ଲାଞ୍ଚ ନେବା କିରାଣୀଙ୍କୁ ପଡ଼ିଲା ମହଙ୍ଗା; ବାନ୍ଧିଲା ଭିଜିଲାନ୍ସ
ଭୁବନେଶ୍ୱର, ୧୦ା୧୨ : ଜମି କାଗଜପତ୍ର ବାବଦକୁ ନେଇ ଲାଞ୍ଚ ମାଗିବା କନିଷ୍ଠ କିରାଣୀଙ୍କୁ ପଡିଛି ମହଙ୍ଗା । ୨୦ ହଜାର ଟଙ୍କା ଲାଞ୍ଚ ନେବାବେଳେ, ଖଣ୍ଡଗିରି ସବ୍ରେଜିଷ୍ଟ୍ରାର ଅଫିସ କନିଷ୍ଠ କିରାଣୀ ଦେବଜାନୀ କରଙ୍କୁ ମାଡି ବସିଲା ଭିଜିଲାନ୍ସ । ଦେବଜାନୀଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ କରାଯିବା ସହ ତାଙ୍କୁ ଆଜି ଗିରଫ କରିଛି ଭିଜିଲାନ୍ସ ।
ସୂଚନା ଯୋଗ୍ୟଯେ, ଜମି କାଗଜପତ୍ର ବାବଦକୁ ଖଣ୍ଡଗିରି ସବ୍ରେଜିଷ୍ଟ୍ରାର ଅଫିସ କନିଷ୍ଠ କିରାଣୀ ଦେବଜାନୀ କର ଜଣେ ବ୍ୟକ୍ତିଙ୍କୁ ୨୦ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏହାକୁ ନେଇ ସଂପୃକ୍ତ ବ୍ୟକ୍ତି ଜଣଙ୍କ ଟଙ୍କା ଦେବା ପୂର୍ବରୁ ଭିଜିଲାନ୍ସ ନିକଟକୁ ଯାଇ ଏନେଇ କିରାଣୀଙ୍କ ନାଁରେ ଲାଞ୍ଚ ମାଗୁଥିବା ଅଭିଯୋଗ କରିଥିଲେ । ଅଭିଯୋଗ ପରେ ଭିଜିଲାନ୍ସ ଟିମ ଦେବଜାନୀ କରଙ୍କୁ ଧରିବାକୁ ଯୋଜନା କରିଥିଲା ଓ ଅଭିଯୋଗକାରୀଙ୍କୁ ଭିଜିଲାନ୍ସ ଟିମ କ୍ୟାମିକାଲ ଲଗା ଟଙ୍କା ଦେଇଥିଲେ । ଏହାପରେ ବ୍ୟକ୍ତି ଜଣଙ୍କୁ କିରାଣୀ ଦେବଜାନୀଙ୍କୁ ୨୦ ହଜାର ଟଙ୍କା ଲାଞ୍ଚ ଦେବା ସମୟରେ ଭିଜିଲାନ୍ସ ଟିମ ତାଙ୍କୁ ଧରିଥିଲା । ପରେ ଭିଜିଲାନ୍ସ ତାଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରିବା ସହ ଅଫିସରେ ଯାଞ୍ଚ କରାଯାଇଥିଲା । ଅଫିସରେ ଯାଞ୍ଚ ବେଳେ କିରାଣୀ ଦେବଜାନୀଙ୍କ ଡ୍ରରୁ ୧୫ ଲକ୍ଷରୁ ଅଧିକ ଟଙ୍କା ଭିଜିଲାନ୍ସ ଅଧିକାରୀ ଜବତ କରିଥିଲେ । ଏହାପରେ ଏତେ ଟଙ୍କା ଦେବଜାନୀ କେଉଁଠୁ ଆଣିଲେ ଭିଜିଲାନ୍ସ ପ୍ରଶ୍ନରେ ସନ୍ତୋଷ ଜନକ ଉତ୍ତର ଦେଇପାରି ନଥିଲେ ଶ୍ରୀମତୀ କର । ତା ପରେ ଭିଜିଲାନ୍ସ ତାଙ୍କୁ ଗିରଫ କରି ଆଜି ତାଙ୍କୁ କୋର୍ଟ ଚାଲାଣ କରିଥିବା ସୂଚନା ରହିଛି ।