ଯୁକ୍ତ ଦୁଇ କଟ ଅଫ୍  ଆଗରେ ରେଭେନ୍ସା

 ଭୁବନେଶ୍ୱର/କଟକ:  ଯୁକ୍ତ ଦୁଇ ଆଡମିଶନ ପାଇଁ ପ୍ରକାଶ ପାଇଲା ପ୍ରଥମ ପର୍ଯ୍ୟାୟ କଟଅଫ୍ ମାର୍କ ତାଲିକା  । ବିଜ୍ଞାନ, ବାଣିଜ୍ୟ ଓ କଳା କଟ ଅଫ୍ ମାର୍କରେ ରେଭେନ୍ସା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କଟକ ଶୀର୍ଷରେ ରହିଛି  । ବିଜ୍ଞାନରେ ସାଧାରଣ ବର୍ଗଙ୍କ ପାଇଁ ୯୧.୮୩% ସହ ରେଭେନ୍ସା ଶୀର୍ଷରେ ରହିଛି  । ସେହିପରି ୮୯.୪୦% ମାର୍କ ସହ ଭୁବନେଶ୍ୱରର ବକ୍ସି ଜଗବନ୍ଧୁ ବିଦ୍ୟାଧର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଦ୍ୱିତୀୟ ସ୍ଥାନରେ ରହିଛି  । ୮୭.୫୦ % କଟଅଫରେ ବାଲେଶ୍ୱର ଫକୀର ମୋହନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତୃତୀୟ ସ୍ଥାନରେ ରହିଛି  ।
ସେହିପରି ବାଣିଜ୍ୟରେ ରେଭେନ୍ସା ସାଧାରଣ ବର୍ଗରେ ୮୦.୨୦% କଟଅଫ ରଖି ଶୀର୍ଷରେ ରହିଛି  । ୭୮.୬୭% କଟଅଫ୍ ସହିତ ରାଉରକେଲା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଦ୍ୱିତୀୟରେ ରହିଛି  । ୭୩.୫୦% କଟଅଫ ସହିତ ବକ୍ସି ଜଗବନ୍ଧୁ ବିଦ୍ୟାଧର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତୃତୀୟ ସ୍ଥାନରେ ରହିଛି  । ସେହିଭଳି କଳା ବିଭାଗରେ ୮୧.୩୩% କଟଅଫ ସହ ପ୍ରଥମେ ରହିଛି ରେଭେନ୍ସା, ଦ୍ୱିତୀୟରେ ରାଉରକେଲା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କଟଅଫ ୭୭.୩୩% ରହିଛି, ତୃତୀୟରେ ବକ୍ସି ଜଗବନ୍ଧୁ ବିଦ୍ୟାଧର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ୭୬.୮୬% କଟ ଅଫ ମାର୍କ ରହିଛି  ।  ଯୁକ୍ତ ଦୁଇ ପଢ଼ିବା ପାଇଁ ୪ ଲକ୍ଷ ୪୬ ହଜାର ୨୦୫ ଛାତ୍ରଛାତ୍ରୀ ଆବେଦନ କରିଥିଲେ  । ସେଥିମଧ୍ୟରୁ ୪ ଲକ୍ଷ ୧୩ ହଜାର ୮୦୪ ଛାତ୍ରଛାତ୍ରୀଙ୍କୁ ପ୍ରଥମ କଟଅଫ ମାର୍କ ତାଲିକାରେ ନିଜ ବିଭାଗ ଅନୁଯାୟୀ ଚୟନ କରାଯାଇଛି  । କଳା ବିଭାଗରେ ୨  ଲକ୍ଷ ୬୪ ହଜାର ୭୬୬ ଛାତ୍ରଛାତ୍ରୀଙ୍କ ପ୍ରଥମ ପର୍ଯ୍ୟାୟରେ ଚୟନ କରାଯାଇଛି  । ସେହିପରି ବିଜ୍ଞାନରେ ୧ ଲକ୍ଷ ୧୭ ହଜାର ୮୯ ଜଣ ଏବଂ ବାଣିଜ୍ୟରେ ୨୦ ହଜାର ୫୫୨ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଛି  । ସେହିପରି ସଂସ୍କୃତରେ ୬ ହଜାର ୮୧୧ ଜଣ ଚୟନ ହୋଇଥିବା ବେଳେ ଧନ୍ଦାମୂଳକ ଶିକ୍ଷାରେ ୪୫୮୬ ଜଣଙ୍କୁ ଚୟନ କରାଯାଇଛି  । ଯେଉଁ ଛାତ୍ରଛାତ୍ରୀମାନେ ପ୍ରଥମ ପର୍ଯ୍ୟାୟରେ କୃତକାର୍ଯ୍ୟ ହୋଇପାରିନାହାଁନ୍ତି, ସେମାନେ ଦ୍ୱିତୀୟ ପର୍ଯ୍ୟାୟ ଏବଂ ସ୍ପଟ ଆଡମିଶନରେ ଭାଗ ନେବାର ସୁଯୋଗ ପାଇବେ  । ତେବେ ଜୁଲାଇ ୨୪ରୁ ୨୦୨୫-୨୬ ଶିକ୍ଷା ବର୍ଷ ନିମନ୍ତେ ଯୁକ୍ତ ଦୁଇ ପାଠପଢ଼ା ଆରମ୍ଭ ହେବ  ।
...............................................................