ସମସ୍ୟା ବହୁଳ ବ୍ରହ୍ମବରଦା +୨ ଓ +୩ କଲେଜ
ବ୍ରହ୍ମବରଦା: ରାଜ୍ୟ ସରକାର ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ କୋଟିକୋଟି ଟଙ୍କା ବ୍ୟୟ ବରାଦ କରୁଛନ୍ତି । ଶିକ୍ଷାନୁଷ୍ଠାନ ପ୍ରତି ଛାତ୍ରଛାତ୍ରୀଙ୍କ ଆଗ୍ରହ ପ୍ରକାଶ ପାଇଁ ବିଭିନ୍ନ ଶିକ୍ଷଣୀୟ ଉପକରଣ ସହ ଉନ୍ନତ ଭିତିଭୂମି ସ୍ୱରୂପ ସ୍ମାର୍ଟ କ୍ଲାସ ରୁମ, ସ୍ମାର୍ଟ ବିଜ୍ଞାନଗାର ଓ ସ୍ମାର୍ଟ ଲାଇବ୍ରେରୀ ଠାରୁ ଆରମ୍ଭ କରି ସାଇକଲ ଷ୍ଟାଣ୍ଡ ପଯ୍ୟନ୍ତ ସବୁକିଛି ପ୍ରସ୍ତୁତ କରିବାର ସୁବ୍ୟବସ୍ଥା କରୁଛନ୍ତି । ତା ସହିତ ଛାତ୍ରଛାତ୍ରୀ ମାନଙ୍କର ଶାରୀରିକ ଓ ମାନସିକ ବିକାଶ ପାଇଁ ବିଭିନ୍ନ ଖେଳକୁଦ ଉପକରଣ ସହ ଖେଳ ପଡ଼ିଆ ପାଇଁ ମଧ୍ୟ ଜମି ଅଧିଗ୍ରହଣ କରାଯାଉଚି । କିନ୍ତୁ ସରକାର ତରଫରୁ ଏତେ ସବୁ ଯୋଜନା କାର୍ଯ୍ୟକାରୀ କରାଯାଉଥିଲେ ମଧ୍ୟ ରସୁଲପୁର ବ୍ଲକ ଅଧିନ ବ୍ରହ୍ମବରଦା +୨ ଓ +୩ କଲେଜରେ ଏହାର ବହୁ ବ୍ୟତିକ୍ରମ ଦେଖିବାକୁ ମିଳିଛି । ଏଠାରେ ଛାତ୍ରଛାତ୍ରୀଙ୍କ ପାଇଁ ଗୋଟେ ଉନ୍ନତ ସାଇକଲ ଷ୍ଟାଣ୍ଡ ନଥିବା ବେଳେ + ୩ ବିଦ୍ୟାଳୟର ନିଜସ୍ୱ ଖେଳ ପଡିଆଟିଏ ମଧ୍ୟ ନାହିଁ । ଫଳରେ ଛାତ୍ରଛାତ୍ରୀମାନେ କଲେଜକୁ ଆସିବା ସମୟରେ ସାଙ୍ଗରେ ଆଣୁଥିବା ସାଇକଲଟିକୁ ଉଚିତ ସ୍ଥାନରେ ରଖି ନ ପାରି ନାନା ହଇରାଣ ହରକତ ହେବା ସହ ଖେଳକୁଦ କରି ନ ପାରି ଶାରୀରିକ ବିକାଶରୁ ବଂଚିତ ହେଉଛନ୍ତି ।
କେତେକାଂଶରେ ଛାତ୍ରଛାତ୍ରୀମାନେ ଏଠାରେ ଶିକ୍ଷାଦାନ କରିବାକୁ ମୁହଁ ଫେରାଇ ନେଉଥିବା ଶୁଣିବାକୁ ମିଲୁଛି । ସୁଚନାନୁଯାୟୀ କି ବ୍ରହ୍ମବରଦା ପଂଚାୟତର ଗୋଟିଏ କ୍ୟାମ୍ପସ ଭିତରେ ରହିଛି ଦୁଇଗୋଟି କଲେଜ । ଗୋଟିଏ ବ୍ରହ୍ମବରଦା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଅନ୍ୟଟି ବ୍ରହ୍ମବରଦା ଡିଗ୍ରୀ ମହାବିଦ୍ୟାଳୟ । ଦୁଇଟି କଲେଜର ମୋଟ ଛାତ୍ରଛାତ୍ରୀଙ୍କ ସଂଖ୍ୟା ରହିଛି ପାଖାପାଖି ୧୭ ଶହରୁ ଉର୍ଦ୍ଧ । ଉଭୟ ବିଦ୍ୟାଳୟର ପାଖାପାଖି ସତୁରି ଭାଗ ପିଲା ସାଇକେଲ ସାଙ୍ଗରେ ନେଇ କଲେଜ ଆସିଥାନ୍ତି । କିନ୍ତୁ ଦୁର୍ଭାଗ୍ୟର କଥା କଲେଜ ପରିସର ମଧ୍ୟରେ ସାଇକଲ ଷ୍ଟାଣ୍ଡଟିଏ ନ ଥିବାରୁ ଛାତ୍ରଛାତ୍ରୀମାନେ ତାଙ୍କ ସାଇକଲ ଗୁଡିକୁ ଏଣେତେଣେ ରଖୁଛନ୍ତି । ବିଶେଷ କରି ବର୍ଷା ରୁତୁ ଚାରିମାସ ତକ ଛାତ୍ରଛାତ୍ରୀଙ୍କ ସାଇକଲ ଗୁଡିକ ଏମିତି ପଦାରେ ପଡି ବର୍ଷା ପାଣି ଖାଇ ସିଟ ଗୁଡିକ ନଷ୍ଟ ହେଉଥିବା ବେଳେ ସାଇକଲର ଚେନ୍ ସବୁ ଜଙ୍କ୍ ଲାଗିଯାଏ ଓ ଖରାଦିନେ ଖରା ତାପରେ କିଛି ପିଲାଙ୍କ ସାଇକଲ ଚକ ଗୁଡିକ ଲିକ ହୋଇଯାଏ ଯାହାଦ୍ୱାରା ଛାତ୍ରଛାତ୍ରୀ ଅଯଥାରେ ଖର୍ଚ୍ଚାନ୍ତର ଶିକାର ହୋଇଥାନ୍ତି । କିନ୍ତୁ ଦେଖିବାକୁ ଗଲେ ପୂର୍ବରୁ କଲେଜ ପରିସରରେ ଏକ ସାଇକଲ ଷ୍ଟାଣ୍ଡଥିଲା । ସେଠାରେ ଛାତ୍ରଛାତ୍ରୀଙ୍କ ସାଇକଲ ସବୁ ରଖାଯାଉଥିଲା । କିନ୍ତୁ ଉଭୟ ସ୍କୁଲର ଛାତ୍ରଛାତ୍ରୀଙ୍କ ସିଟ ସଂଖ୍ୟା ବୃଦ୍ଧି ଘଟିବାରୁ ଉକ୍ତ ସାଇକଲ ଷ୍ଟାଣ୍ଡକୁ ବିଦ୍ୟାଳୟର ବିଭିନ୍ନ କାର୍ଯ୍ୟାଳୟ ଓ ଷ୍ଟୋର ରୁମରେ ପରିଣତ କରାଗଲା ଓ ଏବେ ସାଇକଲ ଗୁଡିକ କଲେଜରେ ଏଣେତେଣେ ରଖାଯାଉଛି । ଅକାରଣରେ ଛାତ୍ରଛାତ୍ରୀ ହନ୍ତସନ୍ତ ହେଉଛନ୍ତି । ଅନ୍ୟପକ୍ଷରେ ଦେଖିବାକୁ ଗଲେ ସାଇକଲ ଷ୍ଟାଣ୍ଡ ବ୍ୟତୀତ ଏଠାରେ ପିଲାମାନଙ୍କ ପାଇଁ ଉନ୍ନତ ଖେଳ ପଡିଆ ଟିଏ ମଧ୍ୟ ନାହିଁ । କିନ୍ତୁ ବ୍ରହ୍ମବରଦା +୨ କଲେଜ ପକ୍ଷରୁ ଖେଳ ପଡିଆ ପାଇଁ ସ୍ଥାନ ଅଧିଗ୍ରହଣ କରାଯାଇଥିଲେ ମଧ୍ୟ ତାହାର ଉନ୍ନତୀକରଣ ହୋଇନଥିବାରୁ ସେଠାରେ ସଠିକ ଢ଼ଙ୍ଗରେ ବାର୍ଷିକ କ୍ରୀଡ଼ା ଉତ୍ସବ ହେଇପାରୁନାହିଁ । କିନ୍ତୁ ବ୍ରହ୍ମବରଦା ବ୍ରହ୍ମବରଦା + ୩ କଲେଜ ମଧ୍ୟ ସମାନ ସମସ୍ୟା ଦେଇ ଗତି କରୁଛି । ଏହାର ମଧ୍ୟ ଛାତ୍ରଛାତ୍ରୀଙ୍କ ବାର୍ଷିକ କ୍ରୀଡ଼ା ଉତ୍ସବ ପାଇଁ ନିଜସ୍ୱ ଖେଳ ପଡିଆଟିଏ ନାହିଁ । ଫଳରେ ଛାତ୍ରଛାତ୍ରୀଙ୍କ ଶାରୀରିକ ଓ ମାନସିକ ବିକାଶରେ ବାଧା ସୃଷ୍ଟି କରୁଛି । କିନ୍ତୁ ପୂର୍ବରୁ ବ୍ରହ୍ମବରଦା କଲେଜର ବହୁ ଛାତ୍ରଛାତ୍ରୀ ଜିଲ୍ଲା ତଥା ରାଜ୍ୟସ୍ତରରେ କ୍ରୀଡ଼ା କ୍ଷେତ୍ରରେ ସୁନାମ ଆଣି କଲେଜକୁ ଗୌରବାନ୍ୱିତ କରିଥିବା ବେଳେ ଦୀର୍ଘ ଦିନ ଧରି ଏଠାରେ ସ୍ଥାୟୀ ଖେଳ ପଡିଆ ଟିଏ ନ ହେବା ନିଶ୍ଚୟ ଦୁର୍ଭାଗ୍ୟର ବିଷୟ । ତେଣୁ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ବ୍ରହ୍ମବରଦା +୨ ଓ +୩ କଲେଜ ନିମିତ ଏକ ସାଇକେଲ ଷ୍ଟାଣ୍ଡ ସହିତ ଉନ୍ନତ ଖେଳ ପଡିଆଟିଏ ଯୋଗାଇ ଦେବା ପାଇଁ ଛାତ୍ରଛାତ୍ରୀ, ଅଭିଭାବକ ଓ ବିଦ୍ୟାଳୟର ଅଧ୍ୟକ୍ଷ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ନିକଟରେ ନିବେଦନ କରିଛନ୍ତି ।