼ ବାଇକ କି ସାଇକଲ ଯିବା ଆସିବା କଷ୍ଟକର ହୋଇପଡ଼ୁଛି । ବହୁଲକ୍ଷରେ ମରାମତି କାର୍ଯ୍ୟରେ ବହୁ ପରିମାଣର ଦୁର୍ନୀତି କାରଣରୁ ରାସ୍ତା ଅବସ୍ଥା ସାଂଘାତିକ ହୋଇପଡ଼ିଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରନ୍ତି । ବର୍ତମାନ ରାସ୍ତାର ବିଭିନ୍ନ ଜାଗାରେ ବଡ଼ବଡ଼ ଖାଲ ସୃଷ୍ଟି ହୋଇଥିବାରୁ ବର୍ଷା ଜଳ ଜମିରହୁଛି ।
ଯାହାଦ୍ୱାରା ଅନେକ କ୍ଷେତ୍ରରେ ପଥଚାରୀ ଠାରୁ ବାଟୋଇ, ଛାତ୍ରଛାତ୍ରୀ ଛୋଟ ବଡ଼ ଦୁର୍ଘଟଣାର ଶିକାର ହେଉଛନ୍ତି । ଏହି ରାସ୍ତା ଦେଇ ମୁକୁନ୍ଦପୁର, କଡମିଆଁ, ସୋଲପାଟିଆ, ଖଜୁରିନାଲୁଆ, ଗୌରପୁର ପଞ୍ଚାୟତ ରଣପୁର ପଞ୍ଚାୟତ ଆଦି ୨୦ହଜାର ଲୋକଙ୍କ ପ୍ରାଣକେନ୍ଦ୍ର ବୈତରଣୀ ବଜାରକୁ ଯିବା ଆସିବା କରିଥାନ୍ତି । ଏହାସହ ସରକାରୀ ଅନୁଷ୍ଠାନ, ବରୁଣ୍ଡେଇ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ରୋଗୀ ଭରଷା କେନ୍ଦ୍ର, ପ୍ରାଣକୃଷ୍ଣ ମହାବିଦ୍ୟାଳୟ ଡିଗ୍ରୀ ମହାବିଦ୍ୟାଳୟକୁ ରୋଗୀ ଠାରୁ ଆରମ୍ଭ କରି ଛାତ୍ରଛାତ୍ରୀ ଯାତାୟତ କରିଥାନ୍ତି । ଆବଶ୍ୟକ ସ୍ଥଳେ ବୈତରଣୀ ରେଲୱେ ଷ୍ଟେସନ ଥିବାରୁ ମଧ୍ୟ ଦୂର ଦୁରାନ୍ତରୁ ଯା ଆସ କରିଥାନ୍ତି । ବିଭିନ୍ନ ଦୃଷ୍ଟିକୋଣରୁ ଏହି ରାସ୍ତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥିବା ବେଳେ ଭଦ୍ରକ, କେନ୍ଦୁଝର ଜିଲାକୁ ସଂଯୋଗ ଏବଂ ବ୍ଲକର ବିଭିନ୍ନ ପ୍ରାନ୍ତକୁ ରାସ୍ତା ପଡ଼ିଥିବାରୁ ଦୈନିକ ହଜାର ହଜାର ଲୋକ ଯିବା ଆସିବା କରିଥାନ୍ତି । ହେଲେ ସଂପୃକ୍ତ ରାସ୍ତା ଏବେ ମରଣଯନ୍ତା ହୋଇପଡିଛି । ସତ କହିବାକୁ ଗଲେ ରାସ୍ତା ଉଭୟ ପାର୍ଶ୍ୱରେ ଡଷ୍ଟ ବଦଳରେ ମାଟି ପଡ଼ିବା ଦ୍ୱାରା ସାମାନ୍ୟ ବର୍ଷାରେ ରାସ୍ତା ଅବସ୍ଥା ବିଗୁଡୁଥିବା ପରିସ୍ଥିତି ସୃଷ୍ଟି ହୋଇଛି । ଏଠି ଠିକାଦାର ରାସ୍ତା ମରାମତି ନାଁରେ ବ୍ୟାପକ ଅନିୟମିତତା କରିଥିବାର ଅଭିଯୋଗ ହେଉଛି ।