ମୁକୁଳା ଡ୍ରେନ ପାଇଁ ପରିବେଶ ଦୂଷିତ
ରଗଡି : କୋରେଇ ବ୍ଲକ ତଳଗଡ଼ ପଞ୍ଚାୟତ ଉପୁଳାଇ ଗ୍ରାମ ରାସ୍ତାର ମୁକୁଳା ଡ୍ରେନ ପରିବେଶ ଦୂଷିତର କାରଣ ପାଲଟିଛି । ମୁକୁଳା ଡ଼୍ରେନରେ ଅଳିଆ ଆବର୍ଜନା ଭର୍ତି ହୋଇ ପଚିଯିବା ପରେ ତାହା ଦୁର୍ଗନ୍ଦ କରୁଛି । ପଚାପାଣିକୁ ଆବର୍ଜନା ମଶାବଂଶ ବୃଦ୍ଧି କରିବାରେ ଲାଗିଛି । ଯାହା ଗ୍ରାମବାସୀଙ୍କ ପାଇଁ ସ୍ୱାସ୍ଥ୍ୟସମସ୍ୟା ସୃଷ୍ଟି କରିଛି । ଖବର ମତେ ତିନିବର୍ଷ ତଳେ ଗ୍ରାମରେ ନୂତନ ପିଚୁ ରାସ୍ତା ନିର୍ମାଣ ସମୟରେ ଗାଁ ଦାଣ୍ଡରେ ପାଣି ନିଷ୍କାସନ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଗୋଟିଏ ପଟରେ ଡ୍ରେନ ନିର୍ମାଣ କରାଯାଇଥିଲା । ତେବେ ଏହା ଉପରେ ସ୍ଲାବ ପକାଯାଇନଥିଲା । ଯଦ୍ୱାରା ଏହା ମୁକୁଳା ଥିବାରୁ ଲୋକେ ନିଜ ଅଳିଆ ଆବର୍ଜନାକୁ ଏହା ମଧ୍ୟରେ ପକାଇବାରେ ଲାଗିଛନ୍ତି । ଫଳରେ ଡ୍ରେନ ଜାମ ହୋଇ ଆଉ ପାଣି ନିଷ୍କାସନ ହୋଇପାରୁନି । ଏଥିଯୋଗୁ ପାଣିରେ ଅଳିଆ ଆବର୍ଜନା ପଚି ଦୁର୍ଗନ୍ଧ ହେଉଛି । ଏହା ଗ୍ରାମ ପରିବେଶକୁ ନଷ୍ଟ କରିବା ସହ ଅସ୍ୱାସ୍ଥ୍ୟକର ସ୍ଥିତି ସୃଷ୍ଟି କରିଛି । ଆଗକୁ ବର୍ଷା ଦିନ ଆସୁଛି । ବର୍ଷା ପାଣି ଡ୍ରେନରେ ଯାଇ ନପାରି ଦାଣ୍ଡରେ ପ୍ରବାହିତ ହେବ । ଯାହା ବଡ଼ସମସ୍ୟା ସୃଷ୍ଟି କରିବ । ତୁରନ୍ତ ଡ୍ରେନ ସଫେଇ ସହ ସ୍ଲାବ ପକାଇବାକୁ ଗ୍ରାମବାସୀ ଦାବି କରିଛନ୍ତି ।