ଜାତୀୟ ରାଜପଥରେ ଜଳୁନାହିଁ ଲାଇଟ୍; ଚାଲୁନି କ୍ୟାମେରା

କୋରେଇ: ଯାଜପୁର ଜିଲା୧୬ନମ୍ବର ଜାତୀୟ ରାଜପଥ ପାଣିକୋଇଲି ଛକ ଠାରୁ କୁଆଖିଆ ମଧ୍ୟରେ ବିଭିନ୍ନ ସ୍ଥାନରେ ରାଜ ରାସ୍ତାରେ ଲାଇଟ୍ ଓ କ୍ୟାମେରା ଦୀର୍ଘଦିନ ଧରି ଲାଗିଛି । ହେଲେ ଲାଇଟ ଜଳୁନଥିବା ବେଳେ କ୍ୟାମେରା ଚାଲୁନି । ଯାହାର ଫାଇଦା ଲୁଟେରା ଗ୍ୟାଙ୍ଗ ଓ ଗୋଚାଲାଣ କାରି ଉଠାଇବାରେ ଲାଗିଛନ୍ତି । ଦିନକୁ ଦିନ କୁଆଖିଆରୁ ପାଣିକୋଇଲି ମଧ୍ୟରେ ବିଭିନ୍ନ ସ୍ଥାନରେ ଡକାୟତି ଓ ଗୋଚାଲାଣ ସଂଖ୍ୟା ବଢ଼ିବାରେ ଲାଗିଛି । ନିକଟରେ କିଛି ଦିନ ତଳେ ଏକ ଭୁବନେଶ୍ୱରରୁ ବାଲେଶ୍ୱର ଯାଉଥିବା ଏକ ଯାତ୍ରୀବାହୀ ବସ୍କୁ ଅଟକାଇ ଚାରିଜଣ ଯୁବକ ଲୁଟ୍ ଉଦ୍ୟମ କରିବାକୁ ଚେଷ୍ଟା କରିଥିଲେ । ଅବଶ୍ୟ ଏହା ଫଳପ୍ରଦ ହୋଇ ପାରିନଥିଲା । ସେମାନଙ୍କୁ ବସ୍ରେ ଥିବା ଯାତ୍ରୀମାନେ କାବୁ କରି ପାଣିକୋଇଲି ଥାନାରେ ଜିମା ଦେଇଥିଲେ । ଏହାର କିଛି ଦିନ ପରେ ଜଣେ ଅଣ ଓଡ଼ିଆ ଦମ୍ପତିଙ୍କ ଠାରୁ ମଧ୍ୟ ଲୁଟ୍ ଉଦ୍ୟମ ହୋଇଥିଲା । କେବଳ ଏତିକିରେ ସୀମିତ ନୁହେଁ ଏହି ରାସ୍ତା ଦେଇ ଯାଉଥିବା ଅନେକ ଯାତ୍ରୀଙ୍କ ଠାରୁ ମୋବାଇଲ ମଧ୍ୟ ଛଡାଇ ନେଉଛନ୍ତି ଲୁଟେରା । ଏହା ସହ ଢେର୍ ରାତିରେ ଗୋରୁ, ଷଣ୍ଢ ମଧ୍ୟ ବୋଲେରୋ ଗାଡ଼ି ମାଧ୍ୟମରେ ଚାଲାଣ କରାଯାଉଛି । ହେଲେ ଏମାନଙ୍କୁ କାବୁ କରିବାରେ ଏବେ ଅସଫଳ ପାଣିକୋଇଲି ପୁଲିସ୍ । ଯାହା ପାଣିକୋଇଲି ପୁଲିସ୍ର ପାରିବାପଣିଆ ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେବେ ଏସବୁ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯଦି ଜାତୀୟ ରାଜପଥରେ ଲାଗିଥିବା ସମସ୍ତ ଲାଇଟ୍ ଗୁଡ଼ିକ ଜଳନ୍ତା ଓ କ୍ୟାମେରା ଗୁଡ଼ିକ କାର୍ଯ୍ୟକାରୀ ହୁଅନ୍ତା ତେବେ ଲୁଟେରା ଓ ଚାଲାଣକାରୀଙ୍କ ମନରେ ଅପରାଧ କରିବାକୁ ଭୟ ରୁହନ୍ତା । ଉଭୟ ଲାଇଟ୍ ଓ କ୍ୟାମେରା କାର୍ଯ୍ୟକାରୀ ନ ହେଉଥିବାରୁ ଜାତୀୟ ରାଜପଥରେ ଅନ୍ଧାରର ସୁଯୋଗ ନେଇ ସେମାନେ ଅପରାଧ ଘଟାଇବାରେ ସଫଳ ମଧ୍ୟ ହେଉଛନ୍ତି ଓ ପୁଲିସ୍ ସେମାନଙ୍କର ଟେର ପାଉନି । ଏହି ସମସ୍ୟା ବିଷୟରେ ପାଣିକୋଇଲି ପୁଲିସ୍ ଜାଣି ମଧ୍ୟ କାହିଁକି ଜାତୀୟ ରାଜପଥ ବିଭାଗ ସହ ଆଲୋଚନା କରୁନାହିଁ ବୋଲି ସାଧାରଣରେ ଚର୍ଚ୍ଚା ହୋଇଛି । ଅନ୍ୟପଟେ ୧୬ନମ୍ବର ଜାତୀୟ ରାଜପଥର ପ୍ରକଳ୍ପ ନିଦେ୍ର୍ଦଶକ (ପିଡି) ଜେ.ପି ବର୍ମା ଖୁବ ଶୀଘ୍ର ଲାଇଟ୍ କାର୍ଯ୍ୟକ୍ଷମ ହେବା ସହ ଆରଟିଓ ବିଭାଗ ସହ ଆଲୋଚନା କରି କ୍ୟାମେରା ମଧ୍ୟ ଚାଲିବ ବୋଲି ସୂଚନା ଦେଇଛନ୍ତି ।