ଯାଜପୁର ଓ ବ୍ୟାସନଗରରେ ତ୍ରିରଙ୍ଗା ଶୋଭାଯାତ୍ରା
ଯାଜପୁର ଟାଉନ/ବ୍ୟାସନଗର: ଆତଙ୍କବାଦ ବିରୋଧୀ ଅପରେସନ ‘ସିନ୍ଦୂର'ରେ ଭାରତୀୟ ସେନାର ତ୍ୟାଗ ଓ ବଳିଦାନକୁ ସମ୍ମାନ ଜଣାଇ ଜିଲା ପ୍ରଶାସନ ଆନୁକୁଲ୍ୟରେ ଯାଜପୁର ଟାଉନ ଓ ବ୍ୟାସନଗରରେ ତ୍ରିରଙ୍ଗା ବାଇକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି । ଯାଜପୁର ଠାରେ ଜିଲ୍ଲାପାଳ ପି.ଅନ୍ୱେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଜିଲାସ୍ତରୀୟ ତ୍ରିରଙ୍ଗା ବାଇକ୍ ଯାତ୍ରାରେ ସାଂସଦ ଡ. ରବୀନ୍ଦ୍ର ନାରାୟଣ ବେହେରା ଯୋଗଦେଇ ପତାକା ଦେଖାଇ ଉଦ୍ଘାଟନ କରିଥିଲେ । ଶୋଭାଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବାହାରି ଏନ୍ସି କଲେଜ ଖେଳ ପଡିଆରେ ପହଁଚିଥିଲା । ସାଂସଦ ଡ. ବେହେରା ଶୋଭାଯାତ୍ରାକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ଆଜି ଶୀର୍ଷ ସ୍ଥାନକୁ ଯାଇଛି । ଭାରତର ସାମରିକ ଶକ୍ତି କ’ଣ ସେ ସାରା ବିଶ୍ୱକୁ ଦେଖାଇ ଦେଇଛନ୍ତି । ଆମର ସଶସ୍ତ୍ର ବାହିନୀ "ଅପରେସନ ସିନ୍ଦୂର’ ଅଭିଯାନରେ ନିଜର ବୀରତ୍ୱ ଦେଖାଇ ଯେଉଁଭଳି ଭାବେ ଆତଙ୍କବାଦୀ ଓ ତାଙ୍କ ଆଡ୍ଡାକୁ ନଷ୍ଟ କରିଛନ୍ତି ଏବଂ ପାକିସ୍ତାନର ବହୁ ସାମରିକ ଶକ୍ତିକୁ ନଷ୍ଟ କରିଛନ୍ତି । ଜିଲ୍ଲାପାଳ ପି.ଅନ୍ୱେଷା ରେଡ୍ଡୀ ଆତଙ୍କବାଦ ବିରୋଧରେ ଲଢ଼େଇ "ଅପରେସନ ସିନ୍ଦୂର’ରେ ଭାରତୀୟ ସେନାର ପରାକ୍ରମ ସମସ୍ତ ଦେଶବାସୀଙ୍କୁ ଗର୍ବିତ କରିଥିବା କଥା କହିଥିଲେ । ତ୍ରିରଙ୍ଗା ଯାତ୍ରାରେ ଜିଲ୍ଲା ପରିଷଦ ସଭାପତି ନଳିନୀ ପ୍ରଭା ଜେନା, ପୌର ପରିଷଦ ଅଧ୍ୟକ୍ଷା ରଞ୍ଜୁଲତା ହୋତା, ଅତିରିକ୍ତ ଜିଲ୍ଲାପାଳ, ରାଜସ୍ୱ ଶିବାନନ୍ଦ ସ୍ୱାଇଁ, ଅତିରିକ୍ତ ଜିଲ୍ଲାପାଳ ଯୁଧିଷ୍ଠିର ନାୟକ, ଉପ ଜିଲ୍ଲାପାଳ ତାପସ ରଞ୍ଜନ ଦେହୁରୀ, ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଲମ୍ବୋଦର ଖଣ୍ଟିଆ, ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, ଆରକ୍ଷୀ ବାହିନୀ, ସ୍ୱେଛାସେବୀ ସଂଗଠନ,ଏନସିସି, ଏନଏସଏସ, ଆରକ୍ଷୀ ବାହିନୀ, ଜନ ପ୍ରତିନିଧି, କ୍ରୀଡ଼ାବିତ, ବାର ଆସୋସିଏସନ, ଲୟର ଆସୋସିଏସନ୍, ବରିଷ୍ଠ ସରକାରୀ କର୍ମଚାରୀ ସଂଘ, ବରିଷ୍ଠ ନାଗରିକ ମଞ୍ଚ, ରେଡ୍କ୍ରସ ସଂଘ, ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରି ତ୍ରିରଙ୍ଗା ପତାକା ଧରି ବାଇକ୍ ଚଳାଇ ବନେ୍ଦ ମାତରଂ ଧ୍ୱନି ଦେଇ ସହର ପରିକ୍ରମା କରିଥିଲେ । ଜିଲା ସୂଚନା ଓ ଲୋକସଂପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ ତ୍ରିରଙ୍ଗା ଯାତ୍ରା କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ ।
ସେହିପରି ଅପରେସନ ସିନ୍ଦୁର ସଫଳତାରେ ବ୍ୟାସନଗରରେ ବାଇକ ଶୋଭାଯାତ୍ର ଅନୁଷ୍ଠିତ ହୋଇଥିଲା । ଶୋଭାଯାାତ୍ରାକୁ କୋରେଇ ବିଧାୟକ ଆକାଶ ଦାସନାୟକ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ତିନି ବାହିନୀ ଯବାନକୁ ସମ୍ମାନ ଜଣାଇ ତ୍ର୍ରିରଙ୍ଗା ବାଇକ ଶୋଭାଯାତ୍ରା ସଂସ୍କୃତି ଭବନରୁ ବାହାରି ସହର ପରିକ୍ରମା କରି ଷ୍ଟାଡିୟମରେ ପହଁଚିଥିଲା । ଶୋଭାଯାତ୍ରାରେ ବ୍ୟାସନଗର ପୌର ଅଧ୍ୟକ୍ଷ ସୁବାସ ଚନ୍ଦ୍ର ବଳ, କଳିଙ୍ଗନଗର ଅତିରିକ୍ତ ଜିଲାପାଳ ସପନ କୁମାର ନନ୍ଦ, ବ୍ୟାସନଗର ତହସିଲଦାର ଅଶୋକ କୁମାର ରାଉତ, ପୌର ନିର୍ବାହୀ ଅଧିକାରୀ ନର୍ମଦା ମୋଦି, ପୌର ପରିଷଦ କାଉନସିଲର, ଡିଏସପି ଉପେନ୍ଦ୍ର ନାଥ ପ୍ରଧାନ, ଓଏମସି ଓ ଫେରୋକ୍ରୋମ ଅଧିକାର ସମେତ ଏନସିସି କ୍ୟାଡେଟ୍, ଯାଜପୁର ରୋଡ ଥାନା ପୁଲିସ ଅଧିକାରୀ, ପୌର କର୍ମଚାରୀ, ଭିଏନକଲେଜ ଷ୍ଟାଫ୍, ସାଧାରଣ ଜନତା, ମହିଳା, ଯୁବକ, ଛାତ୍ରଛାତ୍ରୀ ସାମିଲ ହୋଇଥିଲେ ।