ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ନଦୀ ସଙ୍ଗଠନର ପ୍ରତିନିଧି ମଣ୍ଡଳୀ : ଗଙ୍ଗୁଆକୁ ନଦୀର ମାନ୍ୟତା ଦାବି 

 ଭୁବନେଶ୍ୱର : ଆଜି ନଦୀ ସଙ୍ଗଠନର ବିଭିନ୍ନ ପ୍ରତିନିଧି ମଣ୍ଡଳୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ୮ ଦଫା ଦାବିପତ୍ର ପ୍ରଦାନ କରିଛନ୍ତି । ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ ସହ ବିଭିନ୍ନ ନଦୀ ସମ୍ପର୍କରେ ଥିବା ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି । ମହାନଦୀ ବଞ୍ଚାଓ ଆନେ୍ଦାଳନ, ଦୟା ସୁରକ୍ଷା ଅଭିଯାନ, ଚିଲିକା ବଞ୍ଚାଅ ଅଭିଯାନ, ନିର୍ମଳ ଦୟା, ଓଡ଼ିଶା ନଦୀ ସୁରକ୍ଷା ସମିତି, ଓଡ଼ିଶା ପରିବେଶ ସମିତି ଇତ୍ୟାଦି ସଂଗଠନର  ଆବାହକ ମଣ୍ଡଳୀର ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମଝୀଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କରିଥିଲେ । ତାଙ୍କ ସହ ଦୟା, ଗଙ୍ଗୁଆ, ମହାନଦୀ ଓ ଚିଲିକା ସୁରକ୍ଷା ବିଷୟରେ ଆଲୋଚନା କରିବା ସହିତ ଏକ ୮ ଦଫା ଦାବିପତ୍ର ପ୍ରଦାନ କରିଥିଲେ । ଏହି  ପ୍ରତିନିଧି ଦଳରେ କୃଷ୍ଣଚନ୍ଦ୍ର  ଜଗଦେବ, ସୁଦର୍ଶନ ଦାସ, ସଚ୍ଚିକାନ୍ତ ପ୍ରଧାନ, ଅଶୋକ ପ୍ରଧାନ, ଡକ୍ଟର ଜୟକୃଷ୍ଣ ପାଣିଗ୍ରାହୀ, ବିଜୟ କୁମାର ପ୍ରଧାନ, ପ୍ରସନ୍ନ ବିଷୋଇ, ଆଦିକନ୍ଦ ଶ୍ରୀଚନ୍ଦନ ପ୍ରମୁଖ ସାମିଲ ହୋଇଥିଲେ । ମହାନଦୀ ବଞ୍ଚାଓ  ଆନେ୍ଦାଳନର  ଆବାହକ, ସୁଦର୍ଶନ ଦାସ ଦୟା, ଗଙ୍ଗୁଆ, ଚିଲିକା ଓ ମହାନଦୀ ସମେତ ଓଡିଶା ସମସ୍ତ ନଦୀର ସ୍ଥିତି ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ସଂକ୍ଷିପ୍ତରେ ଅବଗତ କରାଇବା ସହି ଦାବିଗୁଡିକୁ ତାଙ୍କ ସମ୍ମୁଖରେ ଉପସ୍ଥାପନ କରିଥିଲେ ।
ଦୟା ନଦୀର ପାଣି ପ୍ରଦୂଷିତ କାରଣରୁ ପୁରୀ ଜିଲ୍ଲାର କଣାସ ଅଞ୍ଚଳରେ ହଇଜା ବ୍ୟାପିବା ସହ ଶତାଧିକ ଲୋକ ଆକ୍ରାନ୍ତ ହୋଇଥିଲେ । ଏଥିଯୋଗୁଁ ୭ ଜଣଙ୍କର ମୃତୁ୍ୟ ହୋଇଥିଲା । ଏହି ନଦୀ ପ୍ରଦୂଷଣର ମୁଖ୍ୟକାରଣ ହେଉଛି ଗଙ୍ଗୁଆ ନାଳ ଯାହା ଦ୍ୱାରା ଭୁବନେଶ୍ୱରର ନାଳ ଓ ନର୍ଦ୍ଦମା ପାଣି ଦୟା ନଦୀକୁ ପ୍ରଦୂଷିତ କରୁଛି । ଦୟା ନଦୀର ପ୍ରଦୂଷିତ ପାଣି ଚିଲିକାକୁ ମଧ୍ୟ ପ୍ରଦୂଷିତ କରୁଛି ।  ତେଣୁ  ଗଙ୍ଗୁଆ ଓ ଦୟାକୁ ପ୍ରଦୂଷଣ ମୁକ୍ତ କରିବା ସହିତ ଦୟା ନଦୀ ଓ ଏହାର ଶାଖା ନଦୀକୁ ମଧ୍ୟ ପ୍ରଦୂଷଣ ମୁକ୍ତ କରିବା ପାଇଁ ସେମାନେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି ରଖିଥିଲେ । ସହର, ଜନ ବସତି, ଡାକ୍ତରଖାନା ଓ କଳକାରଖାନା ଗୁଡିକର ବର୍ଯ୍ୟବସ୍ତୁ ଓ ପାଣି, ନଦୀକୁ ସିଧାସଳଖ ଭାବରେ ଛାଡି ଦିଆଯିବା ଫଳରେ ନଦୀଗୁଡିକ ପ୍ରଦୂଷିତ ହେଉଛି । ଏହାକୁ ବନ୍ଦ କରାଯିବା ସହିତ ଯେଉଁମାନେ ଏହାର ଖିଲାପ କରୁଛନ୍ତି ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ପøରାଣିକ, ଐତିହାସିକ ତଥ୍ୟ ଓ ପ୍ରଶାସନିକ ଦସ୍ତାବିଜରେ ଏହା ‘ଏକାମ୍ର ଗଙ୍ଗା’ ବା ଗନ୍ଧବତୀ/ଗଙ୍ଗବତୀ ନଦୀ ଭାବରେ ଉଲ୍ଲେଖ ରହିଛି । ଏହା ଦୁର୍ଭାଗ୍ୟ ଜନକ ଯେ ଏବେ ସରକାରୀ ଦସ୍ତାବିଜରେ ଏହାକୁ ଗଙ୍ଗୁଆ ନାଳ ଭାବରେ ଆଖ୍ୟାୟିତ କରାଯାଇଛି । ଗଙ୍ଗୁଆକୁ ପୁନଃରୁଦ୍ଧାର ପାଇଁ ବିହିତ ପଦକ୍ଷେପ ନେବା ସହିତ ତୁରନ୍ତ ଏହାକୁ ନଦୀର ମାନ୍ୟତା ଦିଆଯାଉ ବୋଲି ସେମାନେ ଦାବି ରଖିଥିଲେ । ଏହା ସହିତ ମହାନଦୀ ଜଳ ବିବାଦର ସମାଧାନ ପାଇଁ ବିକଳ୍ପ ସମାଧାନ ର ରାସ୍ତା ସରକାର ନେବା ଦରକାର ।