ଯେଉଁଠି ଥିଲି ସେଇଠି
ମୃଣାଳିନୀ ଓ ମୁଁ ଆମେ ଦୁହେଁ ପିଲାଦିନର ବନ୍ଧୁ । ମୃଣାଳିନୀ, ମନ୍ଦିର ସାଧୁସନ୍ଥ, ଅବତାରତ୍ୱ ଓ ଆତ୍ମଘୋଷିତ ବାବା ମାନଙ୍କ ଉପରେ ଗବେଷଣା କରିିବାକୁ ଭାରି ଭଲ ପାଉଥିଲା । ଦୁଇଦିନ ତଳେ ମତେ ଉତ୍ତରପ୍ରଦେଶରୁ ଫୋନ ଯୋଗେ କହିଲା "ମୀରା ତୁମେ ଟିଭି ଦେଖିଛ, ଜଣେ ଆତ୍ମଘୋଷିତ ବାବାଙ୍କର ପଦରଜ ନେବାକୁ ଯାଇ ଲକ୍ଷ ଲକ୍ଷ ଲୋକଙ୍କ ଭିଡ଼ ମଧ୍ୟରେ ଠେଲାପେଲାରେ ୧୨୨ ଜଣଙ୍କର ମୃତୁ୍ୟ ଘଟିଛି' । ମୁଁ କହିଲି ହଁ ଦେଖିଛି । ଏହା ଏକ ଅତ୍ୟନ୍ତ ଦୁଃଖଦ ଖବର । ସେ ମତେ କହିଲା ଆମେ ଅନେକଥର ମିଶି ପୁରୀ ରଥଯାତ୍ରା ବୁଲି ଯାଇଛେ । ଯଦି ସୁଯୋଗ ମିଳେ ମୁଁ ତତେ ନେଇ ପୁରୀ ରଥଯାତ୍ରା ଦେଖିବାକୁ ଯିବି । ମୁଁ କହିଲି ଭାରତର ରାଷ୍ଟ୍ରପତି ଏଥର ରଥଯାତ୍ରାକୁ ଆସୁଥିବାରୁ ଶାନ୍ତି ଶୃଙ୍ଖଳାର କଡ଼ା ବ୍ୟବସ୍ଥା କରାଯାଇଛି । ମୃଣାଳିନୀ କହିଲା, ମୁଁ ଖବର ରଖିଛି, ଶ୍ରୀ ମନ୍ଦିରର ଚାରିଦ୍ୱାର ଖୋଲିଦେବା ପରେ ଭିତରେ ଦଳଚକଟା ହୋଇଥିଲା କେତେ ଲୋକ ଆଘାତପ୍ରାପ୍ତ ହୋଇଥିଲେ ବା ମୃତୁ୍ୟ ବରଣ କରିଥିଲେ ମତେ ଜଣାଇବୁ ।
ମୃଣାଳିନୀର କଥା ଶୁଣି ମୋର ଠାକୁରଘରେ ଥିବା ଜଗନ୍ନାଥଙ୍କ ଫଟୋକୁ ଚାହିଁଲି କ୍ଷଣିକ ପାଇଁ ଭାବିଲି ଏପରି କାହିଁକି ଘଟୁଛି? ଅନ୍ତରରୁ କେହି ଜଣେ ଉତ୍ତର ଦେବା ପରି କହିଲେ "ମୀରା ତୁମେ ଭାବିଦେଖ ତୁମେ କଣ ଥିଲ, କଣ ବର୍ତ୍ତମାନ ହୋଇଛ ଓ ଭବିଷ୍ୟତରେ କଣ ହେବ ।' ହଠାତ୍ ମୋର ମନେପଡ଼ିଲା ମୋର ବାପା କିପରି ମତେ ଜଣେ ଗଣିତଜ୍ଞ କରିବାକୁ ଚାହୁଁଥିଲେ । ଏପରିକି ସେ ଜଣେ ଗଣିତ ଶିକ୍ଷକଙ୍କୁ ମୋର ଗଣିତ ଶିକ୍ଷା ପାଇଁ ପାଞ୍ଚ ହଜାର ଟଙ୍କା ଅଗ୍ରୀମ ଦେଇଥିଲେ । ମୁଁ କହିଲି ବାପା ମତେ ସାମାନ୍ୟ ହିସାବ ଆସୁନାହିଁ । ବଜାରକୁ ପଠାଇଲେ ଠିକ ଭାବରେ ହିସାବ କରି ତୁମକୁ ମୁଁ ସଠିକ ପଇସା ଫେରାଇ ପାରୁନାହିଁ । ମୋର ଦେଢ଼ଟଙ୍କା, ଅଢ଼େଇଟଙ୍କା ମଧ୍ୟରେ ଭ୍ରମ ସୃଷ୍ଟି ହେଉଛି । ଶୂନ ବସାଇବା ସମୟରେ ଆଗରେ ବସାଇବି ବା ପଛରେ ବସାଇବି ମୁଁ ଜାଣିପାରୁନାହିଁ । ଏପରି ଅବସ୍ଥାରେ ମୁଁ ଗଣିତଜ୍ଞ ହେବ କିପରି? ବାପା କଣ ଭାବିଲେ କେଜାଣି କହିଲେ ହେଉ ତୋର ଯାହା ଇଛା ତାହା କର । ଓ ଗଣିତ ଶିକ୍ଷକଙ୍କ ଠାରୁ ଅଗ୍ରୀମ ପାଞ୍ଚହଜାର ଟଙ୍କା ଫେରାଇ ଆଣିଥିଲେ । ମୁଁ ଏବେ ବି ଦେଖିଛି ମୁଁ ଗଣିତରେ ଆଗରୁ ଯାହାଥିଲି ଏବେ ବି ତାହା ଅଛି ।
ଭଗବାନ ସର୍ବତ୍ର ବିଦ୍ୟମାନ, ସେ ସମସ୍ତଙ୍କ ହୃଦୟରେ ବାସ କରନ୍ତି । ସମସ୍ତଙ୍କୁ ଭଲପାଅ, ସମସ୍ତଙ୍କର ସେବା କର, କାହାର ଅନିଷ୍ଟ କରନାହିଁ, ମଧୁର ସ୍ୱରରେ ବାକ୍ୟାଳାପ କର । ଏ ସବୁ ଜଗନ୍ନାଥ ସଂସ୍କୃତିରୁ ଆମେ ଶିଖିଥିଲେ ମଧ୍ୟ ମୁଁ ଦେଖୁଛି ମୋର ଯେପରି ଗଣିତଜ୍ଞ ହେବା ନୋହିଲା ଓ ମୁଁ ଯେଉଁଠାରେ ଥିଲି ସେହିପରି ଅଛି । ଠିକ ସେହିପରି ପ୍ରଭୁ ଜଗନ୍ନାଥଙ୍କର ସଂସ୍କୃତି ବିଷୟରେ ଜାଣିବା ପରେ ମଧ୍ୟ ଆମେ ପରସ୍ପରକୁ ଭଲପାଇ ପାରୁନୁ । ସମସ୍ତଙ୍କ ମଧ୍ୟରେ ଭଗବାନଙ୍କୁ ଦେଖି ପାରୁନୁ କର୍କଶ ସ୍ୱରରେ ବାକ୍ୟାଳାପ କରୁଛୁ । ପରର ସେବାତ ଦୂରର କଥା ‘ମୁଁ ଓ ମୋର’କୁ ନେଇ ଜୀବନ ଅତିବାହିତ କରୁଛୁ । ତେଣୁ ମୁଁ ଯେଉଁଠି ଥିଲି ବର୍ତ୍ତମାନ ଯାହାଅଛି ଓ ଭବିଷ୍ୟତରେ ଯେ ମୋର ପରିବର୍ତ୍ତନ ହେବ ତାହା ବିଶ୍ୱାସ କରିପାରୁନାହିଁ । ମୋର ଜଗନ୍ନାଥଙ୍କ ଫଟୋରୁ ସତେ ଯେପରି ମତେ କେହି କହିବାକୁ ଲାଗିଲା, ମୀରା ତୁମେ ଭଗବାନଙ୍କର ଦୁଃଖ କ'ଣ ଜାଣିଚ? ମୁଁ କହିଲି ନା ଦେବ ସର୍ବଦା ଆନନ୍ଦମୟ । ସେ ଦୁଃଖି ହୋଇନପାରନ୍ତି । ଏ ବିଷୟରେ ମନେ ପଡ଼େ ସିନା ଜଗନ୍ନାଥ ପ୍ରକୃତରେ କିପରି ଆମର ଆଚରଣ ଦ୍ୱାରା ଆନନ୍ଦିତ ହେବେ ତାହା ମୋର ମନେ ରହେ ନାହିଁ । ସମସ୍ତଙ୍କ ଭିତରେ ଭଗବାନ ଅଛନ୍ତି ଏହା ଆମେ ଭୁଲିଯାଇଥାଉ । ନିଜ ନିଜ ଭିତରେ ପ୍ରତିଯୋଗିତା କରି ଶୃଙ୍ଖଳା ଭାଙ୍ଗି, ଦଳା ଚକଟା ହେଉ ଓ ମୃତୁ୍ୟ ବରଣ କରୁ ଓ ଶେଷରେ ମୋ ପ୍ରଭୁ ଜଗନ୍ନାଥଙ୍କୁ ଦୋଷାରୋପ କରୁ । ମୁଁ ଭଗବାନଙ୍କୁ ପ୍ରଶ୍ନ କଲି ଯଦି ମୁଁ ଯେଉଁଠି ଥିଲି, ତାହା ଅଛି ଓ ଭବିଷ୍ୟତରେ ତାହା ରହିବି, ଏତେ ମନ୍ଦିର, ମଠ, ସାଧୁସନ୍ଥଙ୍କ ଆଗମନ ଓ ଦଶାବତାରଙ୍କ ଆଗମନ ଓ ମୋର ବନ୍ଧୁର ଏତେ ଗବେଷଣା ଏ ସବୁ କାହିଁକି? ଜଗନ୍ନାଥ ଉତ୍ତର ରଖି କହିଲେ, ମୋର ଦୁଃଖ କଣ ଜାଣ ଜନ୍ମ ଜନ୍ମାନ୍ତରରେ ମନୁଷ୍ୟ ଜିତିଯାଏ ଓ ଖେଳରେ ମୁଁ ହିଁ ପରାଜୟ ବରଣ କରିଥାଏ । ତୋ ଜଗନ୍ନାଥ ଖେଳରେ କେବେ ବି ଜିତି ନାହାଁନ୍ତି ସବୁବେଳେ ହାରିଯାଇଛନ୍ତି । ତୁ କ'ଣ ଦେଖୁ ନାହୁଁ ମତେ ସୁଧାରିବାକୁ ଦଶ ଅବତାର ନେବାକୁ ପଡ଼ିଲା । ମନ୍ଦିର ସଦଗୁରୁ, ସାଧୁସନ୍ଥଙ୍କୁ ମଝିରେ ମଝିରେ ପ୍ରେରଣ କରିବାକୁ ପଡ଼ିଲା । ଲୋକେ ତୋର ବନ୍ଧୁ ମୃଣାଳିନୀ ପରି ଗବେଷଣା ଜାରି ରଖିଛନ୍ତି ଓ ରଖିବେ ମଧ୍ୟ । ମୁଁ ଗୀତାରେ କହିଛି ଯୁଗେ ଯୁଗେ ଧର୍ମର ରକ୍ଷା ପାଇଁ ଅବତାର ଗ୍ରହଣ କରିବି ହେଲେ ମୀରା ମୁଁ ହାରି ଯାଉଛି । ଲୋକେ ଯେପରି ଥିଲେ ସେପରି ଅଛନ୍ତି । ତେଣୁ ଏ ଦଳା ଚକଟା ଆଜି ନୂଆ ନୁହେଁ ଏ ମୃତୁ୍ୟ ବରଣ କରିବା କିଛି ନୂଆ ନୁହେଁ । ମତେ ଥରେ ଖେଳରେ ଜିତାଇଦେ ଲୋକଙ୍କୁ ହୃଦୟଙ୍ଗମ କରାଇଦେ ଯେ ମୁଁ ସମସ୍ତଙ୍କ ମଧ୍ୟରେ ବିଦ୍ୟମାନ ସମସ୍ତଙ୍କୁ ପ୍ରେମ କର, ସମସ୍ତଙ୍କର ସେବାକର ଓ କାହାରି ଅନିଷ୍ଟ କରନାହିଁ । ଦେଖିଲି ମୁଁ ଫୁଲ ଜରିଆରେ ଫିଙ୍ଗିଥିବା ପାଣି ଜଗନ୍ନାଥଙ୍କ ଆଖିରୁ ଦି ଟୋପା ଲୁହ ଝରୁଥିବା ପରି ଦେଖାଗଲା ।
ଅନୀତା ପଟ୍ଟନାୟକ,ମୋ : ୯୬୯୨୮୦୦୨୬