ମୋଟରସାଇକେଲ ଲୁଟ ଅଭିଯୋଗରେ ଯୁବକ ଗିରଫ

ାା ପ୍ରଭାନୁ୍ୟଜ୍ ।ା ଜଟଣୀ: ଜଟଣୀ ଥାନା ଅନ୍ତର୍ଗତ ବୁଢ଼ାପଡା ନିକଟବର୍ତ୍ତୀ ପଧାନ ସାହି ବାସିନ୍ଦା ଗଣେଶ ସାହୁଙ୍କ ପୁଅ ଆଲୋକ ସାହୁ ନାମକ ଜଣେ ଯୁବକଙ୍କୁ ସର୍ବସମ୍ମୁଖରେ ଅପମାନ ଜନକ ଶବ୍ଦ ବ୍ୟବହାର ଓ ମୋଟରସାଇକେଲ ଲୁଟ ଅଭିଯୋଗରେ ପୁଲିସ ବୁଢ଼ାପଡା ଗ୍ରାମ ଭୋଇ ସାହିର ମଧୁସୂଦନ ଦାସ ଓରଫ ଚଗଲା (୩୦) ନାମକ ଜଣେ ଯୁବକକୁ ଗିରଫ କରିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ଅଭିଯୋଗକାରୀ ଆଲୋକ ଥାନାରେ ଅଭିଯୋଗ କରିଥିଲେ କି ଚଗଲା ୧୩ ତାରିଖ ଦିନ ତାଙ୍କୁ ଅନ୍ୟମାନଙ୍କ ଆଗରେ ଅପମାନଜନକ ଶବ୍ଦ ବ୍ୟବହାର କରି ଥଟ୍ଟା କରିଥିଲେ । ସେତେବେଳେ ଆଲୋକ କୌଣସି ଉତ୍ତର ଦେଇନଥିଲେ । ପରେ ଚଗଲା ତାଙ୍କ ଘରକୁ ଯାଇ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ । ସେହିପରି ୧୪ ତାରିଖ ଦିନ ଆଲୋକ ନିକଟରେ ଥିବା ଏକ କେନାଲ ନିକଟକୁ ଶୌଚ ନିମନ୍ତେ ତାଙ୍କ ମାମୁଁଙ୍କ ମୋଟରସାଇକେଲ୍ ନେଇ ଯାଇଥିବା ବେଳେ ଶୌଚ କାର୍ଯ୍ୟ ସାରି ଫେରିବା ପରେ ଥୁଆ ହୋଇଥିବା ସ୍ଥାନରେ ଗାଡ଼ିଟି ନପାଇ ଖୋଜାଖୋଜି କରିବାରେ ଶୁଣିବାକୁ ପାଇଥିଲେ ଯେ ଅଭିଯୁକ୍ତ ଚଗଲା ରାସ୍ତା କଡ଼ରେ ଥୁଆ ହୋଇଥିବା ଗାଡ଼ିଟି ନେଇ ଯାଇଛି  ।  ଏ ନେଇ ଆଲୋକ ଚଗଲାକୁ ପଚାରିବାରେ ସେ ତାଙ୍କୁ ବାଉଁଶ ବାଡିରେ ଆକ୍ରମଣ କରି ପଥରରେ ଆଘାତ କରିବାକୁ ଉଦ୍ୟମ କରିଥିଲେ । ଏ ନେଇ ଥାନାରେ ଅଭିଯୋଗ ହେବାପରେ ପୁଲିସ ପକ୍ଷରୁ ଅନୁସନ୍ଧାନ କରାଯାଇ ଅଭିଯୁକ୍ତକୁ ଧରାଯାଇଥିଲା ଏବଂ ତାଙ୍କ ନିକଟରୁ ଚୋରି ହୋଇଥିବା ମୋଟରସାଇକେଲ ଉଦ୍ଧାର କରାଯାଇଥିଲା । ଅଭିଯୁକ୍ତକୁ ୪୧୭/୨୪ ଆଧାରରେ କୋର୍ଟଚାଲାଣ କରାଯାଇଥିବା ଜଣାପଡିଛି ।